ରୁପ୍ରାରୋଡର ବସ୍ତି ରାସ୍ତା ଅବସ୍ଥା ଶୋଚନୀୟ: ଭାଙ୍ଗୁନାହିଁ ପିଡବ୍ଲୁଡି ବିଭାଗର ନିଦ

ଖଳାଖମା ଓ କାଦୁଅ ପାଣି ପଚପଚ ଯୋଗୁଁ ରଥଯାତ୍ରାରେ ସମସ୍ୟା ସୃଷ୍ଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ହେଉଛି ରୁପ୍ରାରୋଡ । ପ୍ରତ୍ୟହ ଶହ ଶହ ଗାଡି ମୋଟର ଯାଉଛି ବସ୍ତି ରାସ୍ତା ଦେଇ । ହେଲେ ବସ୍ତି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବିଶେଷ କରି ଏହି ରାସ୍ତାରେ ରୁପ୍ରା ରୋଡ଼ ରଥଯାତ୍ରା ହେଉଥିବାରୁ ରଥଟଣା ଓ ଶ୍ରଦ୍ଧାଳୁ ଭକ୍ତ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦୃଶ୍ୟମାନ ହେଉଛି । ଅଳ୍ପ ବର୍ଷା ହେଲେ ଏହି ରାସ୍ତାର ଅନେକ ସ୍ଥାନ କୃତ୍ରିମ ଜଳାଶୟ ପାଳଟୁଛି । ନର୍ଲା ଚାରିଛକରୁ ପଲମ ପର୍ଯ୍ୟନ୍ତ ଯାଇଥିବା ପିଡବ୍ଳୁଡି ରାସ୍ତାର ମଝିରେ ପଡେ ରୁପ୍ରାରୋଡ ବସ୍ତି । ତେବେ ବସ୍ତି ମଝିରେ ପିଚୁ ନହୋଇ ନିର୍ମିତ ହୋଇଛି ୫୦୦ ମିଟର କଂକ୍ରିଟ ରାସ୍ତା । ଅନେକ ବର୍ଷ ହେଲା ଏହି ରାସ୍ତା ନିର୍ମାଣ ହୋଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ମରଣଯନ୍ତା ପାଲଟିଛି । କଂକ୍ରିଟ ରାସ୍ତାର ଅଧିକାଂଶ ସ୍ଥାନ ଫାଟି ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଏଥିରେ ବ୍ୟବହୃତ ଲୁହାରଡ ଉପରକୁ ବାହାରିବାର ଦେଖାଦେଲାଣି । ଯାହାକି ଅଧିକାଂଶ ସମୟରେ ସାଇକେଲ, ମଟରସାଇକେଲ ଷ୍ଟାଣ୍ଡ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପଥଚାରୀମାନେ ମଧ୍ୟ ଝୁଣ୍ଟି ପଡି ଖଣ୍ଡିଆ ଖାବରା ହେଉଛନ୍ତି । ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଡ୍ରେନ ମୁକୁଳା ପଡିଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି । କିଛି ମାସ ପୁର୍ବରୁ ପିଡବ୍ଳୁଡି ଜେଇ ସୁଶାନ୍ତ ମଡ଼େଇ ଏହି ରାସ୍ତାର ପ୍ରଶସ୍ତିକରଣ ଓ ନବୀକରଣ ପାଇଁ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ସହାୟତାରେ ଏନକ୍ଳୋଜମେଣ୍ଟ ପ୍ରକିୟା ଶେଷ କରି ଥିଲେ । ଜନସାଧାରଣ କଂକ୍ରୀଟ ବଦଳରେ ନୂତନ ପିଚୁ ରାସ୍ତା ପାଇବେ ବୋଲି ପିଡବ୍ଲୁଡି ବିଭାଗ ଆଶା ଦେଖାଇଥିଲା । ତେବେ ଦିର୍ଘ ସମୟ ବିତିଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ଏହାକୁ ନେଇ କିଛି ମାସ ପୂର୍ବେ ପିଡବ୍ଳୁଡି ଜେଇ ଶ୍ରୀ ମଡ଼େଇଙ୍କୁ ପଚାରିବାରୁ ବର୍ତ୍ତମାନ କରୋନା ପାଇଁ ବଜେଟ ନାହିଁ ବୋଲି କହିଥିଲେ । ବର୍ତମାନ ଏହି ରାସ୍ତା ଉପରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ରୁପ୍ରାରୋଡ ବସ୍ତି ସହ ଜଡ଼ିତ ଭିମକେଲା, ପଲସାପଡା, ବରଗାଁ, ବିଲାଟ, ବୋରିଂଗପଦର, ଲାଖଗୁଡା, ବଲବସପୁର, ଛତାମହୁଲ, ଲାଖପଦର, ମୁରସିଙ୍ଗ, ସୁରପଦର, ଡମସିଲାଟ, ଶବରପଡା, ସରିଆଁ ପଞ୍ଚାୟତ, ରାକ୍ସି ପଞ୍ଚାୟତ, ଭୀମକେଲା ପଞ୍ଚାୟତର ଜନସାଧାରଣ ଓ ଚାଷି ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ଅଧିକାଂଶ ସମୟରେ ଏହି ରାସ୍ତା ଦେଇ ରୋଗୀମାନେ ନର୍ଲା, କେସିଙ୍ଗା, ଭବାନୀପାଟଣା ଯିବା ଆସିବା କରିଥାନ୍ତି । ତେବେ ରୁପ୍ରାରୋଡ ବସ୍ତି ଭିତରର ରାସ୍ତା କଦର୍ଯ୍ୟ ତଥା ସଂକିର୍ଣ୍ଣ ହୋଇଥିବାରୁ ଆମ୍ବୁଲାନ୍ସ ତଥା ଅନ୍ୟାନ୍ୟ ଜରୁରୀ ଯାନବାହାନ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୁପ୍ରାରୋଡ଼ର ବହୁ ପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ରାସ୍ତାଟି ବଡଦାଣ୍ଡ ଭାବରେ ବ୍ୟବହୃତ ହୋଇ ରଥ ଟଣା ଯାଉଥିବା ବେଳେ ଖଳାଖମାରରେ ଭର୍ତ୍ତି ରାସ୍ତା ଯୋଗୁଁ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାଟିର ଶୀଘ୍ର ମରାମତି ଓ ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.