ବ୍ଲକସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ, ରାଲି ଆୟୋଜନ କରି ସାମାଜିକ ସଚେତନତାର ପ୍ରୟାସ
ଓଡ଼ିଆ ବାର୍ତ୍ତା/ ସୋନପୁର: ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି। ବୈଦ୍ୟନାଥ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ଵାରା ହରଡଖୋଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପରିବେଶ ବଞ୍ଚିଲେ ହିଁ ଆମେ ବଞ୍ଚିବା ବୋଲି ଉଲ୍ଲେଖ କରିବା ସହ ପରିବେଶକୁ ସ୍ଵଚ୍ଛ ରଖିବା ସଂଗେ ସଂଗେ ବୃକ୍ଷରୋପଣର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର ଏବଂ ସିଏଚଓ ଆରତି ଶିଖା ମଞ୍ଚାସୀନ ଥିଲେ। ଏହି ଅବସରରେ ସାମାଜିକ ସଚେତନତା ସୃଷ୍ଟି ପାଇଁ ଏକ ରାଲିର ଆୟୋଜନ ହୋଇଥିଲା। ସ୍ଵାସ୍ଥ୍ୟଶିକ୍ଷା ବିଶେଷଜ୍ଞ ପ୍ରଦ୍ୟୁମ୍ନ ସାହୁ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ହରଡଖୋଲ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଆଶାକର୍ମୀ ଲଳିତା ଚାଉଳିଆ ଏବଂ ଅଙ୍ଗନବାଡି କର୍ମୀ ଅନୁପମା ମିଶ୍ର ଆୟୋଜନରେ ସହଯୋଗ କରିଥିଲେ।