ମାଓ ଭୟ ସାଜିଛି ଠକିବାର ବାଟ: ଭୂତକୋଠି ପାଲଟିଛି ତ୍ରିଲୋଚନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର

● ସ୍ୱାସ୍ଥ୍ୟ ଉପକେନ୍ଦ୍ର ପୁନଃ ଖୋଲିବା ପାଇଁ ବିଧାୟକଙ୍କୁ ଅଭିଯୋଗ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାଦଦେଶର ତ୍ରିଲୋଚନପୁର ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବର୍ଷ ବର୍ଷ ଧରି ଏହି ଉପକେନ୍ଦ୍ର ଦାଇତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଏହି କେନ୍ଦ୍ରଟି ବର୍ତ୍ତମାନ ଏକ ପ୍ରକାର ଭୁତକୋଠି ପାଲଟିଛି।ଏନେଇ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରଟିକୁ ପୁଣି ଥରେ ଖୋଲିବା ପାଇଁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଅଭିଯୋଗ କରିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।


ଲାଞ୍ଜିଗଡ଼ ବ୍ଳକର ନିୟମଗିରି ପାହାଡ ପାଦ ଦେଶରେ ଥିବା ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତରେ ୨୭ ଗୋଟି ଗ୍ରାମ ଥିବା ବେଳେ ଏହି ଗ୍ରାମ ମାନଙ୍କରେ ଆଦିମ ଜନଜାତି ବର୍ଗର ଲୋକେ ବସବାସ କରନ୍ତି। ଏହି ଗ୍ରାମ ମାନଙ୍କର ଲୋକେ ବର୍ଷ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ଅଭାବରୁ ବିଭିନ୍ନ ସ୍ଥାନରୁ ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ମେଲେରିଆ, ଡାଇରିଆ,କିଡନି, ପାଇରିଆ ଆଦି ରୋଗରେ ଆକ୍ରାନ୍ତ ହୋଇଥିବା ଚିତ୍ର ବାରମ୍ବାର ସାଂନ୍ନାକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ୨୦୦୨ ମସିହାରେ ତ୍ରିଲୋଚନପୁର ଗ୍ରାମରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ ପାଇଁ ଅନୁମତି ଦେଇଥିଲେ। ଅନୁମତି ମୁତାବକ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠା ନିର୍ମାଣ ହୋଇଥିଲା। ୨୦୦୩ ମସିହା ଅଗଷ୍ଟ ମାସରେ ତତ୍କାଳୀନ ଲାଞ୍ଜିଗଡ଼ ବିଧାୟକ ତଥା ହରିଜନ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଏହି ଉପକେନ୍ଦ୍ରଟିକୁ ଉଦଘାଟନ କରିଥିଲେ। କିନ୍ତୁ ୨୦୧୧ ମସିହାରୁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ପରେ ଦାଇତ୍ୱରେ ଥିବା ୩ ଜଣ ସ୍ୱାସ୍ଥ୍ୟକର୍ମୀ ଆଊ ଉପକେନ୍ଦ୍ରରେ ରହିଲେନାହିଁ କି କେନ୍ଦ୍ରଟିକୁ ନିୟମିତ ଖୋଲିଲେ ନାହିଁ। କେବଳ ତ୍ରିଲୋଚନପୁର ସାପ୍ତାହିକ ହାଟ ମଙ୍ଗଳବାର ଦିନ ଗୋଟିଏ ଘଣ୍ଟା କେନ୍ଦ୍ରରେ ରହି ଚାଲି ଯାଉଥିଲେ। ଏହାପରେ ୨୦୧୧ ଜୁଲାଇ ୧୭ ତାରିଖରେ ତ୍ରିଲୋଚନପୁର ଗାଁର ଆଜିତ ପଟନାୟକ ୨୦୧୫ ଫେବୃଆରୀ ୨ ତାରିଖରେ ଭାଇ ସତ୍ୟନାରାୟଣ ପଟନାୟକ ଓ ୨୦୧୬ ମସିହା ନଭେମ୍ବର ୨ ତାରିଖରେ ତ୍ରିଲୋଚନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତ ମାଝୀଙ୍କୁ ମାଓବାଦୀ ମାନେ ହତ୍ୟା କରିଥିଲେ। ଏହା ପରେ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯାହା ଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।ଏହା ପରେ କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। କେନ୍ଦ୍ରଟି ଖୋଲିବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳି ନଥିଲା। ଏନେଇ ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଉତ୍ୟକ୍ତ ହୋଇ ୨୦୧୭ ମସିହା ଜୁନ ୨୮ ତାରିଖ ଦିନ କେନ୍ଦ୍ର ଦାଇତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀମାନେ ଗାଁକୁ ଯାଇ ଫେରିଯିବା ସମୟରେ ତାଙ୍କୁ ପ୍ରାୟ ୬ ଘଣ୍ଟା କାଳ ଘେରାଉ କରି ଅଟକ ରଖିଥିଲେ। ବହୁ ବୁଝା ସୁଝା ପରେ ସ୍ୱାସ୍ଥ୍ୟକର୍ମୀମାନେ ନିୟମିତ ଆସିବା ସହ କେନ୍ଦ୍ର ଖୋଲି ବସିବୁ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ବହୁ କଷ୍ଟରେ ମାନିଥିଲେ। ମାତ୍ର ଏକ ମାସ ନିୟମିତ ଭାବେ ଯାଇ କେନ୍ଦ୍ର ଖୋଲି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପରେ ପୁଣି କର୍ମୀମାନେ ଠକିବାର ଆରମ୍ଭ କରିଥିଲେ। ଏହା ପରେ କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପଡ଼ିଥିଲା। ଯାହା ଫଳରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହି ଧୀରେ ଧୀରେ ନଷ୍ଟ ହୋଇ ଯାଇଥିଲା।

ବର୍ତ୍ତମାନ ଅଞ୍ଚଳରେ ଗମନାଗମନ, ବିଜୁଳି,ପାନୀୟ ଜଳ,ଶିକ୍ଷା ବ୍ୟବସ୍ଥା ସ୍ୱାଭାବିକ ହୋଇ ଆସିଥିବା ବେଳେ ଏବେ ବି ପଞ୍ଚାୟତ ଦାଇତ୍ୱରେ ଥିବା ୨ ଜଣ ସ୍ୱାସ୍ଥ୍ୟକର୍ମୀ ମାସକୁ ମାତ୍ର ଥରେ ଆସୁଥିବା ଓ ତ୍ରିଲୋଚନପୁରରେ ୧ ଘଣ୍ଟା ରହି ଫେରି ଯାଉଥିବା ଲୋକେ ପ୍ରକାଶ କରିଛନ୍ତି। ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଦୁର୍ଗମ ଅଞ୍ଚଳର ଆଦିମ ଜନଜାତି ବର୍ଗର ଲୋକେ ୧୨ କିମି ଦୂର ଲାଞ୍ଜିଗଡ଼ ସିଏଚସିକୁ ଯିବା ସମ୍ଭବ ହୋଇ ପାରୁନଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ବ୍ଳକ ପ୍ରଶାସନ ଓ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ। ଏଥିପାଇଁ ଦାଇତ୍ୱରେ ଥିବା କର୍ମଚାରୀ ମାନେ ନିୟମିତ ଅଞ୍ଚଳକୁ ଆସିବା ସହିତ ଭୁତକୋଠି ପାଲଟିଥିବା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରଟିକୁ ପୁନରୁଦ୍ଧାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.