କଳାହାଣ୍ଡି,୨୩/୩:ସାଧାରଣ ନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଥିବାବେଳେ ମାଓବାଦୀମାନେ ମଧ୍ୟ ନିଜର ଉପସ୍ଥିତି ଜାହୀର ପୂର୍ବକ ମିଛ ଲୋକସଭା, ବିଧାନସଭା ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ ଦେଇ ମ.ରାମପୁର ବ୍ଲକ ମୋହନଗିରି ପଂଚାୟତ ନିକଟସ୍ଥ ତାଲବାଜୁ ଗ୍ରାମରେ ମାଓ ପୋଷ୍ଟର ଲଗେଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ସିପିଆଇ(ଏମ) ଓଡ଼ିଶା ତରଫରୁ ଲଗାଯାଇଥିବା ଏହି ପୋଷ୍ଟରରେ ଅପାରଗ, ପ୍ରତାରକ, ଲୋକବିରୋଧୀ ,ଦେଶଦ୍ରୋହୀ, ବହୁଦେଶୀୟ କମ୍ପାନୀସେବାକାରୀ, ଫାଶୀବାଦୀ ବିଜେପି ଓ ବିଜେଡ଼ିକୁ ମାରି ଖେଦନ୍ତୁ । ଭୋଟ ମାଗିବାକୁ ଆସୁଥିବା ଅନ୍ୟ ସଂସଦୀୟ ପାର୍ଟିଙ୍କୁ ଜନ ଅଦାଲତରେ କାଠଗଡାରେ ଠିଆକରନ୍ତୁ । ପ୍ରକୃତ ଗଣତନ୍ତ୍ର,ଜନ ବିକାଶ ପାଇଁ ବିଳ୍ପବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ (ଓଡ଼ିଶା ରାଜ୍ୟ କମିଟୀ, ସିପିଆଇ (ମାଓବାଦୀ) । ଏଥିସହିତ କେକେବିଏନ୍ ଡ଼ିଭିଜନ (ୱାଲ) କାନ୍ଥ ପତ୍ରିକା ବିଳ୍ପବୀ ଡ଼େଙ୍ଗୁରା ମାସିକ ସଂଖ୍ୟ (ମାର୍ଚ୍ଚ-୧୨ରୁ ଏପ୍ରିଲ-୧୨)କୁ ଗଛରେ ଲଗାଯାଇଛି । ଖ୍ରୀଷ୍ଟିଆନ ଲୋକ ଆମର ଶତୃ ନୁହନ୍ତି ଏଥିରେ ଥିବା ଜନ ଓ ସମାଜ ବ୍ୟକ୍ତି ମାଓବାଦୀ ପାର୍ଟିର ଶତୃ ଅଟନ୍ତି । ପୋଲିସ,ଅର୍ଦ୍ଧସାମରିକ ବାହିନୀ (ସିଆରପିଏଫ, ବିଏସଏଫ୍) ସାମରିକ ବାହିନୀ (ସେନା) ହୋମଗାର୍ଡ଼, ଚୌକୀଦାର, ପୋଲିସ ଖବରଦାତା ଚାକିରୀ ଛାଡ଼ି ବାକି କାମ କରନ୍ତୁ ବୋଲି ଆହ୍ୱାନ ଦେଇଛି ଏହି ଡ଼ିଭିଜନ । ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଠର ଦିନ ବାକି ରହିଥିବାବେଳେ ଏହି ମାଓପୋଷ୍ଟରକୁ ନେଇ ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ତଥା ଦଳୀୟ ପ୍ରାର୍ଥୀଙ୍କ ମନରେ ଛନକା ଦେଖାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମ.ରାମପୁର ବ୍ଲକର ମୋହନଗିରି, ଲୁବେନଗଡ଼, ଉର୍ଲଦାନୀ, ସିଂହପୁର, ଦେଢଶୂଳୀ, ବାରବନ୍ଧା, ଡ଼ୁଡ଼ୁକାରଂଜା ଆଦି ଆଭ୍ୟନ୍ତରୀଣ ପଂଚାୟତ ଇଲାକା ଯାହାକି କନ୍ଧମାଳ, ବଉଦର ସୀମାନ୍ତରେ ରହିଥିବା ହେତୁ ଗତ କିଛି ବର୍ଷ ହେଲା ବିଭିନ୍ନ ସମୟରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ମଦଭାଟି ପୋଡ଼ି, ଗଛ କାଟି ରାସ୍ତା ଅବରୋଧ, ଠିକା କମ୍ପାନୀର ଗାଡ଼ି ପୋଡ଼ିବା ଆଦି କାର୍ଯ୍ୟକଳାପ ଜରିଆରେ ନିଜର ସ୍ଥିତିକୁ ଜାହିର କରିଆସୁଛନ୍ତି । ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନୀ ଉଷ୍ମତା ସେତିକି ବୃଦ୍ଧି ପାଉଥିବାବେଳେ ମାଓବାଦୀ ପୋଷ୍ଟର ପୋଲିସ ପ୍ରଶାସନ, ସାଧାରଣ ଜନତା, ଜିଲ୍ଲା ପ୍ରଶାସନ, ନେତା, ଦଳ ସମସ୍ତଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରିଛି ।