ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ଵର ସର୍ବବୃହତ ଶକ୍ତିଶାଳୀ ଗଣତନ୍ତ୍ର ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସେ ସ୍ବାଧୀନ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ତଥା ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ବିପୁଳ ବିଜୟ ପରେ ସମଗ୍ର ଭାରତବର୍ଷରେ ଖୁସିର ଲହରୀ ଖେଳି ଯାଇଛି। ବିଶେଷତଃ ତାଙ୍କର ଜନ୍ମମାଟି ଓଡିଶା ପାଇଁ ଏହା ଏକ ଐତିହାସିକ ଦିନ। ମହାମହିମ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବା ସମସ୍ତ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଶ୍ରୀମତି ମୁର୍ମୁଙ୍କ ବିଜୟ ପରେ ନର୍ଲା ବିଜେପି ପକ୍ଷରୁ ମହାବିଜୟର ମହାଉତ୍ସବ ପାଳନ କରାଯାଇଅଛି। ନର୍ଲା ମାର୍କେଟ କମ୍ପ୍ଲେକ୍ସ ଠାରେ ଗୁରୁବାର ରାତିରେ ବିଜେପି କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଏକତ୍ରିତ ହୋଇ ଆତସବାଜି ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନକରି ବିଜୟ ଉତ୍ସବ ପାଳନ କରିଥିଲେ। କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନ୍ମୟ ଚାନ୍ଦ (ଜିତୁ), ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ନର୍ଲା ମଣ୍ଡଳ ବିଜେପି ସଭାପତି ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଆଶୁତୋଷ ପାଢ଼ୀ, ଲକ୍ଷ୍ମଣ ଦୀପ, ମୃଗରାଜ ନାଏକ, ଦଶରଥ ସାହୁ, ଅଭୟ ନାଏକଙ୍କ ସମେତ ନର୍ଲା ବିଜେପିର ଅନେକ ସଦସ୍ୟ ଏଥିରେ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଝିଅ ତଥା ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରି ବିଜୟୀ କରାଇଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଛି ନର୍ଲା ବିଜେପି। ଏହା ଏକ ମହାବିଜୟ ଏବଂ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଦଳ ପକ୍ଷରୁ ମତ ପ୍ରକାଶ ପାଇଛି। ଏହି ଅବସରରେ ବିଜେପି କର୍ମୀମାନେ ନର୍ଲା ବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଥିଲେ।