ଦିବଂଗତ ଶିକ୍ଷକ ବଳରାମ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ବରିଷ୍ଠ ଶିକ୍ଷକ ତଥା ସଂଘର ସଦସ୍ୟ ସ୍ୱର୍ଗତ ବଳରାମ ମିଶ୍ରଙ୍କ ଦ୍ୱାଦଶାହରେ ବୁଧବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ବୃନ୍ଦ ସ୍ୱର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ଧୂପ, ଦୀପ ଦେଇ ପୁଷ୍ପାଞ୍ଜଳି ପ୍ରଦାନ ପରେ ଉପସ୍ଥିତ ସମସ୍ତ ବ୍ୟକ୍ତି ପୁଷ୍ପାଞ୍ଜଳି ଦେଇଥିଲେ । ଏହାପରେ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅବସରପ୍ରାପ୍ତ ଜେଲର୍ ଶିବଦାସ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ଉପଦେଷ୍ଟା ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ଚାନ୍ଦ, ବିଷ୍ଣୁ ଗହିର, ବଦ୍ରୀପ୍ରସାଦ ମିଶ୍ର, ଅବସରପ୍ରାପ୍ତ ବିଚାରପତି ବିମଳଚନ୍ଦ୍ର ଚାନ୍ଦ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ସେ ଜଣେ ମେଳାପି, ମିଷ୍ଟଭାଷୀ, କର୍ମଠ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ନର୍ଲାରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏହା ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ କ୍ଷୀରସିନ୍ଧୁ ସାହୁ, ସାରଥି ନାୟକ, ଗଙ୍ଗାଧର ଷଢଙ୍ଗୀ, ଯୋଗେଶ ଚାନ୍ଦ, କଲ୍ୟାଣ ସାହୁ, ଲକ୍ଷ୍ମଣ ବାଗ, ମନ୍ମୟ ଚାନ୍ଦ, ରଞ୍ଜନ ଚାନ୍ଦ, ଜଗୁଲାଲ ଭୋଇ, ଅରୁଣ ପ୍ରଧାନୀ, ଶ୍ୟାମସୁନ୍ଦର ଶର୍ମାଙ୍କ ସମେତ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଶତାଧିକ ବ୍ୟକ୍ତି, ନର୍ଲା ଚାନ୍ଦ ପରିବାରର ସଦସ୍ୟ, ମିଶ୍ର ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.