ୱାଲଟିୟର ରେଳ ଡିଭିଜନ୍ ଡିଆରଏମଙ୍କ ରାୟଗଡା ଗସ୍ତ

● ରାୟଗଡା ଡିଭିଜନ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ କଲେ ସମୀକ୍ଷା

ରାୟଗଡା, (ଶିବ ନାରାୟଣ ଗୈାଡ): ପୂର୍ବତଟ ରେଳବାଇ ଅଧିନସ୍ଥ ନୂତନ ରାୟଗଡା ରେଳ ଡିଭିଜନ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ରେଳ ଷ୍ଟେସନର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଏବଂ ସ୍ଥାନୀୟ ଲୋକଙ୍କ ପ୍ରସ୍ତାବ ଗ୍ରହଣ ପାଇଁ ଆଜି ୱାଲଟିୟର ଡିଭିଜନ ଡିଆରଏମ୍ ଅନୁପ କୁମାର ଶତପଥି ସ୍ୱତନ୍ତ୍ର ତଦାରଖ କାର୍ଯ୍ୟକ୍ରମ ଅନୁଯାୟୀ ରାୟଗଡା ରେଳ ଷ୍ଟେସନକୁ ପରିଦର୍ଶନ କରିଛନ୍ତି । ଡିଆରଏମ ଶ୍ରୀ ଶତପଥି ଏଲଜି ସ୍ପେଶାଲ ଟ୍ରେନ୍ ଯୋଗେ ଆଜି ସକାଳ ବିଶାଖାପାଟଣମରୁ ବାହାରି ରାୟଗଡା-କୋରାପୁଟ–ବିଶାଖାପଟଣାମ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନରେ ଯାତ୍ରୀମାନଙ୍କ ନିମେନ୍ତ ଥିବା ସେବା, ସୁବିଧାଗୁଡିକୁ ତଦାରଖ କରିବେ ବୋଲି ଜଣାପଡିଛି । ରାୟଗଡା ରେଳ ଷ୍ଟେସନରେ ଆଜି ସକାଳ ୯ଟା ୪୫ମି.ରେ ପଂହଚିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗସ୍ତ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ ।


ନୂତନ ରାୟଗଡା ରେଳ ଡିିଭିଜନ୍ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ପ୍ରଦାନ କରିଥିବା ଅନୁଦାନ ରାଶିରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକକୁ ସେ ତଦାରଖ କରିଛନ୍ତି । ଟେଣ୍ଡର ଅନୁଯାୟୀ ବିଭିନ୍ନ ଏଜେନ୍ସି ଦ୍ୱାରା କାମ କରାଯାଉଥିବାରୁ କେତେ ପ୍ରତିଶତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ତାହାକୁ ଅନୁଧ୍ୟାନ କରିଥିବା ଶ୍ରୀ ଶତପଥି ପ୍ରକାଶ କରିଥିଲେ । ସେହିପରି ରାୟଗଡାରେ ନିର୍ମାଣଧୀନ ନୂତନ ରେଳ ଷ୍ଟେସନ କୋଠା ଏବଂ ସଂଯୁକ୍ତ କର୍ମୀଦଳ ଏବଂ ଗାର୍ଡ ଲବି ସହ ଲୋକ ପାଇଲଟ୍ ଏବଂ ଗାର୍ଡଙ୍କ ନିମନ୍ତେ ଉଦ୍ଧିଷ୍ଟ ଗୃହଗୁଡିକକୁ ପରିଦର୍ଶନ କରି ସେଗୁଡିକର ବ୍ୟବହାର ଦିିଗରେ ପଦକ୍ଷେପ ନେବା ପାଇଁ ସ୍ଥାନଗୁଡିକ ପରିଦର୍ଶନ କରିଥିଲେ । ଏଥିସହ ରାୟଗଡା ରେଳ ଷ୍ଟେସନରେ ଓଡିଆ ଭାଷାରେ ଲେଖାଯାଉଥିବା ଅକ୍ଷରଗୁଡିକୁ ସଠିକ୍ ଭାବେ ଲେଖିବା ପାଇଁ ଏଇଏନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ଗୁଣପୁର-ପାରଲାଖେମୁଣ୍ଡି ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ନିମନ୍ତେ ଆବଶ୍ୟକ ସମସ୍ତ ସୁବିଧା ନିମେନ୍ତେ ସେ ନିଜେ ଗସ୍ତ କରି ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିବା ସହ ଗୁଣପୁର-ଥେରୁବାଲି ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ସହ ରେଳବାଇ ମଧ୍ୟରେ ଜମି ଅଧିଗ୍ରହଣ ଦିଗରେ କିଛି କାର୍ଯ୍ୟ ଆଗକୁ ବଢିଥିବା ବେଳେ ତୁରନ୍ତ କାର୍ଯ୍ୟାରମ୍ଭ ନେଇ ରେଳବାଇ ବିଭାଗ ମଧ୍ୟ ତତ୍ପରତା ଦେଖାଉଥିବା ଶ୍ରୀ ଶତପଥି ପ୍ରକାଶ କରିଛନ୍ତି । ଡିଆରଏମ ଶ୍ରୀ ଶତପଥିଙ୍କ ଏହି ଗସ୍ତ ବେଳେ ସିନିୟର ଡିଭିଜିନଲ୍ କର୍ମସିଆଲ ମ୍ୟାନେଜର ଏ.କେ.ତ୍ରିପାଠୀ, ସିନିୟର ଡିଭିଜିନାଲ ଅପରେସନ୍ ମ୍ୟାନେଜର ଜି.ସୁନୀଲ, ସିନିୟର ଡିଭିଜିନାଲ ଇଂଜିନିୟର ପ୍ରଦୀପ ଯାଦବଙ୍କ ସମେତ ସମସ୍ତ ବ୍ରାଂଚ ଅଧିକାରୀ, ରାୟଗଡା ରେଳ ଷ୍ଟେସନ ଅଧୀକ୍ଷକ ଶ୍ରୀ ପରିବାକା, ଆରପିଏଫ ଥାନା ଅଧିକାରୀ ଏସ.ପଙ୍କଜଙ୍କ ସମେତ ଅନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।


ରାୟଗଡା ଜିଲ୍ଳା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକ, ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଳା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶ, ନଗର କମିଟି ସଭାପତି ବିଦ୍ୟାଭୂଷଣ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ରେଳବାଇ ସ୍ଥାନରେ ବସ୍ତି କରି ରହିଥିବା ଗରୀବ ପରିବାରଙ୍କୁ ଉଚ୍ଛେଦ କରାଯାଇଥିବାରୁ ସେମାନଙ୍କୁ ଥଇଥାନ ସମ୍ବନ୍ଧରେ ଏବଂ ରାୟଗଡା ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ବିଭିନ୍ନ ଅତ୍ୟାଧୁନିକ ସେବା, ହେଲପ୍ ଡେସ୍କ,ଭିନ୍ନକ୍ଷମମାନଙ୍କ ପାଇଁ ବ୍ୟାଟେରୀ କାର, ୩ ନମ୍ବର ପ୍ଳାଟଫର୍ମ ସ୍ଥାନରେ ୧ନମ୍ବର ପ୍ଳାଟଫର୍ମରେ ରାତ୍ରକାଳୀନ ଏକ୍ସପ୍ରେସ ଟ୍ରେନର ରହଣୀ ବ୍ୟବସ୍ଥା ଆଦି ଦାବି ଉପସ୍ଥାପନା କରିଥିବା ବେଳେ ନୂତନ ରେଳ ଡିିଭିଜନ ନିମନ୍ତେ ଆବଶ୍ୟକ ଅଧିକ ପରିମାଣର ଜମି ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସହ ରେଳ ବିଭାଗ ଯୋଗାଯୋଗରେ ରହିଥିବା ନେଇ ଡିଆରଏମ ଶ୍ରୀ ଶତପଥି ପ୍ରକାଶ କରିଥିବା ନେଇ ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.