ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାର ଅନେକ ବର୍ଷରୁ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ପୌଷ୍ଟିକ ଆହାର ଭାବରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିବା ବେଳେ, ଛାତ୍ରୀ ମାନଙ୍କ ସ୍କୁଲ ଯିବା ପାଇଁ ସାଇକେଲ ଯୋଗାଇ ଦେଉଛନ୍ତି । ମାଗଣାରେ ପଢା ବହିର ବ୍ୟବସ୍ଥା କରିଛନ୍ତି । ଏହାବାଦ୍ ଗତ ୧୦ ବର୍ଷ ହୋଇଗଲା ପ୍ରଥମରୁ ଅଷ୍ଟମ ଯାଏଁ ଗରୀବ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ଦୁଇହଳ ଲେଖାଏଁ ପୋଷାକ ଓ ହଳେ ଯୋତା ବଣ୍ଟନ କରିଆସୁଛନ୍ତି । ହେଲେ ଗତ ୫ ବର୍ଷ ହେଲା ସରକାର ନିଷ୍ପତି ନେଇଛନ୍ତି ଧନୀ ଗରୀବର ଆଉ ଭେଦଭାବ ନରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରିବେ । ହେଲେ ସରକାରଙ୍କ ଛାତ୍ରଛାତ୍ରୀ ହିତକର ଏହି ଯୋଜନାରେ କେତେକ ଅସାଧୁ ପ୍ରଧାନ ଶିକ୍ଷକ ଏବଂ ବିଶେଷ କରି ସିଆରସିସି ମାନଙ୍କ ଚଞ୍ଚକତା, ବ୍ୟବସାୟୀକ ପ୍ରବୃତ୍ତି ଓ ଲାଭଖୋର ମନୋବୃତ୍ତି ଯୋଗୁଁ ଛାତ୍ରଛାତ୍ରୀ ମାନେ ଉତ୍ତମ ମାନର ପୋଷାକ ପାଇବାରୁ ବଞ୍ଚିତ ହେଉଛନ୍ତି । ଚଳିତ ବର୍ଷ ମଧ୍ୟ ଗତ ୧୫ ଦିନ ହେଲା ନୂଆଖାଇ ପୂର୍ବରୁ ଛାତ୍ରଚାତ୍ରୀଙ୍କୁ ଦୁଇହଳ ସ୍କୁଲ ୟୁନିଫର୍ମ ଓ ହଳେ ଯୋତା ବଣ୍ଟନ କରାଯାଇଛି । ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକର ପ୍ରଥମରୁ ୮ମ ଯାଏଁ ୧୩,୬୦୭ ଜଣ ଛାତ୍ରଛାତ୍ରୀଙ୍କୁ ଏଥର ଡ୍ରେସ୍ ବଣ୍ଟନ କରାଯାଇଛି । ନର୍ଲାର ବ୍ୟବସାୟୀକ ପେଣ୍ଠସ୍ଥଳି କୁହାଯାଉଥିବା ରୁପ୍ରାରୋଡର ତିନିଜଣ ବ୍ୟବସାୟୀ ନିୟମାନୁଯାୟୀ ୯,୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ ବଣ୍ଟନ କରିଥିବା ବେଳେ ଦୁର୍ନିତିର ସର୍ଦ୍ଦାର କୁହାଯାଉଥିବା ତୁଷୁରାର “ଓରଶ୍ରୀ” କପଡା ବ୍ୟବସାୟୀ ମେହେର ବାବୁ ନର୍ଲାର ୧୭ ଗୋଟି କ୍ଲଷ୍ଟର ମଧ୍ୟରୁ ସେରଗଡ, ତୁଳାପଡା, ଖଇରମାଲ, ଭାନପୁର ଏଭଳି ଚାରିଗୋଟି କ୍ଲଷ୍ଟରର ୪,୫୦୦ ପିଲାଙ୍କ ପାଇଁ ଡ୍ରେସ ଦେଇଥିବା ଜଣାପଡିଛି । ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ହଳ ୟୁନିଫର୍ମ ଓ ହଳେ ଯୋତା ଏଭଳି ୬୦୦ ଟଙ୍କା ମୂଲ୍ୟର ସାମଗ୍ରୀ ଦେଉଥିବା ବେଳେ ୪,୫୦୦ ପିଲାଙ୍କ ପାଇଁ ୨୭,୦୦,୦୦୦ ଟଙ୍କାର ସାମଗ୍ରୀ ପ୍ରଦାନ କରିଛି । ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ସରକାରଙ୍କର ଏହି ଅନୁଦାନକୁ ଦୁର୍ନିତି ଖୋର ତୁଷୁରାର କପଡା ବ୍ୟବସାୟୀ “ଔରଶ୍ରୀ” ମାତ୍ର ୨୪୦ ଟଙ୍କା ମଧ୍ୟରେ ଦୁଇହଳ ନିମ୍ନ ମାନର ପୋଷାକ ଓ ହଳେ ଅତି ନିକୃଷ୍ଟ ଯୋତା ପ୍ରଦାନ କରି ବାକିତକ ଚଳୁ କରିଯାଉଥିବା ଅଭିଯୋଗ ହେଉଛି । ଏଭଳି ଭାବରେ ଦେଖିଲେ ନର୍ଲା ବ୍ଲକର ଚାରିଗୋଟି କ୍ଲଷ୍ଟରରେ ୧୬,୨୦,୦୦୦ ଟଙ୍କା ଚଳୁ କରିଯାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସେହିଭଳି ମ.ରାମପୁରର ୨୧ ଗୋଟି କ୍ଲଷ୍ଟର ମଧ୍ୟରୁ ୧୭ ଗୋଟି କ୍ଲଷ୍ଟର ଓ କର୍ଲାମୁଣ୍ଡାର ଅନେକ କ୍ଲଷ୍ଟରରେ ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ପୋଷାକ ଓ ଯୋତା ପ୍ରଦାନ କରି କଳାହାଣ୍ଡି ଜିଲ୍ଲା ନର୍ଲା, ମ.ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ ଅଞ୍ଚଲର ଛାତ୍ରଉାତ୍ରୀଙ୍କ ହକ୍ ର ଏକ କୋଟି ଟଙ୍କା ଖାଇଯାଉଥିବା ପ୍ରସଙ୍ଗକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯିବା ସହ ଏହାକୁ ସରକାରୀ ଅଧିକାରୀଙ୍କ ଦୋଷ ଦୁର୍ବଳତା ବୋଲି କୁହାଯାଉଛି । ଔରଶ୍ରୀର ଡ୍ରେସ୍ ମହା ଦୁର୍ନିତିରେ ସାମିଲ ଥିବା ଓ ତାର ହାତ ବାରିଶି ସାଜିଥିବା ନର୍ଲା, କର୍ଲାମୁଣ୍ଡା, ମ.ରାମପୁରର ୨୧ ଜଣ ସିଆରସିସିଙ୍କୁ “ଔରଶ୍ରୀ” ତାର ମହା ଦୁର୍ନିତି ଲାଭାଂଶ କଳାଧନ ର ପିସି ବାବଦକୁ ୨୭,୦୦,୦୦୦ (ସତେଇଶି ଲକ୍ଷ) ଟଙ୍କା ଦେଇଥିବା କେଇଜଣ ପ୍ରଧାନ ଶିକ୍ଷକ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି । ଔରଶ୍ରୀ ମାଲିକ ମେହେର ବାବୁ ସରକାର ଡ୍ରେସ ଦେବା ପାଇଁ ଘୋଷଣା କରିବା ମାତ୍ରେ ନିଜ ସାନଭାଇ, ଭଣଜା, ପୁତୁରା ସମସ୍ତଙ୍କୁ ଲଗେଇ ନର୍ଲା, କର୍ଲାମୁଣ୍ଡା, ମ.ରାମପୁରର ବିଭିନ୍ନ ବଡବଡ ଅଧିକ ସଂଖ୍ୟକ ଛାତ୍ରଚାତ୍ରୀ ରହିଥିବା ବିଦ୍ୟାଳୟ ଗୁଡିକୁ ଯାଇ “ଔରଶ୍ରୀ” ନାମରେ ଓ ଏହାସହ ଦୁଇଗୋଟି ମିଥ୍ୟା ଟ୍ରେଡିଂ ପଣ୍ଡା ଟ୍ରେଡିଂ ଓ ଅନ୍ୟଜଣେ ସାଙ୍ଗ ନାମରେ ରହିଥିବା ମିଥ୍ୟା ଟ୍ରେଡିଂ ନାମର କୋଟେସନ ଦେଇ ଉଚ୍ଚ ମାନର କପଡାର ସାମ୍ପୁଲ ଦେଇଥାନ୍ତି । କିନ୍ତୁ କୋଲକତା ପୁଟପାଥରେ ମିଳୁଥିବା ପରି ଅତି ନିମ୍ନ ମାନର କପଡାରେ ତିଆରି ହୋଇଥିବା ଡ୍ରେସ୍ ସବୁ ସପ୍ଲାଏ ଦେଇଥାନ୍ତି । ଗୋଟିଏ ସପ୍ତାହ ହେଇନି ପୋଷାକ ସବୁ ସିଲେଇ ଛାଡି ଯାଇଥିବା ବେଳେ ବୋତାମ ଓ ଜିପ ଛିଣ୍ଡି ସାରିଲାଣି । ଆଉ ଜୋତା କଥା ନକହିବା ଭଲ । ବିଦ୍ୟାଳୟର ଏନରୋଲମେଣ୍ଟ ଅନୁଯାୟୀ ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟରୁ ଡ୍ରେସ୍ ଯୋଗାଣକାରୀ ସଂସ୍ଥାର ଆକାଉଣ୍ଟରେ ଟଙ୍କା ଡିପୋଜିଟ ହୋଇଥାଏ । ଏହା ବାବଦକୁ ମଧ୍ୟ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପିସି ଦେଇଥାନ୍ତି ଔରଶ୍ରୀ କପଡା ବ୍ୟବସାୟୀ । ଔରଶ୍ରୀ କପଡା ବ୍ୟବସାୟୀ ଏଭଳି ପ୍ରଧାନ ଶିକ୍ଷକ ଓ ସିଆରସିସିଙ୍କୁ ପିସି ଦେଇ, ପ୍ରଲୋଭନ ଦେଖାଇ ନିମ୍ନ ମାନର ପୋଷାକ ଦେଇ ପ୍ରତିବର୍ଷ କୋଟି କୋଟି ଟଙ୍କା ଲାଭ ଖାଇଥାନ୍ତି । ବିଦ୍ୟାଳୟ ଗୁଡିକରେ ପୋଷାକ ଯୋଗାଣ ପାଇଁ ସାମ୍ପୁଲ ଦେଲେ ଏହାକୁ ସହକାରୀ ବ୍ଲକ ଶିକ୍ଷାଧିକାରୀ ଅନୁମୋଦନ କରିଥାନ୍ତି । ଆଉ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ମିଶି କାହାଠୁ ଡ୍ରେସ ଆଣିବେ ନିଷ୍ପତି ନେଇଥାନ୍ତି । ହେଲେ ନିଆମାନୁଯାୟୀ ବିଡ଼ିଓ, ବିଇଓ, ଟେକ୍ସଟାଇଲ ବିଶେଷଜ୍ଞ ଏଭଳି ଏକ କମିଟି ଯୋଗାଣ ହୋଇଥିବା ପୋଷକର ମାନ୍ୟତା ପରୀକ୍ଷଣ କରି ମୋହର ମାରିବା କଥା । ହେଲେ ଏସବୁକୁ ଖାତିର ନକରି, ଅଣଦେଖା କରି ଔରଶ୍ରୀ ବ୍ୟବସାୟୀ ପ୍ରଧାନ ଶିକ୍ଷକ ଓ ସିଆରସିସିଙ୍କୁ ପିସିଦେଇ ନିମ୍ନ ମାନର ଡ୍ରେସ ଯୋଗାଣ କରିଥିବା ଅଭିଯୋଗ ହେଉଛି । ଏ ବିଷୟରେ ନର୍ଲା ଏବିଇଓ ଗୋବର୍ଦ୍ଧନ ମାଝୀ “ଔରଶ୍ରୀ” ଦେଇଥିବା ସାମ୍ପୁଲ ଡ୍ରେସରେ ସେ ମୋହର ମାରିଥିବା ସ୍ୱୀକାର କରିବା ସହିତ ତିନିବର୍ଷ ହୋଇଗଲା “ଔରଶ୍ରୀ” ଏଭଳି କରୁଛି। ସାମ୍ପୁଲ ଦେଉଛି ଅଲଗା ଓ ପୋଷାକ ଦେଉଛି ଭିନ୍ନ ପ୍ରକାର । ଏଣୁ ଏଥିପ୍ରତି ଆମେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଥିବା ବେଳେ ବିଇଓ ତପିମଣି ଯାନୀ କହିଛନ୍ତି ନିମ୍ନ ମାନର ଡ୍ରେସ ଫେରାଇ ନେଇ ସାମ୍ପୁଲ ଅନୁଯାୟୀ “ଔରଶ୍ରୀ” ସ୍କୁଲ ପୋଷାକ ଦେବ । ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଯାନୀ ମତବ୍ୟକ୍ତ କରିଛନ୍ତି । ହେଲେ ଦେଖାଯାଉ କୋମଳମତୀ ଗରୀବ ଛାତ୍ରଛାତ୍ରୀ ହକ ଛଡାଇ ପ୍ରତିବର୍ଷ ପୋଷାକ ଯୋଗାଣ କରି କୋଟିକୋଟି ଟଙ୍କା ଖାଇଯାଉଥିବା ଅସାଧୁ, ଦୁର୍ନୀତିଖୋର “ଔରଶ୍ରୀ” କପଡା ବ୍ୟବସାୟୀ ମେହେର ବାବୁଙ୍କ ପ୍ରତି ପ୍ରଶାସନ କିଭଳି ପଦକ୍ଷେପ ନେଉଛି ?