ଆଇନ୍ ପଢା ସରି ଗାଁକୁ ଆସି ଜବରଦସ୍ତ ତିଆରି କରିଥଲେ ଫେରି ଘାଟ
ଗାଁ ରାସ୍ତା ପାଇଁ ଦାନ କରିଥିଲେ ଏକ ଏକର ଜମି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ପଞ୍ଚାୟତ ରାହୁଲ ନଦୀ ପରେ ଥିବା ବୋରିଘାଟ ଗ୍ରାମର ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଘାସିରାମ ବିଶ୍ବାଳଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଶ୍ରୀ ବିଶ୍ବାଳଙ୍କ ଆବର୍ତ୍ତମାନରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ୧୯୪୬ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଜନ୍ମିତ ସ୍ବର୍ଗତ ଘାସିରାମ ମ. ରାମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ପରେ କଳାହାଣ୍ଡି କଲେଜରେ ୧୯୭୧ ବିଏସସିରେ ଗ୍ରଜୁଏଟ ହେବା ପରେ ସମ୍ବଲପୁର ଲ କଲେଜରେ ଆଇନ୍ ପଢା ସାରିଥିଲେ। ଆଇନ୍ ପଢା ସାରି ଗାଆଁକୁ ଫେରିବା ପରେ ନଦୀ ଆରପଟେ ନିଜ ଗାଁ ଥିବାରୁ ଜୋର୍ ଜବରଦସ୍ତ ଫେରି ଘାଟ (ଡଙ୍ଗା ଘାଟ) ଆରମ୍ଭ କରିଥଲେ। ପରେ ଏହି ଘାଟକୁ ସ୍ଵୀକୃତି ମିଳିଥିଲା। ଯାହାର ଫଳସ୍ୱରୂପ ଗତ କିଛି ବର୍ଷ ତଳେ ମଦନପୁରରୁ ବୋରି ଘାଟ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାହୁଲ୍ ନଦୀରେ ସେତୁ ନିର୍ମାଣ ହେଇ ପାରିଲା। ସେ ଗାଆଁକୁ ରାସ୍ତା ପାଇଁ ନିଜର ପ୍ରାୟ ଏକ ଏକର ଜମି ଦାନ କରିଥିଲେ, ଯାହା ଫଳରେ ରାସ୍ତା ତିଆରି ହେଇ ପାରିଲା। ଅଞ୍ଚଳର ବିକାଶ ପାଇଁ ସବୁବେଳେ ସେ ସମର୍ପିତ ରହିଥିଲେ। ଆଇନ୍ ପଢା ପରେ କଳାହାଣ୍ଡି ବାର୍ ଓ ପରେ ମ. ରାମପୁର ବାର୍ ରେ ନିଜର ଓକିଲାତି କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଶିକ୍ଷକ ଅଶୋକ ବିଶ୍ବାଳ ଓ ସାନ ପୁଅ ଆଇନଜିବୀ ଅଜିତ ବିଶ୍ବାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଗାଁ ଶଶ୍ମାନରେ ତାଙ୍କରି ଶବ ସତ୍କାର କରା ଯାଇଥିଲା। ତାଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।