ସଡକ ଦୁର୍ଘଟଣାରେ ୨ମୃତ, ଜଣେ ଗୁରୁତର: ରାସ୍ତାରୋକ ସହ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଲେ ଉତ୍ୟକ୍ତ ଜନତା

କାଶୀପୁର, (ଆଲାରାମ ଭତ୍ରା): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମାଠାରୁ ଅଳ୍ପ କିଛି ଦୂରରେ ଥିବା ଗଦଗଦା ନିକଟରେ ମଙ୍ଗଳବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କାଶୀପୁର ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାୟକଙ୍କ ପତ୍ନୀ ସହିତ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଅଙ୍ଗଦଙ୍କ ପତ୍ନୀ ମମତା ନାଏକ, ନାତି ନୂତନ ନାଏକ ଏବଂ ହଂସରାଜ ନାଏକ ସ୍ଥାନୀୟ ଗଦଗଦା ସ୍ଥିତ ଘରୁ ବାହାରି ବେନ୍ଦଲା ପାସ ଅଭିମୁଖେ ବାଇକରେ ଯାଉଥିଲେ। ଏହି ସମୟରେ ଥୁଆମୂଳ ରାମପୁର ଆଡ଼ୁ ଦ୍ରୁତ ଗତିରେ କାଶୀପୁର ଅଭିମୁଖେ ଆସୁଥିବା (ଓଡ଼ି ୦୮ବି -୧୦୭୧)ବୋଲେରୋ ଗାଡ଼ି ବାଇକକୁ ଧକ୍କା ଦେଇ ଖାଲ ଭିତରେ ଓଲଟି ପଡିଥିଲା। ଫଳରେ ମମତାଙ୍କ ସହିତ ତିନି ଜଣ ଖାଲ ଭିତରେ ଛିଟିକି ପଡ଼ିଥିଲେ। ଗୁରୁତର ଥିବା ମମତାଙ୍କୁ ଉଦ୍ଧାର କରି ନିକଟସ୍ଥ କାଶିପୁର ସିଏଚସିକୁ ନେବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ନୂତନ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ହଂସରାଜଙ୍କ ଗୋଡ଼ ଭାଙ୍ଗି ଯିବାରୁ ଗୁରୁତର ହୋଇଛନ୍ତି।


ଆହତଙ୍କୁ କାଶୀପୁର ସିଏଚସିରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। କାଶୀପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ଷତିପୂରଣ ଦାବି କରି ଗ୍ରାମବାସୀ ରାସ୍ତାରୋକ ଓ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଇଥିବାରୁ ସନ୍ଧ୍ୟା ସୁଦ୍ଧା ଶବ ବ୍ୟବଚ୍ଛେଦ କରାଯାଇ ପାରି ନ ଥିବା ଜଣା ଯାଇଛି। ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ି କଳାହାଣ୍ଡି ଅଞ୍ଚଳର ହୋଇ ଥିବା ବେଳେ ଡ୍ରାଇଭର କାଶୀପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। କଂଗ୍ରେସ ଏବଂ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ନେତୃବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ସମବେଦନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.