ବିମୋହିତ ହେଲେ ଦର୍ଶକ, କନ୍ଧମାଳ କଳା ବିକାଶ କେନ୍ଦ୍ରକୁ ବିଭିନ୍ନ ମହଲରୁ ପ୍ରଶଂସା
ଓଡ଼ିଆ ବାର୍ତ୍ତା/କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ‘କନ୍ଧମାଳ କଳା ବିକାଶ କେନ୍ଦ୍ର’ର କୃତିତ୍ବ । କୋଡିଏ ଜଣିଆ ସଂସ୍କୃତିକ ଦଳ ଏଥିରେ ଅଂଶ ଗ୍ରହଣ କରି କନ୍ଧମାଳର ପାରମ୍ପରିକ ଲୋକନୃତ୍ୟ ‘ଡାକୁଲ ନୃତ୍ୟ’ ପରିବେଷଣ କରି ମଞ୍ଚ ଦୁଲୁକାଇ ଦେଇଥିଲେ ।
ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ସମେତ ନୃତ୍ୟ ଗୁରୁ ଖିରୋଦ ପ୍ରସାଦ ଦଣ୍ଡସେନା, କଣ୍ଠ ଶିଳ୍ପୀ ବିଶ୍ୱଜିତ ସାହୁ, ଲୋକନୃତ୍ୟ କଳାକାର ଅଶ୍ୱିନୀ ପାତ୍ର, ଲକ୍ଷ୍ମୀ ନାରାୟଣ ମଳିକ, ମାଧୁରୀ ପଣ୍ଡା, ଅଭିଲିପ୍ସା ପ୍ରଧାନ, ପ୍ରିୟଙ୍କା ନାୟକ, ଇନ୍ଦୁରେଖା ପୂଜାରୀ ପ୍ରମୁଖ ପ୍ରତିନିଧିତ୍ବ କରି ଦର୍ଶକଙ୍କ ମନ ଜିଣିଥିଲେ ।
ପ୍ରକୃତିର ପୂଜକ ଆଦିବାସୀଙ୍କ ପୂଜାର୍ଚ୍ଚନା ଏବଂ ପାରମ୍ପରୀକ ବୀରବାଦ୍ୟ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା । ଧିରେ ଧିରେ ଆମ ମାନସ ପଟ୍ଟରୁ ଲୁଚି ଯିବାକୁ ବସିଥିବା ଏପରି ଲୋକନୃତ୍ୟର ଧାରାକୁ ବଞ୍ଚାଇ ରଖିବାର ପ୍ରୟାସ ଯୋଗୁଁ କନ୍ଧମାଳ କଳା ବିକାଶ କେନ୍ଦ୍ରକୁ ରାଜ୍ୟର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।