ନିର୍ବାଚନୀ ଘନଘଟା: ସୁରଟରେ ଓଡ଼ିଆ ଭୋଟର କାହାକୁ ଏଥର ଦେବେ ଭୋଟ?

ଓଡ଼ିଆ ବାର୍ତ୍ତା/ ସୁରଟ:  ଗୁଜରାଟ ନିର୍ବାଚନକୁ ଆଉ ମାତ୍ର ସାତ ଦିନ ରହିଲା । ଏହି ସାତ ଦିନ ଭିତରେ ଗୁଜରାଟବାସୀ କାହାକୁ ଭୋଟ ଦେବେ ତାହାର ନିର୍ଣ୍ଣୟ ନେବେ । ତେବେ ଗୁଜରାଟରରେ ଓଡ଼ିଆ ଭୋଟର କାହାକୁ ଏଥର ଭୋଟ ଦେଉଛନ୍ତି ତାହକୁ ନେଇ ସୁରଟରେ ବେଶୀ ଚର୍ଚା । କାରଣ ଏହି ସୁଟରକୁ ମିନି ଓଡ଼ିଶା ମଧ୍ୟ କୁହାଯାଉଛି । ସୁରଟ ଜିଲ୍ଲାରେ ୧୬ ଟି ବିଧାନସଭା ଆସନ ରହିଛି ।  ଗତ ନିର୍ବାଚନରେ ଏଠାକାର ଓଡ଼ିଆ ଭୋଟର ଭାରତୀୟ ଜନତା ପାର୍ଟିକୁ ବାଛିଥିଲେ। ଯାହା ଫଳରେ ସୁରଟ ଜିଲ୍ଲାର ୧୬ ଟି ନିର୍ବାଚନମଣ୍ଡଳୀରୁ ୧୫ ଟି ଜିଲ୍ଲାରେ ବିଜେପି ଜିତିଥିଲା ।  ମାଣ୍ଡଭି ସଂରକ୍ଷିତ ଅନୁସୂଚିତ ଜନଜାତି ଆସନକୁ କଂଗ୍ରେସ ଜିତିଥିଲା। ସୁରଟ ସହରର ସମସ୍ତ ୧୨ଟି ଆସନରେ ବିଜେପି ଜିତିଥିଲା । ତେବେ ଏଥର ନିର୍ବାଚନ ତ୍ରିମୁଖୀ ହୋଇଥିବାରୁ ଓଡ଼ିଆ ଭୋଟର କାହାକୁ ଭୋଟ ଦେଉଛନ୍ତି ତାହା ଉପରେ ତିନି ଦଳର ନଜର ରହିଛି । ସୁରତରେ ଓଡ଼ିଶାର ପ୍ରାୟ ୧୦ଲକ୍ଷ ଲୋକ ବସବାସ କରୁଛନ୍ତି। ତାମଧ୍ୟରେ ଲକ୍ଷ ଲକ୍ଷ ଓଡ଼ିଆ ଏଥର ଭୋଟର ଲିଷ୍ଟରେ ନାମ ଚଢ଼ାଇଛନ୍ତି । ଏଥିରେ ଅଧିକାଂଶ ଓଡ଼ିଆ ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ଅଛନ୍ତି । ଏହି ଭୋଟରମାନେ ପୂର୍ବ ଦୁଇଟି ନିର୍ବାଚନରେ  ବିଜେପିକୁ ଭୋଟ ଦେଇଥିଲେ ତେବେ ଏହି ଓଡ଼ିଆ ଭୋଟକୁ ନିଜ ସପକ୍ଷକୁ ଆଣିବାକୁ ଏଥର କଂଗ୍ରେସ ଏବଂ ଆପ ନେତାମାନେ ସୁରଟରେ ଡେରା ପକାଇଛନ୍ତି । ଓଡ଼ିଶାରୁ କିଛି ନେତା ସେଠାକୁ ଯାଇ ନିର୍ବାଚନ ପ୍ରଚାର ମଧ୍ୟ କରୁଛନ୍ତି । ବିଶେଷ କରି ସୁରଟ ସହରରେ ଥିବା ବିଭିନ୍ନ ବସ୍ତି ଅଞ୍ଚଳରେ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରି ନିଜ ଦଳ ସପକ୍ଷରେ ଭୋଟ ପକାଇବା ପାଇଁ ଆପ୍ ନେତାମାନେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।ସୁରଟରେ ଓଡ଼ିଆ ଭୋଟରଙ୍କ ଅନକେ ସମସ୍ୟା ରହିଛି । ରହିବା ପାଇଁ ବାସସ୍ଥାନ ବଡ଼ ସମସ୍ୟା ଥିବା ବେଳେ ପିଲାଙ୍କ ପଢ଼ିବା ପାଇଁ ସ୍କୁଲ ବି କମ୍ ଅଛି । ଏହା ମଧ୍ୟରେ ଶ୍ରମିକଙ୍କ ସମସ୍ୟା ଅଧିକ ରହିଛି । ଯାହାକୁ ନେଇ ସବୁ ଦଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି ।

ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଗୁଜରାଟରେ ସରକାର ଗଠନ କରିବ ବୋଲି ଆଶା ରଖିଥିଲା । ପଟିଦାର ଆନ୍ଦୋଳନ, ସୁରତରେ ସୁତାକଳ ଶ୍ରମିକଙ୍କ ଆନ୍ଦୋଳନ, ଆଦିବାସୀଙ୍କ ଆନ୍ଦୋଳନକୁ କଂଗ୍ରେସ ମୁଖ୍ୟ ଅସ୍ତ୍ର କରିଥିଲା ।  ଫଳାଫଳ ପରେ ବିଜେପି ଦୁଇ ଅଙ୍କକୁ ଖସିଆସିଥିଲା । ତେବେ ସୁରଟରେ ବିଜେପି ର ଫଳାଫଳ ଭଲ ଥିଲା । ଗୁଜୁରାଟରେ ବିଧାନସଭା ଆସନ ସଂଖ୍ୟା ୧୮୨ ଥିବାବେଳେ ଏଥିରେ ୪୦ ଟି ସିଟ୍ ସଂରକ୍ଷିତ ଅଛି ।  ଅନୁସୂଚିତ ଜନଜାତିଙ୍କ ପାଇଁ ୨୭ ଟି ସିଟ୍ ଏବଂ ଅନୁସୂଚିତ ଜାତି ପାଇଁ ୧୩ ଟି ସିଟ୍ ସଂରକ୍ଷିତ ।  ବିଧାନସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୯୨ ଟି ସିଟ୍। ଗତ ନିର୍ବାଚନରେ ବିଜେପି ୯୯ ଆସନରେ ଜିତିଥିଲା ଏବଂ କଂଗ୍ରେସ ୭୭ ଆସନରେ ଜିତିଥିଲା ।   ଯଦି ଏଥର ଆଉ କିଛି ଆସନ ବିଜେପି ହରାଇବ ତେବେ ସରକାର ସଂକଟରେ ପଡିପାରେ । ଏପରିକି ବିଜେପି ହାତରୁ ଶାସନ ଯାଇପାରେ ।

ଆପ ସୁରତରେ ପଶିବା ପରେ ଏବେ ଅଙ୍କ ଗୋଳମାଳିଆ ହୋଇଛି । ବସ୍ତି ଅଂଚଳରେ ପ୍ରବାସୀ ଭୋଟକୁ ଆପ ନେବାପାଇଁ ଲକ୍ଷ୍ୟ ରଖିଛି । ଏହି ପ୍ରବାସୀ ଭୋଟରେ ଓଡ଼ିଆ ଭୋଟ ଅଧିକ ରହିଛି ।  ମାଗଣା ବିଜୁଳି, ମାଗଣା ପାଣି, ସବୁ ମହିଳାଙ୍କୁ ଭତ୍ତା ଭଳି ଯୋଜନା ଲାଗୁ କରିବାକୁ କହି ଆପ ବସ୍ତି ଅଂଚଳରେ ଡେରା ପକାଇ ଓଡ଼ିଆଙ୍କ ଭୋଟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ଏହାର ଫାଇଦା ମଧ୍ୟ ଆପକୁ  ୨୦୨୧ ପୌର ନିର୍ବାଚନରେ ମିଳିଥିବା ଦେଖାଯାଇଛି । ୧୨୦ଟି କର୍ପୋରେଟର୍‌ ଆସନରୁ ୯୩ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆପ୍‌ ନିର୍ବାଚନ ମଇଦାନରେ ଓହ୍ଲାଇ ୨୭ଟି ଆସନ ଅକ୍ତିଆର କରିଥିଲା। ସେପଟେ ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଥର ଓବେସୀ ଭୋଟ ପ୍ରଚାରରେ ଲାଗିଛନ୍ତି । ଆମ୍ ଆଦମୀ ପାର୍ଟି ସୁରଟର ତିନିଟି ଆସନରେ ଏହି ପ୍ରତିଯୋଗିତାକୁ ଆକର୍ଷଣୀୟ କରିଛି। ଏଥି ମଧ୍ୟରେ ବାରଛା ରୋଡ୍, କତାରଗାମ ଏବଂ କରଞ୍ଜର ସିଟ୍ ଅନ୍ତର୍ଭୁକ୍ତ ରହିଛି । ଏହି ତିନୋଟି ଅଂଚଳରେ ଆପର ଭୋଟ ଥିବା ପୈାରନିର୍ବାଚନରେ ଦେଖାଯାଇଥିଲା । ବସ୍ତିରେ ରହୁଥିବା ଓଡ଼ିଆମାନେ ସୁରଟରେ ଆପକୁ ଭୋଟ ଦେଇଥିବା ପୈାରନିର୍ବାଚନରେ ଦେଖାଯାଇଥିଲା । ତେବେ ବିଧାନସଭା ନିର୍ବାଚନରେ ଓଡ଼ିଆ ଭୋଟର ବିଜେପିକୁ ଭୋଟ ଦେବେ ନା ଆପକୁ ଦେବେ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଓଡ଼ିଆ ଭୋଟର ବିଜେପି କୁ ବିମୁଖ ହୁଅନ୍ତି ତେବେ ସୁରଟରେ ବିଜେପିର  ଆସନ ସଂଖ୍ୟା ହ୍ରାସ ହେବ । ଏଥିପାଇଁ ବିଜେପି ରାଜ୍ୟ ସଭାପତି ସି.ଆର. ପାଟିଲ, ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଏବଂ ଦର୍ଶନା ଜାରଡୋଶଙ୍କୁ ଦାୟୀ କରାଯିବ । କାରଣ ଏହି ତିନି ହେବିଓ୍ବେଟ ନେତା ସୁରଟ ଜିଲ୍ଲାର । ସେପଟେ  ଆପର ହେଭିୱେଟ୍ ନେତା ଗୋପାଳ ଇଟାଲୀ, ମନୋଜ ସୋରାଥିଆ ଏବଂ ଆଲପେଶ କାଥିରିଆ ଏଠାରେ ଦିନରାତି ଏକ କରି ପ୍ରଚାରରେ ଲାଗିଛନ୍ତି । ସେମାନଙ୍କ ନଜରରେ ମଧ୍ୟ ଓଡ଼ିଆ ଭୋଟର ରହିଛନ୍ତି । ଚଳିତ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସୁରଟ ଜିଲ୍ଲାର ଫଳାଫଳ ନିର୍ଭର କରୁଛି । ଅହମ୍ମଦାବାଦ ପରେ ସୁରଟ ହେଉଛି ପ୍ରବାସୀ ଭୋଟରଙ୍କ ଆଡ୍ଡାସ୍ଥଳୀ । ଏହି ଦୁଇ ଅଂଚଳରେ ସାଧାରଣତ ପ୍ରବାସୀ ଭୋଟରମାନେ ନିର୍ବାଚନରେ ବେଶୀ ପ୍ରଭାବ ପକାଇଥାନ୍ତି । ଆଉ ଏଥିରେ ଓଡ଼ିଆଙ୍କ ସଂଖ୍ୟା ଅଧିକ । ଏଥର ସୁରତରେ ରହୁଥିବା ଓଡ଼ିଆ କାହା ସପକ୍ଷରେ ଯିବେ ତାହାକୁ ନେଇ ତିନି ଦଳ ରଣନୀତି ଆରମ୍ଭ କରିଛନ୍ତି। ଆସନ୍ତା ଡିସେମ୍ବର ୧ତାରିଖରେ ପ୍ରଥମ ଓ ୫ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ ।

ସବୁଠୁ ବଡ଼ କଥା ହେଉଛି ଏଥର ସୁରଟରେ ସୁରକ୍ଷିତ ଭାବେ ଭୋଟ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏଥର ସୁରଟ ଭୋଟରଙ୍କୁ ଭୟଭୀତ କରିବା ପାଇଁ ହିଂସାକାଣ୍ଡ ଅଧିକ ଦେଖାଯାଇଛି । ଭୋଟ ପାଇଁ କିଛି ଲୋକ ଠେଙ୍ଗା, ଛୁରି ଧରି ଭୋଟରଙ୍କୁ ଡରାଉଛନ୍ତି । ଏହାର ପ୍ରତିକାର ସ୍ବରୂପ ପୋଲିସ କେବଳ ସୁରଟରେ ୧୩ହଜାର ଲୋକଙ୍କୁ ଅଟକ ରଖିସାରିଲାଣି । ଆଉ ସପ୍ତାହେ ନିର୍ବାଚନ ଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.