କଳାହାଣ୍ଡି, ୨୦ା୧୧: ଯୁବ ସାମ୍ବାଦିକ ଅଜୟ ସିଂହ ଠାକୁରଙ୍କୁ ଏବର୍ଷର ମର୍ଯାଦାଜନକ ‘ଦେବଗିରି ସାମ୍ବାଦିକତା ସମ୍ମାନ’ ପ୍ରଦାନ କରାଯିବ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ଘୋଷଣା ହୋଇଛି ।
୧୫ ଜୁଲାଇ ୧୯୭୬ରେ ଜନ୍ମିତ ଅଜୟ ଜଣେ ଲେଖକ ତଥା ସାମ୍ବାଦିକ ଭାବେ ସମାଜର ନିମ୍ନ ସ୍ତରରେ ବସବାସ କରୁଥିବା ଲୋକମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି । ଛାତ୍ର ଜୀବନରୁ ହିଁ କବିତା ଓ ସାମ୍ବାଦିକତା ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରିବା ପରେ ସଂପ୍ରତି ଦୈନିକ ‘ପ୍ରମେୟ’ ସମ୍ବଲପୁର ସଂସ୍କରଣରେ ବରିଷ୍ଠ ସହ-ସଂପାଦକ ତଥା ‘ଓଡ଼ିଶା ଟାଇମ୍ସ’ର ସମ୍ବଲପୁର ପ୍ରତିନିଧି ଭାବେ କାର୍ଯ୍ୟରତ ।
ତାଙ୍କର ଗଳ୍ପ, କବିତା, ପ୍ରବନ୍ଧ, ଫିଚର୍ ଆଦି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ହାସଲ କରିଛି । ଆକାଶବାଣୀରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରସାରିତ ହୋଇଛି ।
ନଭେମ୍ବର ୨୧ରୁ ୨୩ ତାରିଖ ଯାଏଁ ଆୟୋଜିତ ହେଉଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି ।