ବିଜେପି ମହାସଚିବଙ୍କୁ ସମନ୍ କଲା ତେଲେଙ୍ଗାନା S.I.T.

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ତେଲେଙ୍ଗାନାରେ ଶାସକ ଦଳ ବିଆରଏସ ବିଧାୟକଙ୍କୁ କିଣାବିକା ମାମଲା ବଢିବାରେ ଲାଗିଛି । ତେଲେଙ୍ଗାନା ଡିଜିପି ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ଏବେ ଏହି ପ୍ରସଙ୍ଗରେ ଏସଆଇଟି ବିଜେପିର ଅନ୍ୟତମ ଶୀର୍ଷ ନେତାଙ୍କୁ ସମନ୍ କରିଛନ୍ତି । ଦଳର ମହାସଚିବ ବି.ଏଲ୍ ସନ୍ତୋଷଙ୍କୁ ସମନ୍ କରିଛି ଏସଆଇଟି । ଚଳିତ ମାସ ୨୧ ତାରିଖ ସକାଳ ୧୦.୩୦ ସମୟରେ ହାଇଦ୍ରାବାଦ କାର୍ଯ୍ୟାଳୟରେ ହାଜର ହେବାକୁ ଏସଆଇଟି ନୋଟିସ୍ କରିଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ହାଜର ନ ହୁଅନ୍ତି ତେବେ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି । ଗତ ମାସରେ ତେଲେଙ୍ଗାନା ବିଧାୟକଙ୍କ ଘୋଡା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାଇବରବାଦ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ପୋଲିସ କହିଛି ଯେ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ବିଧାୟକମାନେ ପ୍ରଲୋଭିତ ହୋଇଥିଲେ । ତେବେ ତେଲେଙ୍ଗାନାର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କୋର୍ଟ ଏହି ତିନିଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଏବଂ ସିଂହୟାଜି ସ୍ୱାମୀଙ୍କୁ ପୋଲିସ ମୁକ୍ତ କରିଛି । ଭରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକଙ୍କ କିଣିବାକୁ ପ୍ରୟାସ ହେଉଥିବା ନେଇ ସୂଚନା ଦେବା ପରେ ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏପରି ଘୋଡାବେପାର ପଛରେ ବିଆରଏସ ନେତାମାନେ ବିଜେପିକୁ ଦାୟୀ କରିଛନ୍ତି । ପୋଲିସର ସୂଚନାନୁସାରେ, ନଗଦ ଟଙ୍କା, ଚେକ୍ ଏବଂ ପୁରସ୍କାର ପ୍ରଦାନ ମାଧ୍ୟମରେ ବିଆରଏସର କିଛି ବିଧାୟକଙ୍କୁ କିଣିବାକୁ ପ୍ରୟାସ ହୋଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.