କାଶିପୁର ବ୍ଳକରେ ହଇଜା ପ୍ରସଙ୍ଗ: ବିଧାୟକ ମକରନ୍ଦ ମୁଦୁଲିଙ୍କ ଚିନ୍ତା, ସ୍ଥାୟୀ ନିରାକରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଡାକ୍ତର ପଦବୀ ପୂରଣ ସହ ଆରଏମଆରସି କେନ୍ଦ୍ର ପୁନଃ ଆରମ୍ଭ ପାଇଁ ଅନୁରୋଧ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ହଇଜା ଭଳି ମହାମାରୀକୁ ନେଇ ସାରା ବିଶ୍ୱ ଦରବାରରେ ଚର୍ଚ୍ଚିତ ରାୟଗଡା ଜିଲ୍ଳାର କାଶିପୁର ବ୍ଳକ । ଏଠାକୁ ବର୍ଷ ବର୍ଷ ବ୍ୟବଧାନରେ ଫେରୁଛି ହଇଜା ଭଳି ମହାମାରୀ ରୋଗ । ଆଉ ଏଥିରେ ଆକ୍ରାନ୍ତ ହୋଇ ଆଖି ବୁଜୁଛନ୍ତି ନିରୀହ ଲୋକେ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଗରୀବ କଲ୍ୟାଣ ଯୋଜନାଗୁଡିକ ଏହି ବ୍ଳକରେ ଅନେକାଂଶରେ ଝୁଂଟିପଡୁଛି । ଗରୀବ ଲୋକଙ୍କ ଘର ଯାଏଁ ପଂହଚିପାରୁନି ସରକାରଙ୍କ ଯୋଜନା । ହଇଜା ଭଳି ମହାମାରୀ ରୋଗରେ ଲୋକେ ଅକାଳରେ ଜୀବନ ହାରୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିବେଦନ ସହ ଚିଠି ଲେଖିଛନ୍ତି ରାୟଗଡା ନିର୍ବାଚନ ମଣ୍ଡଳୀ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । ବର୍ତମାନ କାଶିପୁର ବ୍ଳକର ଟିକିରି ସମେତ ଅନେକ ଗ୍ରାମକୁ ଏହି ହଇଜା ରୋଗ ବ୍ୟାପୁଥିବାରୁ ଯଥାଶୀଘ୍ର ଅଧିକ ପଦକ୍ଷେପ ଗ୍ରହଣ କରି ହଇଜାକୁ ନିୟନ୍ତ୍ରଣରେ ଆଣିବା ସହ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ମୁଦୁଲି ଉଲ୍ଳେଖ କରିଛନ୍ତି । ୨୦୦୭ ମସିହାରେ କାଶିପୁର ବ୍ଳକରେ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ମାସ ଲାଗିଥିଲା ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏବଂ ୨୦୧୦ ମସିହାରେ ପୁଣି ଥରେ ବ୍ଳକକୁ ହଇଜା ଫେରିବା ଯୋଗୁଁ ୩୦ଲୋକ ଜୀବନ ହାରିଥିଲେ । ସେହିପରି ୨୦୧୪ମସିହାରେ ମଧ୍ୟ ୩ଜଣ ହଇଜାରେ ମୃତ୍ୟୁବରଣ କରିଥିବା ବେଳେ ଚଳିତ ବର୍ଷ ୮ଜଣଙ୍କ ମୃତ୍ୟୁ ସହ ୧୦୦ରୁ ଉର୍ଦ୍ଧ ଲୋକେ ଏଥିରେ ଆକ୍ରାନ୍ତ ହୋଇ ଚିିକିତ୍ସାଧୀନ ରହିଛନ୍ତି ।

ଆରଏମଆରସି ରିପୋର୍ଟ ପ୍ରକାରେ ଏହା ଭିିବ୍ରିଓ କଲେରା ବୋଲି ଚିହ୍ନଟ ହୋଇଛି ଯାହା କି ଅତ୍ୟଧିକ ମାରତ୍ମକ । ଅପରପକ୍ଷେ ଅଂଚଳର ଜଳ ଦୂଷିତ ହେବା ଦ୍ୱାରା ଏଥିରେ ହଇଜା ବ୍ୟାପିଛି ବୋଲି ଜଣାପଡିଥିବା ବେଳେ ପୂର୍ବରୁ କୈାଣସି ମେଡିକଲ ସୁବିଧା କରାଯାଇ ନ ଥିବାରୁ ଏବେ ଏହା ଧୀରେ ଧୀରେ କାଶିପୁର ବ୍ଳକର ବିଭିନ୍ନ ଅଂଚଳକୁ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ରାଜ୍ୟ ବିକାଶ କ୍ଷେତ୍ରରେ ଆଗକୁ ବଢୁଥିବା ବେଳେ କାଶିପୁର ବ୍ଳକରେ ମଧ୍ୟ ଶିଳ୍ପାନୁଷ୍ଠାନଗୁଡିକ ଗଢି ଉଠିଛି । ଉତ୍କଳ ଆଲୁମିନା ଭଳି ଏକ ବୃହତ ଶିଳ୍ପାନୁଷ୍ଠାନ ଥାଇ ମଧ୍ୟ ଏଠାକାର ଲୋକେ ନିଜ ମୈାଳିକ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି । ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ, ସୁଷମ ଖାଦ୍ୟ ତଥା ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନ ଥିବା ବିଧାୟକ ଶ୍ରୀ ମୁଦୁଲି ଉଲ୍ଳେଖ କରିଛନ୍ତି ।

ପ୍ରକୃତରେ ଉପଯୁକ୍ତ ସଚେତନତା କାର୍ଯ୍ୟକ୍ରମ, ପରିମଳ ବ୍ୟବସ୍ଥାରେ ସୁଧାର ଜିଲ୍ଳା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ପକ୍ଷରୁ ଗ୍ରହଣ କରାଯାଇ ନ ଥିବାରୁ ଏଭଳି ମହାମାରୀ ହଇଜା କାଶିପୁର ବ୍ଳକରେ ନିଜର କାୟା ବିସ୍ତାର କରି ଚାଲିଛି । ଆରଏମଆରସିର ଏକ କେନ୍ଦ୍ର ରାୟଗଡାରେ ଗତ ୨୦୧୦ରୁ ୨୦୧୬ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥିଲା । ଯେଉଁଥିରେ ହଇଜା ଭୂତାଣୁକୁ ସହଜରେ ଚିହ୍ନଟ କରାଯାଇ ଏହାକୁ ଦମନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିଲା । କିନ୍ତୁ ପରିତାପର ବିଷୟ ଏହି କେନ୍ଦ୍ରକୁ ମଧ୍ୟ ଜିଲ୍ଳା ପ୍ରଶାସନ ଦୂରଦୃଷ୍ଟି ଅଭାବରୁ ବନ୍ଦ କରି ଦେଲେ । ଅନୁରୂପ ଭାବେ ଜିଲ୍ଳାରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ଅଖାଦ୍ୟ ଖାଇବାକୁ ପଡୁଛି । କୈାଣସି ପ୍ରକାର ଖାଦ୍ୟ ନମୂନା ପରୀକ୍ଷା କରାଯାଉ ନାହିଁ ଏବଂ ହୋଟେଲ,ଷ୍ଟଲଗୁଡିକରେ ଚଢାଉ ମଧ୍ୟ କରାଯାଉ ନ ଥିବାରୁ ଆଗାମୀ ଦିନରେ ଜିଲ୍ଳାରେ ପୁଣି ଏକ ଦୂଷିତ ଖାଦ୍ୟର ମହାମାରୀ ଭଳି ରୋଗ ଦେଖାଦେବ ବୋଲି ବିଧାୟକ ଶ୍ରୀ ମୁଦୁଲି ଉଲ୍ଳେଖ କରିଛନ୍ତି ।

ଅପରପକ୍ଷେ କାଶିପୁର ବ୍ଳକର ସିଏଚସି ଓ ପିଏଚସିରେ ମଂଜୁରୀ ପଦବୀ ଠାରୁ ବହୁତ କମ ନିଯୁକ୍ତି ରହିଛି । କାଶିପୁର ସିଏଚସିରେ ୧୭ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୪ଜଣ ଡାକ୍ତର ରହିଛନ୍ତି । ଏହିଭଳି ଅନେକ ସମସ୍ୟା କାଶିପୁର ବ୍ଳକରେ ରହିଥିବା ବେଳେ ବର୍ତମାନ ହଇଜାକୁ ନିୟନ୍ତ୍ରଣରେ ଆଣିବା ପାଇଁ ଆବଶ୍ୟକୀୟ ଡାକ୍ତରୀ ଓ ପାରାମେଡିକଲ ଷ୍ଟାଫ ପଦବୀ ପୂରଣ ସହ ରାଜ୍ୟସ୍ତରୀୟ ଏକ ଡାକ୍ତରୀ ଟିମକୁ କାଶିପୁର ଗସ୍ତ କରିବାର ନିର୍ଦ୍ଦେଶ ଦେଇ ହଇଜା ବ୍ୟାପିବାର ମୂଳ କାରଣ ଖୋଜି ବାହାର କରିବାକୁ ଏବଂ ରାୟଗଡା ଠାରେ ଆରଏମଆରସିର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ବିଧାୟକ ମକରନ୍ଦ ମୁଦୁଲି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.