ମହାବୀର ମହୋତ୍ସବ ଅବସରରେ ଶାନ୍ତି-ମୈତ୍ରୀ-ସଂହତି ଶୋଭାଯାତ୍ରା ଓ ‘ଗିରିଝର’ ପତ୍ରିକା ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ଵାରା ଆୟୋଜିତ ୫୮ତମ ମହାବୀର ମହୋତ୍ସବ-୨୦୨୨ର ଚତୁର୍ଥ ଦିବସ ଦିବା ୧୧ ଘଣ୍ଟା ସମୟରେ ମହିଳାମାନଙ୍କ ମଧ୍ୟରେ କବିତା ଓ ଗଳ୍ପଲିଖନ ପ୍ରତିଯୋଗିତାକୁ ନେଇ ଆରମ୍ଭ ହୋଇଥିଲା । ଅପରାହ୍ଣ ୨ ଘଣ୍ଟା ସମୟରେ କଲେଜସ୍ତର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ୱିଜ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାକୁ ଶୁଭେନ୍ଦୁ କୁମାର ବେହେରା, ସଂଜୟ କୁମାର ଓ ସଂଜୀବ କୁମାର ସିଂହ ପରିଚାଳନା କରିଥିଲେ । ଅପରାହ୍ଣ ୩ ଘଣ୍ଟା ସମୟରେ ଅନୁଷ୍ଠାନର ସଦସ୍ୟ ଓ ବିଭିନ୍ନ ସାଂସ୍କୃତିକ ଦଳମାନଙ୍କୁ ନେଇ ଏକ ବିଶାଳ ଶାନ୍ତ-ମୈତ୍ରୀ-ସଂହତି ମଶାଲ ଶୋଭାଯାତ୍ରା କରାଯାଇଥିଲା । ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା ମା’ ମାଣିକେଶ୍ଵରୀ ମନ୍ଦିରରୁ ମଶାଲ ଗ୍ରହଣ କରିଥିଲେ ଓ ଏହାପରେ ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ତଥା ସମସ୍ତ ସଦସ୍ୟ ମଶାଲକୁ ନେଇ ଭବାନୀପାଟଣା ସହର ପରିକ୍ରମା କରିଥିଲେ । ଏହି ଶାନ୍ତି-ମୈତ୍ରୀ -ସଂହତି ମଶାଲ ଯାତ୍ରାରେ ମଦନପୁର ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମର ଘୁମୁରା ଦଳ, ଶିର୍ଲିଗୁଡ଼ାର ଘୁମୁରା ଦଳ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ ନୃତ୍ୟଦଳ ଅଂଶଗ୍ରହଣ କରିଥିଲେ । ଚତୁର୍ଥ ଦିବସର ସାନ୍ଧ୍ୟକାଳୀନ ସାହିତ୍ୟ ସଭାକୁ ଉଦ୍‌ଘାଟନ କରିଥିଲେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥୀ ଏବଂ ଖଡ଼ିଆଳ ସ୍ୱୟଂଶାସିତ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଫଣିନ୍ଦମ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ସାହିତ୍ୟିକ ରାସବିହାରୀ ବେହେରା ସଭାପତିତ୍ୱ କରିଥିଲେ ।

ଏହି ଅବସରରେ ‘ଗିରିଝର’ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ‘ଗିରିଝର’ ପତ୍ରିକାର ସମ୍ପାଦକ ସଂଜୟ କୁମାର ଓ ସୌଜନ୍ୟ ସଂପାଦକ ପ୍ରତାପ ଚନ୍ଦ୍ର ଦାଶ । ଅନୁଷ୍ଠାନର ସାଧାରଣ ସମ୍ପାଦକ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରିବା ସହ ‘ମହାବୀର ମହୋତ୍ସବ’ ପାଳନର ଆଭିମୁଖ୍ୟ ବିଷୟରେ ସମ୍ୟକ ଧାରଣା ଉପସ୍ଥାପନ କରିଥିଲେ । ଘୁମୁରା କଳାକାର ସନ୍ତୋଷ କୁମାର ବେହେରା, କରୁଣାକର ଗଉଡ଼ ଓ କମ୍ବୁପାଣି ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବ୍ୟାନନ୍ଦ କର, ସୁଧାଂଶୁ ଶିକାରୀ ଓ ସୁଶ୍ରୀ ଗୀତାଞ୍ଜଳି ବିଶିଙ୍କୁ ମହାବୀର ଯୁବ କଳାକାର ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା । ଶେଷରେ ‘ଗିରିଝର’ ସମ୍ପାଦକ ସଂଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.