ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶା ସରକାରଙ୍କ ନିଆରା ପ୍ରୟାସ। ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଗାଁରେ ପ୍ରଶାସନ ତଥା ଗାଁରେ ଅଭିଯୋଗ ଶୁଣାଣୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଜୟପାଟଣା ବ୍ଲକର ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଅଭିଯୋଗ ଶୁଣାଣୀ ଶିବିର ସରପଞ୍ଚ ଭଗବତୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା ଯୋଗ ଦେଇ ଅଭିଯୋଗ ଶୁଣି ଥିବା ବେଳେ କୃଷି ବିଭାଗର ଅଧିକାରୀ, ଜୟପାଟଣା ବନଖଣ୍ଡ ଅଧିକାରୀ, ପଶୁ ସମ୍ପଦ, ଶିକ୍ଷା ଅଧିକାରୀ, ଯୋଗାଣ ବିଭାଗ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ବାର୍ଦ୍ଧକ୍ୟ ଭତ୍ତା, ଜଙ୍ଗଲ ଜମି ପଟ୍ଟା ପାଇବାକୁ ଥିବା ହିତାଧିକାରୀ, ଖାଉଟି କାର୍ଡ ହିତାଧିକାରୀ, ଗତ ବନ୍ୟାରେ ଘର ଭାଙ୍ଗି ଯାଇଥିବା ଏବଂ ଜମି ବାଲିଚର ହୋଇଥିବା ହିତାଧିକାରୀ ଓ ଅନ୍ୟାନ୍ୟ ଅଭିଯୋଗକାରୀମାନେ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ କରିଥିଲେ। ଏହି ଶିବିରରେ ୩୭୨ ଜଣ ହିତାଧିକାରୀଙ୍କ ଅଭିଯୋଗ ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀ ମାନେ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଁଳା ଭଟ୍ଟା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ସରପଞ୍ଚ ପ୍ରତିନିଧି ଚୁଡ଼ାମଣି ନାଏକ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.