ଅଧିନାୟକ ପଦରୁ ବିଦା ହେବେ ରୋହିତ?

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: କ୍ରମାଗତ ଦୁଇଟି ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ କ୍ରୀଡାପ୍ରେମୀ ଏବଂ ବିସିସିଆଇ ଏବେ ଚିନ୍ତାରେ । ଆଗକୁ ଦିନିକିଆ ବିଶ୍ୱକପ ରହିଛି । ଏପରି ସ୍ଥିତିରେ ଦଳ କିଭଳି ସଜାଡି ହେବ ତା ଉପରେ ଗୁରୁତ୍ୱ ଦେଉଥିବା ସୂଚନା ରହିଛି । ଯାହର ପ୍ରମାଣ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ବରଖାସ୍ତ କରିବା । ବିସିସିଆଇର ଏପରି କଡା ଆଭିମୁଖ୍ୟ ପରେ ଆଗାମୀ ଦିନରେ କ୍ୟାପଟେନ ରୋହିତ ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଦଳର ଅଧିନାୟକ ପଦରୁ ତାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ସୂଚନା ରହିଛି । ଏବେ ନୂଆ ଚୟନ କମିଟି ତିଆରି ହେବ । ଏଥିପାଇଁ ବିସିସିଆଇ ପ୍ରକ୍ରିୟା ଆରମ୍ଭ କରି ଦେଇଛି । ନୂଆ ଚୟନ କମିଟିକୁ ବୋର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟାସ୍କ ଦେଇଛି । ପ୍ରତ୍ୟେକ ଫର୍ମାଟରେ ଅଲଗା ଅଧିନାୟକ ନିଯୁକ୍ତ କରିବାକୁ ବୋର୍ଡ ଚିନ୍ତା କରୁଛି । ଏହାର ଅର୍ଥ ଟି -୨୦ ଫର୍ମାଟରୁ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ଛୁଟି ହୋଇପାରେ । ଗତ ବର୍ଷର ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ହାରିବା ପରେ ଏବେ ଚୟନ କମିଟି ଅଧିନାୟକ ପଦରେ ପରିବର୍ତନ ଆଣିଛି । ଏହା ପୂର୍ବରୁ ବିରାଟ କୋହଲି ଟି -୨୦ର ଅଧିନାୟକ ଥିଲେ । ଆଉ ସେ ନିଜେ ଏହି ପଦ ଛାଡିବାକୁ ଘୋଷଣା କରିଥିଲେ । କିନ୍ତୁ ପରେ ବିଶ୍ୱକପ ପରେ ଚେତନ ଶର୍ମାଙ୍କ କମିଟି କୋହଲିଙ୍କ ଠାରୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଥିଲେ । ଏହାପରେ ଜାନୁଆରୀରେ କୋହଲି ନିଜେ ଟେଷ୍ଟ ଅଧିନାୟକ ପଦ ଛାଡିଥିଲେ । ରୋହିତ ଶର୍ମା ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ । ଏହି ପରିବର୍ତନର କିନ୍ତୁ ସଠିକ୍ ଲାଭ ମିଳିନଥିବା ସୂଚନା ରହିଛି । ରୋହିତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମେ ଟି -୨୦ ଏସିଆ କପ ଏବଂ ପରେ ଟି -୨୦ ବିଶ୍ୱକପରେ ଟାଇଟଲ ଜିତିବାରେ ବିଫଳ ହୋଇଛି । ତେଣୁ ଏବେ ଅଧିନାୟକ ପଦ ବଦଳିବା ନେଇ ଚର୍ଚ୍ଚା ବଢିଛି । ତେଣୁ ଆଗାମୀ ଦିନରେ ଟିମ୍ ଇଣ୍ଡିଆରେ ଦିନିକିଆ, ଟି-୨୦ ଏବଂ ଟେଷ୍ଟ ପାଇଁ ତିନୋଟି କ୍ୟାପଟେନ ଘୋଷଣା ହେବାର ଆଶଙ୍କା କରାଯାଉଛି । ଆଇପିଏଲ୍ ୨୦୨୨ ରେ ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ସଫଳତା ପାଇବା ପରେ ଦଳରେ ତାଙ୍କର ଗୁରୁତ୍ୱକୁ ବିଚାର କରାଯାଉଛି । ତାଙ୍କୁ ଅଧିନାୟକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଛି । ସେ ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଟି -୨୦ ସିରିଜରେ ଦଳର ଅଧିନାୟକ ଅଛନ୍ତି ଏବଂ ଯଦି ସବୁକିଛି ଠିକ୍ ରୁହେ ତେବେ ତାଙ୍କୁ ଆଗାମୀ ସମୟରେ ଟି -୨୦ର ଅଧିନାୟକ ଭାବେ ଦେଖିବାକୁ ମିଳିପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.