ଅଗଷ୍ଟ ୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ପୋଷାକ ଓ ଜୋତା ଯୋଗାଇ ଦିଆଯାଉଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହା ଯୋଗାଇ ଦିଆଯାଇଥାଏ। ଏଥିସହିତ ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ଏସ୍‌ସି ଓ ଏସ୍‌ଟି ବିଭାଗ ଅଧୀନ ସ୍କୁଲଗୁଡିକର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ବଣ୍ଟାଯାଇଥାଏ। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୪୦୦ ଟଙ୍କାରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ଏଥିସହିତ ଚଳିତ ବର୍ଷ ପୋଷାକର ରଙ୍ଗ ଓ ପରିପାଟିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମସ୍ତ ଛାତ୍ରଙ୍କ ଲାଗି ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ ଯୋଗାଇ ଦିଆଯିବ। ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ ଓ ଷଷ୍ଠରୁ ୮ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ କମିଜ୍‌ ଓ ଧଳା ସାଲଓ୍ୱାର ଦିଆଯିବ। ଛାତ୍ରଛାତ୍ରୀଙ୍କୁ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ମୋଜା ବଣ୍ଟନ କରାଯିବ। ଅଗଷ୍ଟ ୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମାଗଣା ପୋଷାକ ଆଉ ଜୋତା ବଣ୍ଟନ କରାଯିବ ବୋଲି ଜଣାପଡିଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.