ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ନାମରେ ମୋହର
ଦେଶକୁ ମିଳିଲା ନୂଆ ରାଷ୍ଟ୍ରପତି
ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ/ ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡିଆ ଝିଅ ମହାମହିମ ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୪୪ଟି ଦଳ ସମର୍ଥନ କରିଥିବାବେଳେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୩୪ଟି ଦଳର ସମର୍ଥନ ମିଳିଥିଲା। ଆଜି ଦିନ ୧୧ଟାରୁ ମତ ଗଣନା ହୋଇଥିଲା। ତୃତୀୟ ପର୍ଯ୍ୟାୟ ଭୋଟ ଗଣନା ପରେ ଜିତିଲେ ଶ୍ରୀମତୀ ମୁର୍ମୁ। ମହାମହିମ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫,୭୭,୭୭୭ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ,ଦେଶର ୧୫ତମ ରାଷ୍ଟ୍ରପତି ପଦବୀ ଲାଗି ଗତ ଜୁଲାଇ ୧୮ରେ ଭୋଟ ଗ୍ରହଣ ହୋଇଥିଲା। ଏନଡିଏରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀ ଦଳରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଥିଲେ। ରାଷ୍ଟ୍ରପତି ନିର୍ବାଚନ ଲାଗି ସବୁ ରାଜ୍ୟର ବିଧାନସଭା ଓ ନୂଆଦିଲ୍ଲୀର ସଂସଦରେ ଭୋଟ ଗ୍ରହଣ ହୋଇଥିଲା। ବିଧାୟକମାନେ ନିଜ ରାଜ୍ୟର ବିଧାନସଭାରେ ଭବନରେ ଭୋଟ ଦେଇଥିବାବେଳେ ସାଂସଦମାନେ ସଂସଦ ଭବନରେ ଭୋଟ ଦେଇଥିଲେ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ହୋଇଥିବାରୁ ରାଜ୍ୟବାସୀ ଉତ୍କଣ୍ଠାର ସହ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚାହିଁ ରହିଥିଲେ। ମହାମହିମ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି, ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ତଥା ଦେଶର ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ସୈ।ଭାଗ୍ୟ ଲାଭ କରିଛନ୍ତି। ସେ ଦେଶର ପ୍ରଥମ ନାଗରିକ ଭାବେ ନିର୍ବାଚିତ ହୋଇଥିବାରୁ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି। ଆସନ୍ତା ଜୁଲାଇ ୨୫ ତାରିଖରେ ସେ ସପଥ ଗ୍ରହଣ କରିବେ।