ଜୋର ଧରିଲା ଧର୍ମଗଡ ଜିଲ୍ଲା ମାନ୍ୟତା ଦାବି

ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନେଇ ଦୀର୍ଘ ବର୍ଷ ହେଲା  ଦାବି ହୋଇ ଆସୁଛି। ଭୌଗଳିକ ଦୃଷ୍ଟିକୋଣରୁ ଧର୍ମଗଡ ଉପଖଣ୍ଡ  ଜିଲ୍ଲା ମାନ୍ୟତା ପାଇଁ ସବୁ ଦୃଷ୍ଟିରେ ଯୋଗ୍ୟ ଥିବାବେଳେ ସରକାରଙ୍କ ଉଦାସନତା ଯୋଗୁଁ ବର୍ତ୍ତମାନ ଯାଏ ଏହା ଅଟକି ରହିଛି ବୋଲି ଅଭିଯୋଗ ହେଉଛି। ଯାହା ଫଳରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଜିଲ୍ଲା ମାନ୍ୟତା ନେଇ ବିଭିନ୍ନ ସଂଗଠନ ସାମୁହିକ ଭାବେ ମୁଣ୍ଡ ଟେକି ଥିବା ଜଣାପଡିଛି। ଅଞ୍ଚଳର ବିଭିନ୍ନ ସଂଗଠନ ସାମୁହିକ ସମର୍ଥନ ଜଣାଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି। କଚେରୀ ଛକ ନିକଟରେ ଏକ ପ୍ରତିବାଦ ସଭା କରାଯାଇ ସହର ପରିକ୍ରମା କରାଯାଇଥିଲା। ଏଥିରେ ସ୍କୁଲ, କଲେଜ, ଓକିଲ ସଂଘ, ସାମ୍ବାଦିକ ସଂଘ, ସରପଞ୍ଚ ସଂଘ, ଓଏସଏସ ସଂଘ, ପର୍ଶୁରାମ ସେନା, କୃଷକ ସଂଘ ପ୍ରମୁଖ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ଶେଷରେ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ସରକାରଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଥିଲା। ତେବେ ଦାବି ପତ୍ରକୁ ଅତିରିକ୍ତ ଉପଜିଲ୍ଲାପାଳ ଚିନ୍ମୟ କୁମାର ନାଏକ ଗ୍ରହଣ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଧର୍ମଗଡ ଉପଖଣ୍ଡ ଅଧୀନରେ ୬ଟି ବ୍ଲକ ରହିଥିବା ବେଳେ ୮ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି। ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ଛତିଶଗଡ ରାଜ୍ୟ ସୀମାନ୍ତରେ ରହିଥିବା ବେଳେ ଅଞ୍ଚଳର ଭୌଗଳିକ ସ୍ଥିତିକୁ ନିରୀକ୍ଷଣ କରାଗଲେ ଜିଲ୍ଲା ମାନ୍ୟତା ପାଇଁ ଯୋଗ୍ୟତା ଥିବା କୁହାଯାଏ। ଉପଖଣ୍ଡରେ ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉତ୍ପାଦନ କ୍ଷେତ୍ରରେ ବେଶ ଅଗ୍ରଣୀ ଲାଭ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳ ବେଳରୁ ଧର୍ମଗଡକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହେଇ ଆସିଛି।ତେବେ ଜିଲ୍ଲା ସାଂପ୍ରସାରଣ ବେଳକୁ ଧର୍ମଗଡ ପ୍ରତି ଅନ୍ୟାୟ ହୋଇଥିବା ସାମୁହିକ ସଂଘ ଅଭିଯୋଗ କରିଛି।ସୂଚନା ଯେ, ଜିଲ୍ଲା ଗଠନ ସ୍ଥିତିକୁ ଅନୁଧ୍ୟାନ କରାଗଲେ ଧର୍ମଗଡକୁ ଜାଣି ଶୁଣି ଜିଲ୍ଲା ମାନ୍ୟତାରୁ ବାଦ ଦିଆଯାଇଥିଲା। ୨୦୧୧ ଜନଗଣନା ଅନୁଯାୟୀ କ୍ଷେତ୍ରଫଳ  ପାରିପାର୍ଶ୍ବିକ ଦୃଷ୍ଟି କୋଣରେ ଜିଲ୍ଲା ମାନ୍ୟତା ପାଇଥିବା ଝାରସୁଗୁଡା କ୍ଷେତ୍ର ଫଳ ୨୧୧୪ଥିବାବେଳେ ୫ଲକ୍ଷ ୭୯ହଜାର ଲୋକ ସଂଖ୍ୟା ରହିଛି।ସେପରି ସୋନପୁରର କ୍ଷେତ୍ରଫଳ ୨୨୮୪ ଓ ଜନସଂଖ୍ୟା ୬ଲକ୍ଷ, ୧୦ହଜାର, ଦେବଗଡ଼ ୨୭୮୨କ୍ଷେତ୍ର ଫଳ ଥିବାବେଳେ ଜଣ ସଂଖ୍ୟା୩ଲକ୍ଷ ୧୨ହଜାର, ବୌଦ୍ଧ ୩୦୯୮ କ୍ଷେତ୍ରଫଳ ଥିବାବେଳେ ଜନସଂଖ୍ୟା ୪ଲକ୍ଷ ୪ହଜାର ଓ ନୂଆପଡା କ୍ଷେତ୍ରଫଳ ୩୪୦୮ ଥିବାବେଳେ ୬ଲକ୍ଷ ୬ହଜାର ଜନସଂଖ୍ୟା ରହିଛି। ତେବେ ତୁଳାତ୍ମକ ବିଚାରକୁ ନିଆଗଲେ ଧର୍ମଗଡ ସବୁଠାରୁ ଆଗୁଆ ରହିଛି। ଧର୍ମଗଡ କ୍ଷେତ୍ରଫଳ ୩୬୦୮ଥିବାବେଳେ ଏହାର ଜନସଂଖ୍ୟା ୮ଲକ୍ଷ ୨୦ହଜାର ରହିଛି। ସବୁ ଆଡୁ ଆକଳନ କରାଗଲେ ଧର୍ମଗଡ ଜିଲ୍ଲା ମାନ୍ୟତା ପାଇବା ପ୍ରଯୁଜ୍ୟ ରହିଅଛି। ତେବେ ସରକାରଙ୍କ ଅବହେଳା ଓ ବେମାତୃ ଭାବ ଯୋଗୁ ଧର୍ମଗଡ ଜିଲ୍ଲା ମାନ୍ୟତା ପାଇବାରେ ବଞ୍ଚିତ ହୋଇ ରହିଛି।ଆଗାମୀ ଦିନରେ ସରକାର ଧର୍ମଗଡକୁ ଜିଲ୍ଲା ମାନ୍ୟତା ନ ଦେଲେ ସାମୁହିକ ସଂଘ ଏହାର ଘୋର ପ୍ରତିବାଦ କରିବ ବୋଲି ଓକିଲ ସଂଘ ସଭାପତି ଧୀରେନ ପାତ୍ର, ତୁଷାର ରଞ୍ଜନ ପଟ୍ଟଯୋଶୀ, ଦିଗାମ୍ବର ଦୁରିଆ, ଧର୍ମଗଡ ବିଧାନ ସଭା କଂଗ୍ରେସ ସଭାପତି ଡାକେ ଲହଜଳ, ବେଣୁଧର ଦୁର୍ଗା, ସନ୍ତୋଷ ପାଢ଼ୀ, ରତନ ନାଏକ, ବିଜେପି ସାଧାରଣ ସମ୍ପାଦକ ସୁଧୀର ପଟଯୋଶୀ, ଜନ୍ମେଜୟ ନାଏକ, ସରପଞ୍ଚ ସଂଘ ସଭାପତି ହାତିରାମ ଦୁର୍ଗା, ଗୌଲୋଚନ ଗୋପାଳ, ବିଜେଡି  ସଦସ୍ୟ ରାଜେନ୍ଦ୍ର ମୁନି, ବିବେକ ମିଶ୍ର ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ବିଦ୍ୟାଧର ସାହୁ ଆମ ଆଦମୀ  ପାର୍ଟି ଜିଲ୍ଲା ସଭାପତି ବିଘ୍ନରାଜ ପଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.