ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି

ରାୟଗଡା, (ଶିବ ନାରାୟଣ ଗୈାଡ): ଆଗାମୀ ଦିନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ସଂପର୍କରେ ଯଦି କୈାଣସି ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବେ ନାହିଁ ତେବେ ସାରା ରାଜ୍ୟରେ ସ୍ୱତନ୍ତ୍ର ଶିକ୍ଷକ ଏବଂ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ନ୍ୟାୟଳାୟର ଦ୍ୱାରସ୍ଥ ହେବେ ବୋଲି ଓଡିଶା ସ୍ପେଶାଲ ଏଜୁକେଟର ଫେଡେରେସନ୍ ଫର୍ ଦିବ୍ୟାଙ୍ଗ (ଓଏସଇଏଫଡି) ସଂଘ ତରଫରୁ ଆଜି ଚେତାବନୀ ଦିଆଯାଇ ରାୟଗଡା ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭିନ୍ନକ୍ଷମମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ତାହା ସଂଘର ମୂଳ ଉଦ୍ଦେଶ୍ୟ ହୋଇଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ସଂଘ ଅଭିଯୋଗ କରିଛି । ସରକାର କେବଳ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରୁଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ଦୁଃଖର ବିଷୟ ସବୁ ଯୋଜନା ଯୋଜନାରେ ହିଁ ସୀମିତ ହୋଇ ରହିଯାଇଛି ବୋଲି ସଂଘ ଅଭିଯୋଗ କରିଛି । ସେହିପରି ବିଦ୍ୟାଳୟସ୍ତରରେ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ଦିଗରେ ଉନ୍ନତୀ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆରପିଡବ୍ଳ୍ୟୁଡି ଏକ୍ଟ ୨୦୧୬କୁ କାର୍ଯ୍ୟକାରୀ କରାଯାଉନାହିଁ । ସାଧାରଣ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ନିମନ୍ତେ ତାଲିମ ନେଇଥିବା ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଆରସିଆଇ ନିୟମକୁ ରାଜ୍ୟ ସରକାର ପାଳନ ନକରି ପ୍ରତି ବ୍ଳକରେ କେବଳ ୨ଜଣ ଲେଖାଁଏ ବିଆରଟିଙ୍କୁ ନିଯୁକ୍ତି ଦେଇଛନ୍ତି ଯାହାକି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏକତ୍ର କରି ପାଠ ପଢାଇବା ସମ୍ଭବ ନୁହେଁ ବୋଲି ସଂଘ ଅଭିଯୋଗ କରିଛି । ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟଳାୟ ୬ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଦାବିପତ୍ର ପ୍ରଦାନ ବେଳେ ସଂଘ ଜିଲ୍ଳା ସଭାପତି ସୁଶ୍ରୀ ସଙ୍ଗୀତା ପାତ୍ରଙ୍କ ସମେତ ଅନ୍ୟ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.