ପୋଲିସ ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ: ଗୁରୁତର ଆହତ ହୋଇ ମରଣ ସହ ଲଢ଼ୁଛନ୍ତି ସ୍ବାମୀ ଓ ଝିଅ

କ୍ଷତିପୂରଣ ଦାବୀରେ ଶବ ଧରି ଜାତୀୟ ରାଜପଥ ଅବରୋଧ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭୁର୍ଷାଗୁଡା ବିଜୁ ଏକ୍ସପ୍ରେସ ୱେ ରେ ବିବାହ ଦେଇଥିବା ନିଜ ଝିଅ ଘରକୁ ଯାଉଥିବା ବେଳେ ଘଟି ଯାଇଛି ଏକ ଦୁଃଖଦ ଘଟଣା।‌ ସୂଚନା ଯୋଗ୍ୟ ଯେ, ରଥ ଯାତ୍ରା ପାଇଁ ପିଠାପଣା ଧରି ନିଜ ବିବାହ ଦେଇଥିବା ଝିଅ ଘରକୁ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁରୁ କୃଷ୍ଣଚନ୍ଦ୍ର ମାଝୀ(୪୫), ସ୍ତ୍ରୀ କିଆ ମାଝୀ(୪୧) ଓ ଝିଅ ନମିତା ମାଝୀ(୧୧) ଏକ ବାଇକରେ ଯାଉଥିଲେ। ହେଲେ ଝିଅ ଘରକୁ ଅଳ୍ପ ରାସ୍ତା ରହିଥିବା ବେଳେ ଭୁର୍ଷାଗୁଡା ପହଞ୍ଚିବା ପୂର୍ବରୁ ଘଟି ଯାଇଛି ଏମିତି ଦୁର୍ଘଟଣା। ପୋଲିସ ଗାଡ଼ିରେ ମହିଳାଙ୍କ ଜୀବନ ଚାଲି ଯାଇଥିବା ବେଳେ ସ୍ୱାମୀ ଓ ୧୧ ବର୍ଷର ଝିଅ ମରଣ ସହ ଲଢୁଛନ୍ତି। ଗୋତୋମୁଣ୍ଡାରୁ ଆଇ ଆର ବି ଯବାନଙ୍କୁ ରଥଯାତ୍ରା ଡ୍ୟୁଟିରେ ଛାଡି ବିପରୀତ ଦିଗରୁ ଆସୁଥିବା ଆମପାଣି ପୋଲିସ ଗାଡି ଦ୍ରୁତ ଗତିରେ ବାଇକକୁ ମୁହାଁମୁହିଁ ଧକ୍କା ଦେବାରୁ ବାଇକରୁ ଛିଟିକି ପଡି ରାସ୍ତାରେ ପଡ଼ିଯାଇଥିଲେ ୩ ଜଣ।ଦୁର୍ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ହୋଇଥିବା ୩ ଜଣଙ୍କୁ ପୋଲିସ ଗାଡିରେ କୋକସରା ହସ୍ପିଟାଲରେ ଭର୍ତ୍ତି କରି ପୋଲିସ ଗାଡି ଛୁ ମାରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ପରେ ଖବର ପାଇ ପରିବାର ବର୍ଗ କୋକସରା ହସ୍ପିଟାଲରେ ପହଞ୍ଚିବା ପରେ ପୋଲିସ ଉପସ୍ଥିତିରେ ଗୁରୁତର ବାପା ଓ ଝିଅକୁ ଆମ୍ବୁଲାନ୍ସରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହସ୍ପିଟାଲ ପରିସରରେ ମୃତକ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଓ ଗ୍ରାମବାସୀମାନେ ଶବକୁ ନେଇ ଆମପାଣି ଥାନା ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ପୋଲିସ ଡ୍ରାଇଭରକୁ ଗିରଫ ସହ ୧୦ ଲକ୍ଷ କ୍ଷତିପୂରଣ ସହ ଦୁର୍ଘଟଣାରେ ଗୁରୁତର ବାପା, ଝିଅ ର ସମସ୍ତ ଚିକିତ୍ସା ଖର୍ଚ୍ଚ ପୋଲିସ ବିଭାଗ ବହନ କରିବା ପାଇଁ ଦାବିରେ ସନ୍ଧ୍ୟା ୬ ଘଣ୍ଟାରୁ ଧାରଣାରେ ବସି ରହିଥିଲେ। ଘଟଣାସ୍ଥଳରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ସମେତ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଧାରଣାରେ ବସିଥିବା ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.