ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନବୋଦୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ବ୍ଲକ ସ୍ତରୀୟ “ଯୁବ ସମୃଦ୍ଧି ସମାବେଶ” କାର୍ଯ୍ୟକ୍ରମ। ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନର ଜେନେରାଲ ମ୍ୟାନେଜର ଦୀପକ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ଦକ୍ଷତା ବିକାଶ ଅଧିକାରୀ ପ୍ରୀୟା ବିନାୟକ, ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଶିବ ପ୍ରସାଦ ରଣା, ଭାରତୀୟ ଜନତା ପାର୍ଟିର ଜିଲ୍ଲା ଯୁବ ସମ୍ପାଦକ ଆଶୁତୋଷ ପାଢୀ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତିରେ ସରକାରଙ୍କ ସଫଳତା ବିଷୟରେ ବର୍ଣ୍ଣନା କରିବା ସହିତ ଯୁବକ ମାନଙ୍କୁ କିଭଳି ରୋଜଗାରକ୍ଷମ କରାଯାଇ ପାରୁଛି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।

ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ ଭବାନୀପାଟଣାର ଏଆଇଓ ବିଶ୍ୱଜିତ କଅଁର ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଶେଷ କରି ଜେନେରାଲ ମ୍ୟାନେଜର ଶ୍ରୀ ଅଗ୍ରୱାଲ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ଶିଳ୍ପ କ୍ଷେତ୍ରରେ ଶିକ୍ଷିତ ଯୁବ ବର୍ଗଙ୍କ ପାଇଁ ରହିଥିବା ବିଭିନ୍ନ ସ୍କିମ ଗୁଡିକ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସରକାରଙ୍କ ସ୍କିମ ଗୁଡିକ ମଧ୍ୟରୁ ପ୍ରଧାନ ମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ(ପିଏମଇଜିପି), ପ୍ରଧାନ ମନ୍ତ୍ରୀ ଖାଦ୍ୟ ପ୍ରକ୍ରୀୟା କରଣ(ପିଏମଏଫଏମଇ), ଓଡିଶା ସରକାରଙ୍କ ଏମଏସଏମଇ ପ୍ରୋତ୍ସାହନ ନିତ, ଓଡିଶା ଖାଦ୍ୟ ପ୍ରକ୍ରୀୟାକରଣ ନୀତି, ମୁଖ୍ୟମନ୍ତ୍ରୀ ଋଣ ଫେରସ୍ତି କରଣ ଯୋଜନା(ସିଏମ/ଏସଆରଆଇଏମ) ଗୁଡିକ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ।

ଏହି ଦୁଇ ବର୍ଷରେ ଯୁବପିଢି କେମିତି ରୋଜଗାରକ୍ଷମ ହୋଇପାରିଛନ୍ତି ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସେହିଭଳି ଦକ୍ଷତା ବିକାଶ ଓ ଏହି ମାଧ୍ୟମରେ ଯୁବ ବର୍ଗଙ୍କ ପାଇଁ ରହିଥିବା ଯୋଜନା ଗୁଡିକ ବିଷୟରେ ଦକ୍ଷତା ବିକାଶ ଅଧିକାରିଣୀ ପ୍ରିୟା ବିନାୟକ ଉପସ୍ଥିତ ଯୁବ ବର୍ଗଙ୍କୁ କହିଥିଲେ। ଆଉ ରାଜ୍ୟ ସରକାର ଏହି ଦୁଇ ବର୍ଷ ମଧ୍ୟରେ ଯୁବ ବର୍ଗଙ୍କୁ କେତେ ରୋଜଗାରକ୍ଷମ କରିଛନ୍ତି ସେ ବିଷୟରେ ବୁଝାଇଥିଲେ।

କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ, ଅଞ୍ଚଳର ଯୁବ ବର୍ଗ, ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ସମାବେଶ ହୋଇଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି , ଆଇସିଡିଏସ ତରଫରୁ ପୌଷ୍ଟିକ ଆହାର, ବିଦ୍ୟୁତ ବିଭାଗ ତରଫରୁ ଏଭଳି ଅନେକ ଷ୍ଟଲ ଗୁଡିକ ଲଗାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୧୬ ଜୁନ ରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରଶାସନ ଜନ ସଚେତନତା ସୃଷ୍ଟି କରୁଛନ୍ତି। ଏହି କ୍ରମରେ ପ୍ରଥମ ଦିନରେ ଜାତି, ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଦ୍ୱିତୀୟ ଦିନରେ କୃଷି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଯୁବ ସମୃଦ୍ଧି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିପିସି ଭୋଳାନାଥ ଦାସ, ବିଏସଏସଓ ପ୍ରଦୀପ ବେହେରା, ବିଏଲସି ସନତ କୁମାର ସାହୁ, ଆରଡବ୍ଲୁଏସଏସ କର୍ମଚାରୀ ସନତ କୁମାର ନାଏକ, ପ୍ରକାଶ ଚନ୍ଦ୍ର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଏଆଇଓ ଶ୍ରୀ କଅଁର ଧନ୍ୟବାଦ ଅର୍ପଣ କରିଥିଲେ।





