ଆଜି ଦଶମୀ ନୂଆଖାଇ : କଳାହାଣ୍ଡି ଗଡ଼ଜାତ ଓ ଜମିଦାରୀ ଅଞ୍ଚଳବାସୀ ଖାଇବେ ନୂଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାଦ୍ର ଶୁକ୍ଲ ପଞ୍ଚମୀ ତିଥିରେ ଅବିଭକ୍ତ କଳାହାଣ୍ଡିର ଗ୍ରାମାଞ୍ଚଳ ସମେତ ପଶ୍ଚିମ ଓଡ଼ିଶା ସାରା ମହାପାର୍ବଣ ନୂଆଖାଇ ସମ୍ପନ୍ନ ହୋଇଯାଇଛି । ତେବେ ଦଶମୀ ତିଥିରେ କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ଵରୀଙ୍କ ପାଖରେ ନୂଆ ଲାଗି ହେବାପରେ ନୂଆ ଖାଇବେ ଭବାନୀପାଟଣା ସହରବାସୀ ଓ ପୁରାତନ କଳାହାଣ୍ଡି ଗଡ଼ଜାତ ରାଜ୍ୟ ଅଧିନସ୍ଥ ଜମିଦାରୀ ଅଞ୍ଚଳବାସୀ ।

Omkar Vasthu
Omkar Vasthu


ପୂର୍ବରୁ ଭାଦ୍ରବ ମାସର ବିଭିନ୍ନ ତିଥିରେ ଗ୍ରାମ ଦେବାଦେବୀ ଓ ପିତୃପୁରୁଷଙ୍କୁ ପିଦରରେ ନୂତନ ଶସ୍ୟ ଅର୍ପଣ କରି ଲୋକେ ନୂଆ ଖାଉଥିଲେ । ତେବେ ଗତ କେତେ ବର୍ଷ ହେଲା ପଶ୍ଚିମ ଓଡ଼ିଶାବାସୀ ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଗୋଟିଏ ଦିନରେ ନୂଆ ଖାଉଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ତେବେ କଳାହାଣ୍ଡିର ନୂଆଖାଇ ସ୍ବତନ୍ତ୍ର ହୋଇଥାଏ । ଏଠାରେ ବିଭିନ୍ନ ପର୍ଯ୍ୟାୟରେ ପାଳିତ ହୋଇଥାଏ ନୂଆଖାଇ । ପୂର୍ବ ପରମ୍ପରା, ଲୋକାଚାର ଓ କୂଳାଚାର ଅନୁସାରେ ପ୍ରଥମ ପର୍ଯ୍ୟାୟ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ପଥର୍ଲା, ବାହାଦୁରପଦର ଓ ପଲକାପଡା ଗ୍ରାମବାସୀ ନୂଆ ଖାଇଥାନ୍ତି ।

Udyog Nursery
Udyogi Nursery


ଦ୍ବିତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକର ଗ୍ରାମାଞ୍ଚଳରେ ପାଳିତ ହୋଇଥାଏ ନୂଆଖାଇ । ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ କଳାହାଣ୍ଡି ଜିଲ୍ଲାରେ ଭିନ୍ନ ପ୍ରକାର ପ୍ରତ୍ୟୟମାନ ହୋଇଥାଏ ‌।

ନୂଆଖାଇ ପୂର୍ବରୁ ରୁଗିବଲା ଓ ପନାପାଏନ ଢଳା ଯାଇଥାଏ । ଏହି ବିଧାନ ଅନୁସାରେ ପ୍ରାଚୀନ ଦେବାଦେବୀ ମାନଙ୍କ ଶାନ୍ତି ବିଧାନ କରାଯିବା ପରେ ବିଧି ଅନୁସାରେ ନୂଆ ଖିଆ ଯାଇଥାଏ ‌।

ତୃତୀୟ ପର୍ଯ୍ୟାୟରେ ଭାଦ୍ର ଶୁକ୍ଳ ଦଶମୀ ତିଥିରେ ମା ମାଣିକେଶ୍ଵରୀଙ୍କ ପାଖରେ ନୂଆ ଲାଗି ହେବାପରେ ଭବାନୀପାଟଣା ସହରବାସୀ ନୂଆ ଖାଇଥାନ୍ତି । ସେହିପରି କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ କର୍ଲାପାଟ, ମହୁଲପାଟଣା, ଦାଦପୁର, ଲାଞ୍ଜିଗଡ, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା ଆଦି ଅଞ୍ଚଳରେ ମଧ୍ୟ ଦଶମୀ ତିଥିରେ ନୂଆଖାଇ ଅନୁଷ୍ଠିତ ହୋଇଥାଏ ।

ତେବେ ରଜା ରାଜୁଡା ସମୟରୁ ଦଶମୀ ତିଥିରେ ପୂର୍ବ ନିର୍ଦ୍ଧାରିତ ନିତି ନିତି ଅନୁସାରେ ମାଣିକେଶ୍ଵରୀଙ୍କ ପାଖରେ ନୂଆ ଲାଗି ହୋଇଥାଏ । ଆଜି ସେପ୍ଟେମ୍ବର ୫ତାରିଖ ଭାଦ୍ର ଶୁକ୍ଳ ପକ୍ଷ ଦଶମୀ ତିଥିରେ ଯୋଗ ଲଗ୍ନ ଓ ପାରମ୍ପାରିକ ରିତି ନିତି ଅନୁସାରେ ସଂପୃକ୍ତ ଅଞ୍ଚଳର ଦେବାଦେବୀପୀଠ ମାନଙ୍କରେ ନବାନ୍ନ ଲାଗି ହେବ । ଏହାପରେ କୂଳାଚାର ଅନୁସାରେ ଲୋକେ ନବାନ୍ନ ଭକ୍ଷଣ କରିବେ ।

କଳାହାଣ୍ଡିରେ ନୂଆଖାଇ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବାବେଳେ ଏହା ଅନ୍ୟ ଅଞ୍ଚଳଠାରୁ ଭିନ୍ନ ହୋଇଥାଏ । ନୂଆଖାଇ ଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଗାଁ ଦାଣ୍ଡ ବୀରବାଦ୍ୟ ଘୁମୁରା ଧ୍ୱନୀରେ ମୁଖରିତ ହୋଇଥାଏ । ନୂଆଖାଇ ଦିନ ଠାରୁ କଳାହାଣ୍ଡିର ବୀରବାଦ୍ୟ ବିଭିନ୍ନ ଗ୍ରାମରେ ପରିବେଶିତ ହୋଇ ଦଶହରା ଦିନ ସମାପନ ହୋଇଥାଏ ।

ଘୁମୁରା ବାଦ୍ୟ ଅତିତ କଳାହାଣ୍ଡିର ଗାରିମାମୟ ଐତିହ୍ୟକୁ ସ୍ମରଣ କରାଇ ଦେଇଥାଏ । ଏହାସହ ଢାପ୍, ଘୁଡକା, ବନାବାଡି ଆଦି ଲୋକନୃତ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ବର୍ଷକୁ ଥରେ ଆସୁଥିବା ଏହି ମହାନ ପର୍ବ ସାମାଜିକ ସଂହତିର ସେତୁ ପରି କାର୍ଯ୍ୟ କରିଥାଏ । ତେଣୁ ନୂଆଖାଇର ସପ୍ତାହେ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଉତ୍ସବର ମାହୋଲ ଲାଗି ରହିଥାଏ ‌।


କଳାହାଣ୍ଡିର ନୂଆଖାଇ ଏକ ବୈଚିତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ଏଠାରେ ପ୍ରାଚୀନ ଧର୍ମଧାରା ସହ ବୈଦିକ ସଂସ୍କୃତିର ମିଳନ ଯୋଗୁଁ ପର୍ବ ପାଳନରେ ସାମାନ୍ୟ ବୈଷମ୍ୟ ପରିଲକ୍ଷିତ ହୁଏ ‌। ଲାଞ୍ଜିଗଡ଼ ବ୍ଲକ କିଡିଙ୍ଗ ଗାଁର ମଗଧା ଯାଦବ ନାଗ ବଂଶୀୟ ଗୈାନ୍ତିଆ ପରିବାର ଗଣେଶ ଚତୁର୍ଥୀ ରାତିରେ ନୂଆ ଖାଇଥାନ୍ତି । ତେବେ ଗ୍ରାମବାସୀମାନେ ତା’ ପରଦିନ ଅର୍ଥାତ୍ ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆ ଖାଇଥାନ୍ତି । କେଉଁ ଏକ ସ୍ମରଣାତିତ କାଳରୁ ଏହି ପରମ୍ପରା ଚାଲି ଆସିଛି ।


ସେହିପରି ଭାବେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ମୁଣ୍ଡିଗୁଡା ଓ ବାଗଡୁଙ୍ଗରୀ ଗାଁର ମଗଧା ଯାଦବ ସଂପ୍ରଦାୟର ବଗର୍ତ୍ତି ବଂଶଜମାନେ ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ରାତିରେ ନୂଆ ଖାଇଥାନ୍ତି । ଏହା ସବୁଠାରୁ ଭିନ୍ନ ଧରଣର ହୋଇଥାଏ । ମୁଣ୍ଡିଗୁଡା ଓ ବାଗଡୁଙ୍ଗରୀ ଗ୍ରାମବାସୀ ଦିନବେଳା ନୂଆ ଖାଉଥିବା ବେଳେ ସେହି ଗାଁର ବଗର୍ତ୍ତିମାନେ ହିଁ ରାତିରେ ନୂଆ ଖାଇଥାନ୍ତି ।


ବଗର୍ତ୍ତି ବଂଶର ଏହି ନୂଆଖାଇକୁ ନେଇ ନେଇ ଏକ କିମ୍ବଦନ୍ତୀ ରହିଛି । ଅନେକ ଦିନ ତଳର କଥା ନୂଆଖାଇ ଦିନ ବଗର୍ତ୍ତି ବଂଶର ଜଣେ ଭାଇ ଜଙ୍ଗଲକୁ ଗାଇ ଚରାଇ ଯାଇଥିଲେ । ସେ ନୂଆଖାଇବା ଦିନ ମଧ୍ୟାହ୍ନରେ ଘରକୁ ଫେରିଲେ ନାହିଁ । ପରିବାର ବର୍ଗ ତାଙ୍କ ଅନୁପସ୍ଥିତିରେ ନୂଆ ନଖାଇ ଜଗି ରହିଲେ । ସେ ସନ୍ଧ୍ୟାରେ ଫେରିବା ପରେ ସପରିବାର ରାତିରେ ନୂଆ ଖାଇଲେ। ସେହି ଦିନଠାରୁ ମୁଣ୍ଡିଗୁଡା ଓ ବାଗଡୁଙ୍ଗରୀ ଗାଁର ବଗର୍ତ୍ତିମାନେ ଦିନବେଳା ନୂଆ ନଖାଇ ରାତିରେ ଖାଇଥାନ୍ତି ।


ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ କଳାହାଣ୍ଡିରେ ଆଦିବାସୀ ଓ ଡମ୍ବ ସଂପ୍ରଦାୟ ଓ ଅଳ୍ପ ପରିମାଣରେ କୁସଲିଆ ଓ ନନ୍ଦ ଗଉଡ ବସବାସ କରି ଆସୁଥିଲେ । ଖ୍ରୀଷ୍ଟ ପୂର୍ବ ଦ୍ବିତୀୟ ଶତାବ୍ଦୀ ପରେ ପରେ ଏହି ଅଞ୍ଚଳକୁ ମଗଧା ଯାଦବ ମାନଙ୍କ ଆଗମନ ହେଲା । ଏମାନେ କଳିଙ୍ଗ ଯୁଦ୍ଧରେ ଯୋଗ ଦେବାକୁ ମଗଧରୁ କଳିଙ୍ଗକୁ ଆସିଥିଲେ ।

ଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ହେଲା । ତେବେ ସମ୍ରାଟ ଅଶୋକ ତାଙ୍କ ବିଜୟୀ ଯୋଦ୍ଧା ମାନଙ୍କୁ ଆଉ ମଗଧ ଫେରାଇ ନେଲେ ନାହିଁ । ମଗଧା ବାହିନୀ କଳିଙ୍ଗରେ ନରହି ପଡୋଶୀ ଆଟବିକ ରାଜ୍ୟରେ ବସତି ସ୍ଥାପନ କରି ରହିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ପରିବାର କୋଶଳ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସ୍ଥାୟୀ ଭାବରେ ରହିଥିବା ଐତିହାସିକ ତଥ୍ୟରୁ ଜଣାପଡ଼  ।

ସମ୍ରାଟ ଅଶୋକ ଅବିଜିତ ଆଟବିକ ରାଜ୍ୟ ବାସୀ ଓ ଏଠାରେ ନୂତନ ଭାବେ ବସତି ସ୍ଥାପନ କରିଥିବା ମଗଧା ମାନଙ୍କ ପାଇଁ ଏକ ଅନୁଶାସନ ପ୍ରଣୟନ କରିଥିଲେ । ସେହି ମଗଧା ଯାଦବମାନେ ସେହି ସମୟରୁ ବର୍ତ୍ତମାନ ଯାଏଁ ଏହି ମାଟିର କଳା, ସଂସ୍କୃତି ସହ ଧାର୍ମିକ ପରମ୍ପରାକୁ ମାନି ଆସୁଛନ୍ତି । ସେହି କ୍ରମରେ ଆଦିମ ସଭ୍ୟତାର ମହାପାର୍ବଣ ନୂଆଖାଇ ମଧ୍ୟ ମଗଧା ମାନଙ୍କ ଶ୍ରେଷ୍ଠ ପର୍ବ ଭାବେ ପରିଗଣିତ ହୋଇଥାଏ ।


ଏମିତି ଭାବରେ କଳାହାଣ୍ଡିରେ ପାଳିତ ହୋଇଥାଏ ଲୋକ୍ ତିହାର୍ ନୂଆଖାଇ । ଏହି ପର୍ବ ମାଧ୍ଯମରେ ଅତିତ କଳାହାଣ୍ଡିର ଧାର୍ମିକ, ସାଂସ୍କୃତିକ ଓ ସାମରିକ ପୃଷ୍ଠଭୂମି ଜଳଜଳ ହୋଇ ଦିଶି ଯାଇଥାଏ । ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ବିଶ୍ବ ଭାତୃତ୍ବର ବାର୍ତ୍ତା ପ୍ରଦାନ କରିଥାଏ ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ ।


ରାଜାରାଜୁଡ଼ା ଅମଳରୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ମା’ ମାଣିକେଶ୍ଵରୀଙ୍କ ଠାରେ ନବାନ୍ନ ଲାଗି ହୋଇଥାଏ । ଏହାସହ ମଦନପୁର ରାମପୁରର ଇଷ୍ଟଦେବୀ ଡୋକରୀ, ଥୁଆମୁଲ ରାମପୁରରର ଆଦିପୀଠ ମାଣିକେଶ୍ଵରୀ ଆଦି ଶକ୍ତିପୀଠ ମାନଙ୍କରେ ଶାକ୍ତ ତନ୍ତ୍ର ଓ ଅଭିଚାର ବିଧି ମତେ ନବାନ୍ନ ଅର୍ପଣ ବିଧି ସଂପନ୍ନ ହୋଇଥାଏ ।


ଏହା ପୂର୍ବରୁ ପଶ୍ଚିମ ଓଡ଼ିଶା ସାରା ପଞ୍ଚମୀ ତିଥିରେ ନୂଆଖାଇ ପାଳିତ ହୋଇଯାଇଛି । କୃଷିଜୀବୀ ସମାଜ ବ୍ୟବସ୍ଥାର ଏହି ମହାନ ପର୍ବ ସଂପୃକ୍ତ ଅଞ୍ଚଳର ପାରମ୍ପରିକ ବିଧିବିଧାନ ତଥା କୂଳାଚାର ରିତି ଅନୁସାରେ ସଂପନ୍ନ ହୋଇଛି । ପ୍ରତିପଦା ଓ ପଞ୍ଚମୀ ତିଥିର ନୂଆ ଖାଇ ସାଙ୍ଗକୁ ବାସି ପରବ ଦନ ପରମ୍ପରା ଅନୁସାରେ ଘରେ ଘରେ ମାଂସର ଆସର ଜମିଛି । ଦଶମୀ ତିଥିର ନୂଆଖାଇ ପରେ ମଧ୍ୟ ନୂଆଖାଇ ବାସି ପାଳନ ହେବ ‌।


ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ନୂଆଖାଇର ମାହୋଲକୁ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । ତେବେ ଏବର୍ଷ ପରିସ୍ଥିତି ସ୍ବଭାବିକ ଥିବାରୁ ଅତି ଆନନ୍ଦର ସହ ନୂଆ ଖାଇଛନ୍ତି ଜନସାଧାରଣ । ସେହିପରି ଭାବେ ଦଶମୀ ତିଥିରେ ହେବାକୁ ଥିବା ନୂଆଖାଇକୁ ନେଇ ସଂପୃକ୍ତ ଅଞ୍ଚଳ ମାନଙ୍କରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.