ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ପ୍ରକୃତରେ ଏହି ପ୍ରକଳ୍ପରୁ କେତେ ସୁଫଳ ଲୋକଙ୍କୁ ମିଳୁଛି ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗ୍ରାମାଂଚଳରେ ଏକ ଲକ୍ଷ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ ଭାବରେ ଲୋକଙ୍କୁ ପାଣି ମିଳୁନଥିବା ନେଇ ଅଭିଯୋଗ ହେଉଛି । ଏଥିପ୍ରତି ପଂଚାୟତର ଯେଉଁ ଭୂମିକା ରହିବା କଥା ତାହା ରହୁନଥିବାରୁ ପ୍ରକଳ୍ପ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ଲୋକେ ନିୟମିତ ପାଣି ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମରେ ।
ପ୍ରକାଶ ଯେ, ବାଲସି ଗ୍ରାମବାସୀଙ୍କ ପାନୀୟ ଜଳର ସୁବିଧା ପାଇଁ ବସୁଧା ଯୋଜନାରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି । ଉକ୍ତ ପ୍ରକଳ୍ପରୁ ମଶାଣିବନ୍ଧ ଗ୍ରାମକୁ ମଧ୍ୟ ପାଇପ ସଂଯୋଗ କରାଯାଇଛି । ଗୋଟିଏ ଇନଟେକ କୂଅରୁ ବାଲସି ଓ ମଶାଣିବନ୍ଧ ଗ୍ରାମକୁ ପାଣି ସପ୍ଲାଇ କରିବା ପାଇଁ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ହେଲେ ଖରାଦିନେ ଉକ୍ତ ଇନଟେକ୍ କୂଅରେ ପାଣି ଅଭାବ ଦେଖାଦେଇଥାଏ ଯାହାଫଳରେ ଲୋକେ ପାଇପ ଯୋଗେ ନିୟମିତ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ହେଲେ ବର୍ଷା ଦିନ ଆସିଲେ ଇନଟେକ୍ କୂଅରେ ପାଣି ଅଭାବ ସମସ୍ୟା ଦୂର ହୋଇଥାଏ । ଯାହାକି ଖରା ଦିନକୁ ଛାଡ଼ି ଦେଲେ ବାକି ଅନ୍ୟ ସମୟରେ ନିୟମିତ ପାଣି ସପ୍ଲାଏ କରିବାରେ କୈ।ଣସି ଅସୁବିଧା ନଥାଏ । ହେଲେ ପ୍ରକଳ୍ପ ପରିଚାଳନା ଦାୟିତ୍ବରେ ରହିଥିବା ୨ ଜଣ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ନିୟମିତ ପାଣି ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଯାହାକି ଆଜକୁ ଲଗାତାର ଭାବେ ୪ ଦିନ ହେଲା ବାଲସି ଗ୍ରାମରେ ଜଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ହେଉଛି । ତେବେ କେଉଁ କାରଣରୁ ପାଣି ସପ୍ଲାଏ ବନ୍ଦ ହୋଇଛି ସେ ନେଇ ଦାୟିତ୍ବରେ ଥିବା କର୍ମଚାରୀ ବିଭାଗୀୟ ଅଧିକାରୀଙ୍କୁ ଜଣାଉନାହାନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ କିମ୍ବା ପଂଚାୟତ କତୃପକ୍ଷଙ୍କ ତଦାରଖ କିଭଳି ରହୁଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଅପରପକ୍ଷରେ କର୍ମଚାରୀଙ୍କ ଅବହେଳା ଉପରେ ବିଭାଗୀୟ ଅଧିକାରୀ କିମ୍ବା ପଂଚାୟତ କତୃପକ୍ଷ ଜାଣୁଥିଲେ ବି କୈାଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବସୁଧା ଯୋଜନାରେ ପ୍ରକଳ୍ପ ନିର୍ମାଣ କାମ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାଲସି ଗ୍ରାମର ସମସ୍ତ ପରିବାରକୁ ପାଇପ ସଂଯୋଗ ହୋଇପାରିନାହି । ଯାହାକି ଏକ ପରିତାପର ବିଷୟ ବୋଲି ଗ୍ରାମବିକାଶ କମିଟି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ଏନେଇ କେସିଙ୍ଗା ବ୍ଲକ ଦାୟିତ୍ବରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ-୧ ଧର୍ମେନ୍ଦ୍ର ସେଠୀଙ୍କୁ ପଚାରିବାରୁ ଜଳ ଯୋଗାଣ ପ୍ରକଳ୍ପ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ଅଭିଯୋଗକୁ ସ୍ବୀକାର କରିବା ସହ ପଂଚାୟତ ସହିତ ଆଲୋଚନା କରି ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।