ତୁଳାଗାଁରେ ଲାଗିଲା ଦୁଇଗୋଟି ଟ୍ରାନ୍ସଫରମର

ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ତୁଳାଗାଁ ଠାରେ ଲାଗିଲା ଦୁଇଟି ନୂତନ ଟ୍ରାନ୍ସଫରମର । ଦିନେ ଛଡା ଦିନେ ଏମିତି ହୋଇ ଗାଁ ମଝିର ଗୋଟାଏ ଏବଂ ଗାଁ ଶେଷ ମୁଣ୍ଡର ଆଉ ଗୋଟାଏ ଏଭଳି ଦୁଇ ଗୋଟି ଟ୍ରାନ୍ସଫର୍ମର ପୋଡିଯାଇଥିଲା । ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ପ୍ରୟାସରେ ତୁଳାଗାଁରେ ଦୁଇ ଗୋଟି ଟ୍ରାନସ୍ଫର୍ମର ଲାଗିପାରିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, କୌଣସୀ ଗ୍ରାମର ଟ୍ରାନ୍ସଫରମର ଯଦି ପୋଡିଯାଏ କିମ୍ବା କୌଣସୀ କାରଣରୁ ଅଚଳ ହୋଇଯାଏ ତାହେଲେ ନୂଆ ଟ୍ରାନ୍ସଫରମର ଲାଗିବା ପାଇଁ ମାସ ମାସ ଲାଗି ଯାଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ରହିଛି । ହେଲେ ତୁଳାଗାଁର ୧୬ କେଭି କ୍ଷମତା ସମ୍ପନ୍ନ ଦୁଇ ଗୋଟି ଟ୍ରାନ୍ସଫରମର ପୋଡି ତିନିଦିନ ନ ହେଉଣୁ ସେହି ସ୍ଥାନରେ ନୂତନ ଟ୍ରାନ୍ସଫରମର ଲାଗିବା ଭଳି ଘଟଣା ଦେଖି ଲୋକେ ଚକିତ ହେବା ସ୍ୱାଭାବିକ । ତୁଳାଗାଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଗୋଟିଏ ୱାର୍ଡ ହୋଇଥିବା ବେଳେ ବିଦ୍ୟୁତ ବିଭାଗ ରେକର୍ଡ ଅନୁଯାୟୀ ଏଠାରେ ମାତ୍ର ୧୪ ଜଣ ଉପଭୋକ୍ତା । ଏମାନଙ୍କ ପାଇଁ ଆଗରୁ ଗାଁ ମଝିରେ ୧୬ କେଭି କ୍ଷମତା ସମ୍ପନ୍ନ କେବଳ ଗୋଟାଏ ଟ୍ରାନ୍ସଫରର୍ମର ଲାଗିଥିଲା । ଦାରିଦ୍ର୍ୟତାର ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ସୌଭାଗ୍ୟ ଯୋଜନାରେ ପରବର୍ତ୍ତି ସମୟରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ହେବା ଯୋଗୁଁ ଗାଁ ଶେଷ ମୁଣ୍ଡରେ ୧୬ କେଭି କ୍ଷମତା ସମ୍ପନ୍ନ ଆଉ ଏକ ଟ୍ରାନ୍ସଫର୍ମର ଲଗାଇଲା ବିଭାଗ । ତଥାପି ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟାକୁ ଦେଖିଲେ ୩୨ କେଭି କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଲୋଡ ନେଇ ପାରୁନଥିବା ଅଭିଜ୍ଞ ବ୍ୟକ୍ତି ମାନେ ମତବ୍ୟକ୍ତ କରୁଛନ୍ତି । ଗାଁ ମଝିର ଟ୍ରାନ୍ସଫର୍ମର ପୋଡି ଯିବାରୁ ଗାଁ ଶେଷ ମୁଣ୍ଡ ଟ୍ରାନ୍ସଫର୍ମରରେ ସମସ୍ତ ଉପଭୋକ୍ତାଙ୍କ ଲାଇନ ସଂଯୋଗ କରିବାରୁ ସେହି ଟ୍ରାନ୍ସଫର୍ମର ମଧ୍ୟ ପୋଡି ଯାଇଥିଲା । ଗାଁ ଦୁଇଦିନ ଧରି ଅନ୍ଧାର ମଧ୍ୟରେ ବୁଡି ରହିଥିଲା । ତୁଳାଗାଁର ଯୁବ ବିଜ୍ଞାନୀ ସନ୍ତୋଷ କୁମାର କର ଏସବୁ ସମସ୍ୟା ବିଷୟରେ ସର୍ଗିଗୁଡାର ପୂର୍ବତନ ସରପଞ୍ଚ ତଥା ବିଧାୟକଙ୍କ ସର୍ଗିଗୁଡା ପ୍ରତିନିଧି ହମେଶ କୁମାର ଜୈନଙ୍କୁ କହିବାରୁ ସେ ତୁରନ୍ତ ବିଧାୟକଙ୍କ ସହ ଯୋଗାଯୋଗ କରି ଦୁଇ ଗୋଟି ଟ୍ରାନ୍ସଫର୍ମର ଲଗେଇବାର ବ୍ୟବସ୍ଥା କରିଥିଲେ । ଆଗାମୀ ଦିନରେ ତୁଳାଗାଁରେ ୬୩ କେଭିର ଏକ ବଡ ଟ୍ରାନ୍ସଫର୍ମର ଲଗାଯିବ ବୋଲି ବିଧାୟକ କଥା ଦେଇଥିବା କହିଛନ୍ତି ଶ୍ରୀ ଜୈନ । ତୁରନ୍ତ ଟ୍ରାନ୍ସଫର୍ମର ବ୍ୟବସ୍ଥା କରାଯାଇଥିବାରୁ ନର୍ଲା ବିଧାୟକ, ବିଧାୟକଙ୍କ ସର୍ଗିଗୁଡା ପ୍ରତିନିଧି ତଥା ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ ଓ ବିଦ୍ୟୁତ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି ଗ୍ରାମବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.