ନୌସେନା ଦିବସ ମନେପକାଇଦିଏ ‘ଅପରେସନ ଟ୍ରାଇଡେଣ୍ଟ’ କଥା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏହି ଯୁଦ୍ଧର ଉପଲବ୍ଧିକୁ ମନେପକାଇବା ପାଇଁ ପାଳନ ହୁଏ ‘ନୌସେନା ଦିବସ’ ବା ନେଭି ଡେ’ । ୩ ଡିସେମ୍ୱର ୧୯୭୧ରେ ଭାରତୀୟ ନୌସେନାର ଜାହାଜ ମୁମ୍ୱାଇରୁ ବାହାରୁଥିଲା । ହେଲେ ପାକିସ୍ତାନ ଷଡ଼ଯନ୍ତ୍ର କରି ଏହାକୁ ଉଡାଇବାକୁ ଲକ୍ଷ୍ୟ ରଖିଥିଲା । ପାକିସ୍ତାନର ଏକ ବୁଡ଼ା ଜାହାଜ ଭାରତୀୟ ଜାହାଜକୁ ଟାର୍ଗେଟ କରିବା ପାଇଁ ଛପି ରହିଥିବା ଜାଣିପାରିଥିଲା ଭାରତୀୟ ନୌସେନା । ତତ୍କାଳୀନ ନୌସେନା ମୁଖ୍ୟ ଆଡମିରାଲ ଏସ ଏମ୍ ନନ୍ଦାଙ୍କ ନେତୃତ୍ୱରେ ‘ଅପରେସନ ଟ୍ରାଇଡେଣ୍ଟ’ ଯୋଜନା କରାଯାଇଥିଲା । ଭାରତୀୟ ଜଳସୀମା ଭିତରେ ଘରି ବୁଲୁଥିବା ପାକିସ୍ତାନୀ ବୁଡ଼ାଜାହାଜକୁ ନଷ୍ଟ କରିବା ପାଇଁ ଆଣ୍ଟି ସବମେରାଇନ ଫ୍ରେଗେଟ୍ ଆଇଏନଏସ୍ ଖୁଖରି ଓ କୃପାନ୍ ନିୟୋଜିତ ହେଲେ । ସ୍କ୍ୱାର୍ଡନ୍ କମାଣ୍ଡର ବବରୁ ଭାନ୍ ଯାଦବ ଏହାର ଦାୟିତ୍ୱ ନେଇଥିଲେ । ଅପରେସନ୍ ଟ୍ରାଇଡେଣ୍ଟ ରେ ଡିସେମ୍ୱର ୪ ତାରିଖ ଦିନ ଭାରତୀୟ ନୌସେନା କରାଚୀ ନୌସେନା ପୋର୍ଟ ଉପରେ ଆକ୍ରମଣ କରିଥିଲା । ପାକିସ୍ତାନର ଯୁଦ୍ଧସାମଗ୍ରୀ ଯୋଗାଣ ଜାହାଜ ସହିତ ଅନେକ ଜଳଜାହାଜ ଧ୍ୱଂସ ହୋଇଥିଲା । ଭାରତୀୟ ନୌସେନା ଆଇଏନଏସ୍ ବିକ୍ରାନ୍ତରୁ ମିସାଇଲ୍ ମାଡ଼ କରି ପୂର୍ବ ପାକିସ୍ତାନ(ଏବେ ବାଂଲାଦେଶ)କୁ ପରାସ୍ତ କରିଥିଲା । ମିସାଇଲ୍ ଆକ୍ରମଣରୁ ପାକିସ୍ତାନୀ ତୈଳ ଭଣ୍ଡାରରେ ଭୀଷଣ ନିଆଁ ଲାଗିଯାଇଥିଲା । ଯୁଦ୍ଧରେ ଭାରତର ଆଇଏନଏସ୍ ଖୁଖରୀ ବି ପାଣିରେ ଡୁବିଯାଇଥିଲା ଓ ୧୮ ଅଧିକାରୀଙ୍କ ସମେତ ୧୭୪ଜଣ ନାବିକ ସହିଦ୍ ହୋଇଥିଲେ । ସେମାନଙ୍କ ବଳିଦାନକୁ ସ୍ମରଣ କରିବାକୁ ପ୍ରତିବର୍ଷ ଡିସେମ୍ୱର ୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.