ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସାରସ୍ମାଲ ଗ୍ରାମର ବୁଢ଼ାବନ୍ଦ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ବିନାସୂଚନା ଫଳକରେ ଚାଲିଛି, ଫଳରେ କାର୍ଯ୍ୟ ପ୍ରତି ସାଧାରଣରେ ସଂଦେହ ସୃଷ୍ଟି ହେଉଛି। ନିୟମ ମୁତାବକ ଯେ’ କୌଣସି ସରକାରୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ନିର୍ମାଣ କରିବା ବାଧ୍ୟତା ମୂଲକ ରହିଛି। କାରଣ ସୂଚନା ଫଳକ ନିର୍ମାଣ କରା ନଯିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇପାରିବ ନାହିଁ। ସେଥିପାଇଁ ସୁଚନାଫଳକ ପାଇଁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଇଥାଏ। ମାତ୍ର ଏଠାରେ ସମସ୍ତ ନିତି ନିୟମର ଉଲ୍ଲଘଂନ କରାଯାଇ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କରାଯାଉଛି। ସୂଚନା ଫଳକ ନ ଥିବାରୁ କାର୍ଯ୍ୟର ସଠିକ ସୂଚନା ଲୋକେ ଜାଣିପାରୁ ନଥିବା ବେଳେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖିବା ଭଲି କିଛି ଉଦ୍ଦେଶ୍ୟ ରହିଛି ବୋଲି ଆଲୋଚନା ହେଉଛି। ଏହି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟକୁ ବିଭାଗୀୟ ସମ୍ପାଦନା ହେଉଥିବା କୁହାଯାଉଛି, ହେଲେ ବିଭାଗୀୟ ଯନ୍ତ୍ରୀ କିମ୍ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହୁ ନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାର୍ଯ୍ୟକୁ ଜଣେ ଠିକାଦାର ମେସିନ ମାଧ୍ୟମରେ ଜୋରସୋରରେ କରୁଥିବା ଦେଖିବାକୁ ମିଲିଛି। ଠିକାଦାର ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ବେଶ୍ ମୁନାଫା ଉଠାଇବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏ ନେଇ ଡହଗାଁ ପଞ୍ଚାୟତ ଜିପିଟିଏ ପଞ୍ଚାନନ ବିଷୋୟୀଙ୍କ ପ୍ରତିକ୍ରିୟା ନେବାରୁ କାମ ପୂର୍ବରୁ ସୁଚନା ଫଲକ ଲାଗିବା କଥା ବୋଳି ସ୍ଵୀକାର କରିଥିବା ବେଳେ, ଏସ୍ଏଫସି କିମ୍ଵା ସିଏଫସି ଯୋଜନାରୁ ୭ରୁ୮ଲକ୍ଷ ଟଙ୍କା ମଧ୍ୟରେ କାମ ଚାଲିଥିବ ଏବଂ ତାହା ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଜାଣିବେ ବୋଲି ଅସ୍ପଷ୍ଟିକର ତଥ୍ୟ ଦେଇଥିବା ବେଳେ ସୂଚନା ଫଳକ ତୁରନ୍ତ ଲଗାଇ ଦିଆଯିବ ବୋଲି କହିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ କାର୍ଯ୍ୟଟି ଦୁର୍ନୀତିମୁହା ହେଉଛି। ଏବଂ ଠିକାଦାର ଓ ବ୍ଳକ ପ୍ରଶାସନର ମଧୁଚନ୍ଦ୍ରିକା ଥିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏମିତି କି କୋକସରା ବ୍ଲକରେ ଏକାଧିକ କାର୍ଯ୍ୟ ବିନାସୂଚନା ଫଳକ ଓ ଯନ୍ତ୍ରୀଙ୍କ ଅନୁପସ୍ଥତିରେ ଚିରାଚରିତ ଭାବରେ ଅନେକ ଦିନରୁ ଚାଲି ଆସୁଥିବା ବେଳେ ଏଥିପ୍ରତି କାହାରି ନଜର ପଡୁନାହିଁ। ଫଳରେ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଏଥିପ୍ରତି ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।