ନର୍ଲାରେ ସବ ରେଜିଷ୍ଟ୍ରାର ଅଫିସ ଓ ଜେଏମଏଫସି କୋର୍ଟ ପାଇଁ ପ୍ରକ୍ରିୟା ଆରମ୍ଭ, ଅଞ୍ଚଳରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ସବ ରେଜିଷ୍ଟ୍ରାର ଅଫିସ ଓ ଜେଏମଏଫସି କୋର୍ଟ ସ୍ଥାପନ ନେଇ ଆଶା ଉଜ୍ଜଳ ହୋଇଛି। ନର୍ଲାରେ ତହସିଲ ଅଫିସ ସ୍ଥାପିତ ହୋଇ ଦୀର୍ଘ ୧୫ ବର୍ଷ ହୋଇ ସାରିଥିବା ବେଳେ ଜମି ଜମା ସଂକ୍ରାନ୍ତୀୟ ରେଜିଷ୍ଟ୍ରେସନ ପାଇଁ ସ୍ଥାନୀୟ ଲୋକେ ମ. ରାମପୁର ଯାଉଥିଲେ। ଦୀର୍ଘ ଦିନରୁ ନର୍ଲାରେ ସବ ରେଜିଷ୍ଟ୍ରାର ଅଫିସ ଖୋଲିବା ପାଇଁ ଦାବୀ ହୋଇ ଆସୁଥିଲା। ଏବେ ନର୍ଲାରେ ସବ ରେଜିଷ୍ଟାର ଅଫିସ ଖୋଲିବା ନେଇ ଜିଲ୍ଲା ରେଜିଷ୍ଟ୍ରାର ଅଫିସରୁ ଏକ ଚିଠି ଆସିଥିବା ଜଣାପଡିଛି। ସେହିଭଳି ନର୍ଲାରେ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଦାବୀ ହୋଇ ଆସୁଥିଲା। ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱୀକୃତି ମିଳିଥିବା ଜଣାପଡିଛି। ଏହା ଏବେ ଅସ୍ଥାୟୀ ଭାବରେ ନର୍ଲା ନୋଡାଲ ୟୁପି ସ୍କୁଲ ରେ ଚାଲିବ। ପରେ ସ୍ଥାୟୀ ଭବନ ନିର୍ମାଣ ହୋଇ ଏହା ସ୍ଥାନାନ୍ତର ହେବ ବୋଲି ଜଣାପଡିଛି। ଏହି ଖବର ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲାରେ ଜେଏମଏଫସି ଭବନ ନିର୍ମାଣ ପାଇଁ ନର୍ଲା ତହସିଲଦାର ଚପଟଖଣ୍ଡା ଅଞ୍ଚଳରେ ଜାଗା ଚିହ୍ନଟ କରିଥିବା ଜଣାପଡିଛି। ତେବେ ଏହି ସ୍ଥାନ ନର୍ଲାରୁ ଚାରି କି.ମି. ଦୂରରେ ରହିଛି। ସେଠାରେ କୋର୍ଟ ସ୍ଥାପନ ହେଲେ ସାଧାରଣ ଲୋକେ ଯିବା ଆସିବାରେ ଅନେକ ହଇରାଣ ହରକତ ହେବାର ସମ୍ଭାବନା ରହୁଥିବାରୁ ଚପଟଖଣ୍ଡାରେ କୋର୍ଟ ଭବନ ନିର୍ମାଣକୁ ବିରୋଧ କରାଯିବା ସହ ତହସିଲ ଅଫିସ ସମ୍ମୁଖରେ କୋର୍ଟ ସ୍ଥାପନ କରାଯାଉ ବୋଲି ଜନସାଧାରଣ ଦାବୀ କରୁଥିବା ଜଣାପଡିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ତହସିଲ କାର୍ଯ୍ୟାଳୟ ସାମ୍ନା ପ୍ଲଟକୁ ଯିବାପାଇଁ ରାସ୍ତା ନଥିବାରୁ ନର୍ଲା ଓକିଲ ସଂଘ ୨୬ ଡେସିମିଲ ଜମି ଆଣି ସରକାରଙ୍କୁ ଦେଇଛନ୍ତି। ଏହି ଜମି ପାଇଁ ନର୍ଲା ଓକିଲ ସଂଘକୁ ଅନେକ କଷ୍ଟ କରିବାକୁ ପଡିଥିଲା। ତେବେ ସରକାରଙ୍କୁ ଜମିଦାନ ପରେ ଏହି ସ୍ଥାନରେ କୋର୍ଟ ସ୍ଥାପନ ନହୋଇ ଅନ୍ୟ ସ୍ଥାନରେ ହେବାକୁ ଯାଉଥିବାରୁ ସାଧାରଣରେ ତୀବ୍ର ସମାଲୋଚନା କରୁଥିବା ଦେଖାଯାଇଛି। ତେଣୁ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ତହସିଲ ଅଫିସ ସମ୍ମୁଖରେ ଜେଏମଏଫସି କୋର୍ଟ ସ୍ଥାପନ କରିବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.