ଭଗବାନ ଶ୍ରୀକୃଷ୍ଣଙ୍କ ପରି ରାଜନୈତିଜ୍ଞ ବିଶ୍ବରେ ବିରଳ

ଜୁନାଗଡ ଠାରେ ଅଷ୍ଟମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା

ସ୍ବାଭିମାନ ରକ୍ଷା ଓ ସଂଗଠୈନିକ ଦକ୍ଷତା ବୃଦ୍ଧି ଉପରେ ଗୁରୁମନ୍ତ୍ର ପ୍ରଦାନ କଲେ ଯାଦବ ନେତା

ରାଜନୈତିକ ଅଧୀକାର ଉପରେ ବିଶେଷ ଗୁରୁତ୍ବ

କଳାହାଣ୍ଡି/ଜୁନାଗଡ,୨୦/୨: ପିତ(ହଳଦିଆ) ରଙ୍ଗରେ ରଙ୍ଗିନ ହୋଇଛି ଜୁନାଗଡ ସହର । ଜୟ ଯାଦବ ଜୟ ମାଧବ, ଯାଦବ ଏକତା ଜିନ୍ଦାବାଦ ଆଦି ବିଭିନ୍ନ ନାରାରେ କମ୍ପି ଉଠୁଥିଲା କଳାହାଣ୍ଡିର ବୀର ମାଟି । ଯାଦବ ସଂସ୍କୃତିର ଅନନ୍ୟ ବିଭବ ତଥା ହୃତ କମ୍ପନ କାରୀ ସାମରିକ କଳା ବନା ବାଡି ଖେଳରେ ମତ୍ତ ହୋଇ ଉଠୁଥିଲେ ଯାଦବ କୁଳ । ସ୍ବାଭିମାନର ଗଙ୍ଗା ବହୁଥିଲା ସମସ୍ତ ଯଦୁ ବଂଶୀଙ୍କ ମଧ୍ୟରେ । ଜାତି ପ୍ରେମର ବହ୍ନିରେ ଆଳୋକିତ ହୋଇ ଉଠିଥିଲା ଜୁନାଗଡ । ଏପରି ଏକ ପରିବେଶ ଦେଖିବାକୁ ମିଳିଥିଲା ଅଷ୍ଟମ ଯାଦବ ମହାସଭାରେ ।

ଜୁନାଗଡ ଖେଳ ପଡିଆ ଠାରେ କଳାହାଣ୍ଡି ଅଷ୍ଟମ ମହାସଭା ଜିଲ୍ଲା ଯାଦବ ମହାସଭାର ସଭାପତି ଡମ୍ବରୁଧର ଲହଜଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହାସଭାରେ ମୂଖ୍ୟ ଅତିଥି ଭାବେ ଛତିସଗଡ ରାଜ୍ୟ ବିଧାନସଭାର ବିଧାୟକ ଦ୍ବାରିକାଧିସ ଯାଦବ, ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ଯାଦବ ମହାସଭାର ରମେଶ ଯଦୁ, ଶିବ ପ୍ରସାଦ ହାତୀ, ଉତ୍କଳ ଯାଦବ ମହାସଭା ଯୁବ ଯାଦବ ସଭାପତି ଇଂ ପ୍ରଦୀପ କୁମାର ବେହେରା, ରାଜ୍ୟ ଯୁବ ଯାଦବ ସାଧାରଣ ସଂପାଦକ ପ୍ରଦୀପ ବେହେରା, ଚାରଗଡ ଯାଦବ ମହାସଭା ସଭାପତି କେନୁରାମ ଯାଦବ, ଶିକ୍ଷାବିତ ସୀମାଞ୍ଚଳ ନାଗ, ଉତ୍କଳ ଯାଦବ ମହାସଭା ଉପ ସଭାପତି ସକିତ ରତେ , ଶୁଶ୍ରୀ ଶୁଭଲକ୍ଷ୍ମୀ ନାଏକ, ରାଜ୍ୟ ଉପ ସଂପାଦକ ଧନେଶ୍ବର ଭାଟି, ଜିଲ୍ଲା ମହିଳା ସଭାନେତ୍ରୀ ଇଲା ସେଲମା, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗଙ୍କ ସମେତ ୧୩ଟି ବ୍ଲକର ସଭାପତି ଓ ଜିଲ୍ଲା କର୍ମକର୍ତ୍ତା ମାନେ ମଞ୍ଚାସୀନ ଥିଲେ ।

ପ୍ରାରମ୍ଭରେ ଲଙ୍କେଶ୍ବରୀ ମନ୍ଦରିରରେ ପୂଜାର୍ଚନା କରିବା ପରେ ମହିଳା, ପୁରୁଷ, ଅତିଥି ଓ ବିଶିଷ୍ଟ ଅତିଥିମାନେ ଏକ ବିଶାଳ ଶୋଭାଯାତ୍ରା ଜୁନାଗଡ ନଗର ପରିକ୍ରମା କରିଥିଲେ । ଏଥିରେ ଯାଦବ ସଂସ୍କୃତିର ପ୍ରାଚୀନ ବିଭବ ବାଡି ଖେଳ ପ୍ରଦର୍ଶିତ ହୋଇଥିଲା ।

ଯାଦବଙ୍କ ମୁଣ୍ଡରେ ହଳଦିଆ ଶିରସ୍ତ୍ରାଣ ତଥା ପୀତ ରଙ୍ଗର ପତାକାରେ ଛାଇ ହୋଇ ଯାଇଥିଲା ଜୁନାଗଡ । ମନେ ହେଉଥିଲା ବସନ୍ତର ଆଗମନରେ ପଲ୍ଲବୀତ ହୋଇ ଉଠିଛି ଜୁନାଗଡ ନଗର ।

ମଞ୍ଚରେ ପ୍ରଥମେ ଯଦୁ କୂଳ ତିଳକ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା ପରେ ଅତିଥି ମାନଙ୍କ ଉଦ୍ଦେଷ୍ୟରେ ଶୁଶ୍ରୀ ବିଜୟାଲକ୍ଷ୍ମୀ ଧଙ୍ଗଡାମାଝୀ ଓ ଜଗଦମ୍ବା ଧଙ୍ଗଡାମାଝୀ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଅତିଥି ଓ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଧନା କରାଯାଇଥିଲା ।

ଯାଦବ ସମାଜର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଅଭିବୃଦ୍ଧି ସହ ନାରୀ ଶିକ୍ଷା, କୁସଂସ୍କାର ବିଳୋପ ଆଦି ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସାରା ଓଡିଶାରେ ଉତ୍କଳ ଯାଦବ ମହାସଭାର ୩୪ଗୋଟି ସାଂଗଠୈନିକ ଜିଲ୍ଲା ଥିବାବେଳେ ସେଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନ୍ୟତମ ।

ଏହି ମହାସଭା ଅଧିନରେ ବ୍ଲକ ଯାଦବ ସମିତି ଓ ଆଞ୍ଚଳିକ କମିଟି ସବୁ ରହିଛି । ଏହି ସବୁକୁ ନେଇ ସମୃଦ୍ଧ ହୋଇଥିବା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଏଥର ରାଜନୈତିକ କ୍ଷମତା ଉପରେ ନଜର ରଖିଛି ।

ଭଗବାନ ଶ୍ରୀକୃଷ୍ଣ ଯାଦବ କୂଳରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀକୃଷ୍ଣଙ୍କ ପରି ରାଜନୈତିଜ୍ଞ ସାରା ବିଶ୍ବରେ ବିରଳ । ଆଜି କଳାହାଣ୍ଡି ସମେତ ପଶ୍ଚିମ ଓଡିଶାରେ ଯାଦବ ମାନେ ସଂଖ୍ୟା ଗରିଷ୍ଠ ଥିବା ସତ୍ତ୍ବେ ସେମାନଙ୍କୁ ରାଜନୈତିକ ସୁବିଧା ମିଳିପାରୁନାହିଁ । ରାଜନୈତିକ ପ୍ରତିଷ୍ଠା ରହିଲେ ଜାତିର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ।

ଭଗବାନ ଶ୍ରୀକୃଷ୍ଣ ଅଷ୍ଟମ ଗର୍ଭରେ ଜନ୍ମ ହୋଇଥିଲେ ତେଣୁ ଏହି ଅଷ୍ଟମ ମହାସଭା ନିଶ୍ଚୟ ପରିବର୍ତ୍ତନର ଆଭାଷ ନେଇ ଆସିଛି । ବର୍ତମାନ ସମୟର ଆହ୍ବାନ ଯାଦବ ମାନେ ସୁସଂଗଠିତ ହୋଇ ନିଜ ହକ ପାଇଁ ଲଢିବା ସହ ରାଜନୀତି କ୍ଷେତ୍ରକୁ ସୁଦୃଢ କରିବା ଉପରେ ମହାସଭାରେ ମତ ପ୍ରକାଶ ପାଇଛି ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଟିକଚନ ନାଗ, ପୂର୍ବତନ ଜିଲ୍ଲା ସଭାପତି ତଥା ସାହିତ୍ୟିକ ସକିତ ରତେ, ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ, ଶିକ୍ଷାବିତ ତଥା ଲୋକ ସଂସ୍କୃତି ଗବେଷକ ସୀମାଞ୍ଚଳ ନାଗ, କବି ଘନଶ୍ୟାମ ଗହୀର, ସମାଜସେବୀ ଅଲେଖ ଗୋପାଳ ପ୍ରମୂଖ ବିଶିଷ୍ଟ ବ୍ୟକ୍ତିତ୍ବ ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା ।

ଏହି ମହାସଭାର ମଞ୍ଚ ପରିଚାଳନା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନବ ନିଯୁକ୍ତ ସଂପାଦକ ସଂଜୟ ଧଙ୍ଗଡାମାଝୀ ଓ ପୂର୍ବତନ ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ତଥା ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ କିର୍ତ୍ତନ ନାଏକ । ଜୁନାଗଡ ଏନଏସି ଓ ବ୍ଲକର ଯୁବ ଯାଦବଙ୍କ ସମେତ ଜିଲ୍ଲାର ଅନେକ ଯାଦବ ଏଥିରେ ସହଯୋଗ କରିଥିଲେ ।

ପଶ୍ଚିମ ଓଡିଶା ବ୍ୟୁରୋ ରାମ ନାରାୟଣ ବାଗ, ସ୍ବତନ୍ତ୍ର ପ୍ରତିନିଧି ଲୋଚନ ପୋଡ, ଜୁନାଗଡ ପ୍ରତିନିଧି ରାକେଶ ବେମାଲ, କୋକସରା ପ୍ରତିନିଧି ହିରନ୍ୟ ବେହେରା, ଧର୍ମଗଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ ଓ ସହ – ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀଙ୍କ ସ୍ବତନ୍ତ୍ର ଉପସ୍ଥାପନା odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.