ବିଭିନ୍ନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ହୋଇଛି କେବୁଲ ଚୋରି, ଜଳ ଯୋଗାଣ ବାଧାପ୍ରାପ୍ତ

ଚୋରି ଅଭିଯୋଗକୁ ନେଇ ଥାନାରେ ମାମଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ହାତିଖୋଜ, ତୁଣ୍ଡଲା, ଗାଈଗାଁ, ଗୋକୁଳେଶ୍ବର, ଚାଞ୍ଚେର, ଉତ୍କେଲା, ଦେଓଗାଁ ପଞ୍ଚାୟତରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରୁ ସମର ସେବୁଲ ଫ୍ଲାଟ୍ କେବୁଲ ତାର କାଟି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ବିଭିନ୍ନ ପ୍ରକଳ୍ପର ଇନଟେକ୍ ଓ୍ବେଲରୁ ପମ୍ପ ହାଉସ୍ ପର୍ଯ୍ୟନ୍ତ ମାଟି ତଳେ ପୋତି ସଂଯୋଗ କରାଯାଇଥିବା କେବୁଲକୁ ଦୁର୍ବୁତ୍ତ ମାନେ କାଟି ଚୋରି କରି ନେଉଥିବା ଫଳରେ ଗାଁ ମାନଙ୍କରେ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି । ଲୋକେ ଜଳ ଯୋଗାଣ ପ୍ରକଳ୍ପରୁ ପାଣି ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗାଁ ମାନଙ୍କରେ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଦୁର୍ବୁର୍ତ୍ତ ମାନେ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରୁ କେବୁଲ ଚୋରି କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅପରପକ୍ଷରେ ଦୁର୍ବୁର୍ତ୍ତ ମାନଙ୍କ ଦ୍ଵାରା ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପର କେବୁଲ ଚୋରି ଘଟଣାକୁ ନେଇ ବିଭାଗୀୟ ଅଧିକାରୀ ବ୍ଲକ ପ୍ରଶାସନକୁ ଜଣାଇଲା ପରେ କେସିଙ୍ଗା ବିଡ଼ିଓ ଏନେଇ ଉଚିତ ତଦନ୍ତ କରି ତାହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭବାନୀପାଟଣା ସଦର ଥାନା ଓ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ଙ୍କୁ ଗତ ୭ ତାରିଖ ଦିନ ଚିଠି କରିଥିବା ଜଣାପଡିଛି । ସେହିପରି ଗତ ୧୫/୩/୨୦୨୨ ରିଖ କେସିଙ୍ଗା ଥାନା କେଶ୍ ନମ୍ବର ୧୧୭ ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ହେଲେ ଭବାନୀପାଟଣା ସଦର ଥାନା ଓ କେସିଙ୍ଗା ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ର ତଦନ୍ତ କ’ଣ ହୋଇଛି ତାହା ଜଣାପଡ଼ି ନାହିଁ । ଏଭଳି ଘଟଣାକୁ ପୁଲିସ ହାଲୁକା ଭାବେ ଗ୍ରହଣ କରିବ ତେବେ ଆଗାମୀ ଦିନରେ ଆହୁରି ଅନେକ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରୁ କେବୁଲ ଚୋରି ଘଟଣାକୁ ଏଡାଇ ଦିଆଯାଇନପାରେ ବୋଲି ବିଭାଗୀୟ ଅଧିକାରୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ତେଣୁ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରୁ କେବୁଲ କାଟି ତାର ଚୋରି କରୁଥିବା ଅଭିଯୋଗକୁ ପୁଲିସ୍ ଗୁରୁତର ଭାବେ ନେଇ ଦୁର୍ବୁର୍ତ୍ତ ମାନଙ୍କୁ ଠାବ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଥିବା ବେଳେ କେବୁଲ ଚୋରି ଘଟଣାକୁ ନେଇ ବିଭାଗୀୟ କର୍ମଚାରୀଙ୍କ ମନରେ ଚିନ୍ତାର ବିଷୟ ହୋଇଛି । ଗାଁ ମାନଙ୍କରେ ଥିବା ଜଳ ଯୋଗାଣ ପ୍ରକଳ୍ପର ସମସ୍ୟାକୁ ନେଇ କେସିଙ୍ଗା ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀଙ୍କୁ ପଚାରିବାରୁ କେବୁଲ ଚୋରି ଯୋଗୁଁ ସମସ୍ୟା ରହୁଛି ବୋଲି କହିବା ସହ ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଭିତ୍ତିରେ କଣ୍ଟ୍ରାକଟରକୁ କହି କେବୁଲ ସଂଯୋଗ କରାଯାଇଛି ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.