କଳାହାଣ୍ଡି ଶିକ୍ଷା ବିଭାଗର ‘ଆସ ଆମେ ସ୍କୁଲ୍ ଯିବା’ ଅଭିଯାନ ଶୁଭାରମ୍ଭ

ସାରା ଜିଲ୍ଲାରେ ଗଡ଼ିଲା ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମହାମାରୀ କରୋନା ଯୋଗୁଁ ଗତ ଦୁଇବର୍ଷ ଧରି ପିଲାମାନଙ୍କ ସ୍କୁଲ ପାଠପଢ଼ା ବନ୍ଦ ରହିଥିଲା। ଏବର୍ଷ ସ୍କୁଲ ଖୋଲିବା ପରେ ଅନେକ ପିଲା ସ୍କୁଲକୁ ଆସୁ ନାହାନ୍ତି। ଅନେକ ପିଲାଙ୍କ ବୟସ ହେବା ପରେ ବି ଅଭିଭାବକମାନେ ନାଁ ଲେଖେଇ ନାହାନ୍ତି। ତେଣୁ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଆସ ଆମେ ସ୍କୁଲ୍ ଯିବା’ ଅଭିଯାନ। ଭବାନୀପାଟଣା ସ୍ଥିତ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରୁ ସମସ୍ତ ବ୍ଲକକୁ ଗଡ଼ିଛି ସଚେତନତା ରଥ। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ରଥଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିକ୍ଷକ ଡିଲେଶ୍ୱର ରଣା ସଭା ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ଜନଜାତି ଶିକ୍ଷା ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ପ୍ରୋଗ୍ରାମର୍ ସୌମେନ୍ଦ୍ର ପଟ୍ଟନାୟକ, ପ୍ରଭାତ ସାହୁ, ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ଅଜିତ କୁମାର ପଧାନ, ତ୍ରିନାଥ ଶ୍ୟାମ କୁମାର, ହେମନ୍ତ ମାଝୀ, ଅମିତ କୁମାର ଜାଲ, ଭାରତ ଭୂଷଣ ସାହୁଙ୍କ ସମେତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ କଳାହାଣ୍ଡିର ଉପାନ୍ତ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇସାରିଛି। ଡ୍ରପଆଉଟ ରୋକିବା ପାଇଁ ସର୍ଟଫିଲ୍ମ, ମ୍ୟୁଜିକ ଭିଡିଓ ତିଆରି ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘର ଘର ବୁଲି ଅଭିଭାବକଙ୍କୁ ବୁଝାଇବା କାର୍ଯ୍ୟକ୍ରମ ଜାରି ରହିଛି। ୧୫ ବର୍ଷରୁ ଉର୍ଦ୍ଧ୍ବ ଅଣସାକ୍ଷରଙ୍କୁ ସାକ୍ଷର କରିବା ପାଇଁ ପଢନା ଲିଖନା ଅଭିଯାନ ଚାଲୁ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.