କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : ନର୍ଲା ଡାକ୍ତରଖାନାରେ ଚଳିତ ୨୦୨୧ ଗତ ଜାନୁୟାରୀ ୨୧ ରୁ ଆରମ୍ଭ ହୋଇଛି କୋଭିଡ ଟିକା କରଣ । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ଚାମ୍ବରରେ ଟିକା କରଣର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନର୍ଲା ଡାକ୍ତରଖାନାକୁ ୫୫୦ ଗୋଟି କୋଭିସିଲ୍ଡ ଟିକା ଆସିବା ପରେ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରତ୍ୟହ ୧୦୦ ଜଣଙ୍କୁ ଏହି କୋଭିଡ ଟିକା ପ୍ରଦାନ କରାଯାଉଥିଲା । ଲଗାତାର ଦୁଇମାସ ପ୍ରତ୍ୟହ ଟିକାକରଣ ଚାଲିବା ପରେ ନର୍ଲା କାହିଁକି ସାରା କଳାହାଣ୍ଡିରେ କୋଭିଡ ଟିକାର ଅଭାବ ସମସ୍ୟା ଦେଖାଦେଲା । ଯେଉଁ ମାନେ କରୋନା ଯୋଦ୍ଧା ସେହି ମାନଙ୍କୁ ପ୍ରଥମେ ଟିକା କରଣ କରାଯାଇଥିଲା । ପ୍ରଥମେ ନର୍ଲା ମେଡିକାଲ କର୍ମଚାରୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ସମସ୍ତଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ପ୍ରତିଷେଧକ କୋଭହାସିଲ୍ଡ ଟିକା ପ୍ରଦାନ କରାଗଲା । ଏହାପରେ ୬୦ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ ପରେ ୪୦ ବର୍ଷରୁ ଉର୍ଦ୍ଧ୍ବ । ଏବେ ଚାଲିଛି ୧୮ ବର୍ଷରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ମାନଙ୍କୁ ଟୀକାକରଣ । ଗୋଟିଏ ଦିନ ବ୍ୟବଧାନରେ ପ୍ରତ୍ୟହ ଟିକା ପ୍ରଦାନ କରାଯାଉଥିଲା । ଯେଉଁମାନେ ପ୍ରଥମ ଡୋଜ ଟିକା ନେଇଛନ୍ତି । ସେମାନେ ପୁଣି ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟିକା ସେତେବେଳେ ନେଇଥିଲେ । ଏହାପରେ ସରକାର ଟିକା ଅଭାବ କାରଣରୁ ଦ୍ୱିତୀୟ ଡୋଜ ପାଇଁ ଏହି ନିୟମକୁ ପରିବର୍ତ୍ତନ କରି ୮୪ ଦିନ ପର୍ଯ୍ୟନ୍ତ ସମୟ ଅବଧିକୁ ବୃଦ୍ଧି କଲେ ।
କରୋନାର ଦ୍ୱତୀୟ ଲହର ଆସିବା ପରେ ନର୍ଲା ବ୍ଲକ୍ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଲୋକେ କରୋନା ଆକ୍ରାନ୍ତ ହେଲେ । ଦ୍ୱିତିୟ ଲହରରେ ନର୍ଲା ବ୍ଲକ୍ ଅଞ୍ଚଳରେ ୭୦ରୁ ଉର୍ଦ୍ଧ୍ବ ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଥିଲା । ଏହାପରେ ଡାକ୍ତରଖାନା ଗୁଡିକ ସହିତ ପ୍ରତିଗ୍ରାମକୁ ମେଡିକାଲ ଟିମ୍ ଯାଇ କୋଭିଡ ଟିକାକରଣ କରିଥିଲେ । ହେଲେ ସେତେବେଳେ ସମସ୍ୟା ରହିଥିଲା “ଗୁଜବ” । ଆଉ ଟିକା ନେଲେ ଜ୍ୱର ହେବା ସହିତ ବ୍ୟକ୍ତି ଅସୁସ୍ଥ ହୋଇପଡୁଥିବା “ଗୁଜବ” ଯୋଗୁଁ ଯେତେ ବୁଝାସୁଝା କଲେ ମଧ୍ୟ ଲୋକେ ଟିକା ନେବାପାଇଁ ଅମଙ୍ଗ ହେଉଥିଲେ । ଫଳରେ ନର୍ଲା ଅଞ୍ଚଳରେ ଟିକାକରଣ ବହୁତ କମ ହୋଇଥିବା ଜଣାପଡିଛି । ନର୍ଲା ବ୍ଲକ୍ ର ୧ ଲକ୍ଷ ୩୨ ହଜାର ଜନସଂଖ୍ୟା ରହିଥିବା ବେଳେ ସେଥିରେ ଯଦି ଅତିରିକ୍ତ ୧୦ ପ୍ରତିଶତ ଉପଭୋକ୍ତାଙ୍କୁ ସାମିଲ କରାଯାଏ ତାହେଲେ ସମୁଦାୟ ୧ ଲକ୍ଷ ୪୫ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୩୦ ପ୍ରତିଶତ ଅର୍ଥାତ ୪୩ ହଜାର ୫୦୦ ଲୋକଙ୍କୁ ଟିକାକରଣ କରାଯାଇଛି ଏବଂ ଆଜୁରି ୧ ଲକ୍ଷ ଲୋକ ବାକି ରହିଥିବା ବିଭାଗ ତରଫରୁ ସୂଚନା ମିଳିଛି ।
ମେଡିକାଲ ଟିମ୍ ଟିକା ନେଇ ଲୋକଙ୍କୁ ଟିକା ଦେବାପାଇଁ ଯାଇଥିବା ବିଭିନ୍ନ ଗ୍ରାମର କେନ୍ଦ୍ର ଗୁଡିକୁ ଟିକା ସବୁ ଫେରାଇ ଆଣୁଥିଲେ । ଏବେ ଲୋକେ ସଚେତନ ହେଲେଣି । ଟିକା ନେଇନଥିବା ବ୍ୟକ୍ତିଙ୍କ ପ୍ରତି ୮୦ ପ୍ରତିଶତ ବିପଦ ରହିଥିବା ଜାଣି ଡାକ୍ତରଖାନା ଓ ଗ୍ରାମ ଗୁଡିକରେ ଅନୁଷ୍ଠିତ ହେଉଥିବା ଟିକାକରଣ କେନ୍ଦ୍ର ଗୁଡିକରେ ଏବେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ହେଲେ ମୁଖ୍ୟ ଡାକ୍ତରଖାନା ଗୁଡିକରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ରହୁ ନଥିବାରୁ ଲେକେ ଡାକ୍ତରଖାନାରୁ ଟିକା ନେଇ ନପାରି ଫେରି ଯାଉଥିବା ଦେଖିବାକୁ ମିଳୁଛି । ଏହାର ଜ୍ୱଳନ୍ତ ଉଦାହରଣ ଆଜି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ଆଜି ନର୍ଲା ଡାକ୍ତରଖାନାରେ ଟିକା ନେବାପାଇଁ ନାମ ପଞ୍ଜିକରଣ ନିମନ୍ତେ ଧାଡିବାନ୍ଧି ଛିଡା ହୋଇଥିଲେ । ପ୍ରଥମେ ନିଜେ ଟୀକା ନେଇଯିବା ଲକ୍ଷରେ ସାମାଜିକ ବ୍ୟବଧାନ ନ ମାନି ଠେଲାପେଲା ହେଉଥିବା ଦୃଶ୍ୟମାନ ହେଉଥିଲା ।ନର୍ଲା ଡାକ୍ତରଖାନାକୁ ଆଜି ପାଖାପାଖି ୪୦୦ ଜଣ ବ୍ୟକ୍ତି ଟିକା ନେବାପାଇଁ ଆସିଥିବା ବେଳେ କେବଳ ମାତ୍ର ୨୫୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ଜଣାପଡିଛି । ଦୂର ଦୂରାନ୍ତରୁ ଆସିଥିବା ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଟିକା ଅଭାବରେ ଫେରିଯାଇଥିବା ଦେଖିବାକୁ ମିଳିଛି ।
ନର୍ଲା ଡାକ୍ତରଖାନାରେ କୋଭିଡ ଟିକା ର ଅଭାବ ବିଷୟରେ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କହିଲେ ଜିଲ୍ଲାରେ ନୁହଁ ରାଜ୍ୟରେ ଟିକା ଉପଲବ୍ଧ ହେଲେ ଜିଲ୍ଲାକୁ ଟିକା ଆସୁଛି । ଜିଲ୍ଲାରୁ ଥରକେ ୫୦୦ ଜଣଙ୍କ ପାଇଁ ଟିକା ଉପଲବ୍ଧ କରାଉଛନ୍ତି । ଆମେ ଦିନକୁ ୨୫୦ ଜଣଙ୍କୁ ହିସାବରେ ଦୁଇ ଦିନ ଧରି ୫୦୦ ଜଣଙ୍କୁ ଟିକା ପ୍ରଦାନ କରୁଛୁ । ଆଉ ଆମ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟାଳୟରେ ଟିକା ଉପଲବ୍ଧ ନହେଲେ ଆମେ କିଭଳି ଟିକାକରଣ କରିବୁ ବୋଲି ମତବ୍ୟକ୍ତ କରିଛନ୍ତି । ସରକାର ସମସ୍ତଙ୍କୁ ଟିକାକରଣ କରାଯିବ ବୋଲି ଘୋଷଣା କରୁଥିବା ବେଳେ କୋଭିଡ ଟିକା ଅଭାବ ଜନିତ କାରଣରୁ ଲୋକେ ପ୍ରତିଦିନ ଭୟରେ ବଞ୍ଚୁଛନ୍ତି ନର୍ଲାରେ ଅଦ୍ୟାବଧି କରୋନା ସଂକ୍ରମଣର ଭୟ ପ୍ରଶମିତ ହୋଇନି । ଏବେ ମଧ୍ୟ ପ୍ରତ୍ୟହ ଜଣେ ଦୁଇଜଣ ସଂକ୍ରମିତ ଙ୍କ ସଂଖ୍ୟା ତାଲିକା ଭୁକ୍ତ ହେଉଥିବା ଦେଖିବାକୁ ମିଳୁଛି । ଏଣୁ ନର୍ଲା ଅଞ୍ଚଳବାସୀଙ୍କ ଦାବୀ ସରକାର ସମସ୍ତଙ୍କୁ ଶୀଘ୍ର ଟିକା କରଣ ନିମନ୍ତେ ପର୍ଯ୍ୟାପ୍ତ ଟିକା ନର୍ଲାରେ ଉପଲବ୍ଧ କରାନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।