କୁସୁମଖୁଣ୍ଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟରେ ରହୁ ନାହାଁନ୍ତି ଅଧିକାରୀ: ୱାଚର ଭରସାରେ ଅଫିସ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡ କାର୍ଯ୍ୟଳୟ ଦିନେ କି ଦୁଇ ଦିନ ନୁହେଁ, ଦିର୍ଘ ବର୍ଷ ଧରି ବନ୍ଦ ପଡିଥିଲା। ଏବେ କିଛିଦିନ ହେବ କାର୍ଯ୍ୟଳୟ ଖୋଲାଯାଇଛି ସତ, ହେଲେ କୈାଣସି ଅଧିକାରୀଙ୍କ ଦେଖା ଦର୍ଶନ ନାହିଁ। ଫଳରେ କାର୍ଯ୍ୟଳୟ ଏବେ ୱାଚର ଭରସାରେ ଚାଳିଛି। ସୂଚନା ଅନୁସାରେ, ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ କାର୍ଯ୍ୟଳୟରେ ଜଣେ ସହକାରୀ ଯନ୍ତ୍ରୀ, ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ କିରାଣୀ ଓ ଦୁଇ ଜଣ ପିଅନ ସହ ଜଣେ ନାଇଟ ୱାଚର ରହିବା କଥା। ହେଲେ ଏହି କାର୍ଯ୍ୟାଳୟରେ ସେମାନଙ୍କ ଦେଖା ଦର୍ଶନ ନାହିଁ। କେବଳ ୱାଚର ଜଣକ କାର୍ଯ୍ୟାଳୟ ଜଗି ରହୁଛନ୍ତି। ଯାହା ଫଳରେ କୋକସରା ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ, ବିଜୁ ସେତୁ ନିର୍ମାଣ, କୋଠା ଘର ଭଲି ଅନେକ କାର୍ଯ୍ୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲୁଛି। ଏଣୁ ଅନେକ ବିକାଶ ମୂଳକ କାର୍ଯ୍ୟର ତଦାରଖ ମଧ୍ୟ ଠିକ୍ ଭାବରେ ହେଉନାହିଁ। ଯାହାର ଫାଇଦା ନେଇ ଠିକାଦାର ମାନେ ନିଜ ଇଚ୍ଛା ଅନୁସାରେ ନିମ୍ନମାନର କାର୍ଯ୍ୟ କରିଚାଲିଛନ୍ତି। ଏଣେ କାର୍ଯ୍ୟାଳୟରେ କୈାଣସି ଅଧିକାରୀ ରହୁ ନଥିବା ରୁ ଲୋକେ କୈାଣସି କାର୍ଯ୍ୟ କିମ୍ବା ଅଭିଯୋଗ ନେଇ କୋକସରା ବ୍ଲକର ଜନ ସାଧାରଣ ସ୍ଥାନୀୟ କୁସୁମଖୁଣ୍ଟି ପରିବର୍ତ୍ତେ ଧର୍ମଗଡ଼ କାର୍ଯ୍ୟାଳୟ କୁ ଯିବାକୁ ପଡୁଛି। ସେହିପରି କୋକସରା ବ୍ଳକ ସଦର ମହକୁମା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନିର୍ମାଣର ୪/୫ ବର୍ଷ ହେବ ତାଲା ଝୁଲୁଛି। ଏଠାରେ ଥିବା କନିଷ୍ଠ ଯନ୍ତ୍ରୀ, କିରାଣୀ, ପିଅନ ଓ ନାଇଟ ୱାଚର ର ଦର୍ଶନ ନାହିଁ। ଫଳରେ ଏଠାରେ ଥିବା କାର୍ଯ୍ୟାଳୟ ଓ ବାସଗୃହ ଭୂତକୋଠି ସଦୃଶ ହୋଇଛି। ସମାନ ଭାବରେ ବ୍ଳକର ଆମପାଣି ପଞ୍ଚାୟତର ସୁକଲିଭଟା ଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ଦିର୍ଘ ବର୍ଷରୁ ତାଲା ଝୁଲୁଛି। ଏଠାରେ ବି କନିଷ୍ଠ ଯନ୍ତ୍ରୀ, କିରାଣୀ, ପିଅନ ଓ ନାଇଟ ୱାଚର କିଏ ମଧ୍ୟ ରହୁ ନଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଫିସ୍ କାର୍ଯ୍ୟାଳୟ ଓ ବାସଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏମିତି କି ପ୍ରତିବର୍ଷ କାର୍ଯ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ଏହି କାର୍ଯ୍ୟାଳୟ ଗୁଡିକର ନିଯୁକ୍ତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନେକ କର୍ମଚାରୀ ନିଜ କାର୍ଯ୍ୟାଳୟ ରେ ରହିବା ପରିବର୍ତ୍ତେ ଧର୍ମଗଡ଼ରେ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ପ୍ରତିକ୍ରିୟା ମିଳିପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.