କେସିଙ୍ଗା ଏନ୍ଏସି ଦ୍ବାରା ହେଉଥିବା ଉନ୍ନୟନ ମୂଳକ କାମ ନିମ୍ନମାନର !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରର ବିଭିନ୍ନ ଓ୍ବାର୍ଡରେ କୋଟି କୋଟି ଟଙ୍କା ଅନୁଦାନ ରେ ଅନେକ ପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ହେଲେ ପ୍ରଶାସନିକ ଅଧିକାରୀଙ୍କ ତଦାରଖର ଅଭାବ ଯୋଗୁଁ କାମ ଗୁଡିକ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଯାହା ଫଳରେ କାମର ସ୍ଥାୟୀତ୍ବ ରହୁନଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଟେଣ୍ଡର ଜରିଆରେ ଠିକାଦାରଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାମ କରାଯାଉଛି । କାମର ତଦାରଖ କରିବା ଦାୟିତ୍ଵରେ ରହୁଥିବା କର୍ମଚାରୀ ମାନଙ୍କ ଅବହେଳା ମଧ୍ୟ ରହୁଥିବା ଅଭିଯୋଗ ହେଉଛି । ଯାହାକି ନିୟମ ହିସାବରେ ପ୍ରକଳ୍ପର ପ୍ଲାନ୍ ଏଷ୍ଟିମେଟ ଯାହା ରହୁଛି ସେହି ହିସାବରେ କାମ ହେଉନଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେସିଙ୍ଗା ସ୍ଥିତ ମିନି ଷ୍ଟାଡିୟମର ଉନ୍ନୟନମୂଳକ କାମରେ । କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମିନି ଷ୍ଟାଡିୟମ ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ କରାଯାଇଥିବା ପେଭର ରାସ୍ତା ସହିତ ଡ୍ରେନ ଏବଂ କଭର ସ୍ଲାବ୍ ବିଛାଇବା କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଯାହାକି କାମ ହେବାର କମ୍ ଦିନ ଭିତରେ ମାଟି ଦବି ପେଭର ବ୍ଲକ ଗୁଡିକ ଉଠି ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ଭଳି ଆହୁରି ଅନେକ ଉନ୍ନତି ମୂଳକ କାମରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏନେଇ କେସିଙ୍ଗା ଏନ୍ଏସି ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଫଗୁ ମାରାଣ୍ଡିଙ୍କୁ ପଚାରିବାରୁ ମିନି ଷ୍ଟାଡିୟମ ରେ ହୋଇଥିବା କାମର ଫାଇନାଲ ବିଲ୍ ହୋଇ ନାହିଁ ବୋଲି କହିବା ସହ ମରାମତି କାମ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.