ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ: ଆଜି ଗୋଟିଏ ଦିନରେ ୭୫ ହଜାର ନିଯୁକ୍ତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ପାଇଁ ଅନେକ ଦେଶର ଅର୍ଥନୀତି ଭୁଶୁ଼ଡ଼ି ପଡ଼ିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ଦେଶରେ ବି ସମାନ ଅବସ୍ଥା । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ଏକ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ଦେବା ଲାଗି ଲକ୍ଷ୍ୟ ରଖା ଯାଇଛି । ରୋଜଗାର ମେଳାର ଶୁଭାରମ୍ଭ ସହ ୭୫ ହଜାର ନିଯୁକ୍ତି ଆଜି ଦିଆଯାଇଛି ।

ପର୍ଯ୍ୟାୟ କ୍ରମେ ୧ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଣଳୟ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟରେ ନିଯୁକ୍ତି ଦିଆଯିବ । ରୋଜଗାର ମେଳାର ଉଦଘାଟନ ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ବୈଶ୍ୱିକ ସ୍ତରରେ ସ୍ଥିତି ଭଲ ନାହିଁ । ମାନ୍ଦାବସ୍ଥା ଲାଗି ରହିଥିବା ଦରବୃଦ୍ଧି ଘଟିଛି । ଏସବୁର ମୁକାବିଲା ପାଇଁ ଦେଶ ପଦକ୍ଷେପ ନେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆୟୋଜିତ ହୋଇଛି ରୋଜଗାର ମେଳା । ଭୁବନେଶ୍ୱରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସେପଟେ କଟକ ସହିଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । କରୋନାର କଳା ବାଦଲ ହଟିବା ପରେ ଅର୍ଥନୀତିକୁ ସୁଦୃଢ଼ କରିବା ସହ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.