କଟକ ମେୟରଙ୍କୁ ଉତ୍କଳ ସାଧବ ଚକ୍ର ସମ୍ମାନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଭାଇଚାରା ଏବଂ ସଂସ୍କୃତିର ସୁରକ୍ଷା ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିଥିବାରୁ କଟକ ମେୟର ସୁବାସ ସିଂହଙ୍କୁ ଉତ୍କଳ ସାଧବ ଚକ୍ର ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଏହି ସମ୍ମାନକୁ ନିଖିଳ ଉତ୍କଳ ବିଶ୍ୱଶାନ୍ତି ସାହିତ୍ୟ ପ୍ରତିଷ୍ଠାନ କଟକ ବାଲିଯାତ୍ରା ମହାମଞ୍ଚରେ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ବିରେନ୍ଦ୍ର ଜେନା, ବିଶ୍ୱଜିତ ସୂର୍ଯ୍ୟବଂଶୀ, ପଣ୍ଡିତ ନୀଳକଣ୍ଠ ରାଉତ, ତୋଫାନ ଜେନା, ଦୀପାୟନ ପଟ୍ଟନାୟକ, ବିଜୟ ଦାସ, ଚିତ୍ତରଞ୍ଜନ ମହାନ୍ତି, ସଞ୍ଜୟ କୁମାର ମହାରଣା ଏବଂ ଶାନ୍ତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ମାନପତ୍ର ପାଠ କରିଥିଲେ ଏବଂ ମେୟର ଶ୍ରୀ ସିଂହଙ୍କ ବହୁବିଧ ଜନ ମଙ୍ଗଳକାରି କାର୍ଯ୍ୟ ବିଷୟରେ ବିସ୍ତାରିତ ସୂଚନା ପ୍ରଦାନ କରିଥିଲେ । ମଞ୍ଚରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଉତ୍ତରୀୟ, ଜଗନ୍ନାଥଙ୍କ ଫଳକ ଏବଂ ମାନପତ୍ର ପ୍ରଦାନ କରି କଟକ ମେୟର ସୁବାସ ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ବୁଦ୍ଧିଜୀବି ମନେ କରତାଳି ଦେଇ ମେୟରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିକଟରେ ତାଙ୍କ ପ୍ରଚେଷ୍ଟା ଫଳରେ ବାଲିଯାତ୍ରାରେ ପିଲାମାନେ ଡଙ୍ଗା ତିଆରି କରି ଗ୍ରିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ଶାନ୍ତି କମିଟିର ସଦସ୍ୟ ମାନେ ଅତିରିକ୍ତ ଖୁସି ଜାହିର କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.