ଦେବଗିରି ସାମ୍ବାଦିକତା ସମ୍ମାନ-୨୦୨୨ ପାଇଲେ ସ୍ବାଧିନ ପାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ରଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ସାମ୍ବାଦିକତା ସମ୍ମାନ ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ବଲପୁର ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସ୍ବାଧିନ ପାତ୍ରଙ୍କୁ ସମ୍ମାନିତ କରିଥିଲେ।
ସମ୍ବାଦରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ସମ୍ବାଦରେ ହିଁ ଅବସର ଗ୍ରହଣ କରିଥିଲେ ଶ୍ରୀ ପାତ୍ର। ସଂପ୍ରତି ‘ସକାଳ’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ବିଭିନ୍ନ ଘାତ ପ୍ରତିଘାତ ମଧ୍ୟଦେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସେ ସାମ୍ବାଦିକତା କରିଛନ୍ତି। ଜଣେ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକ ଭାବେ ରାଜ୍ୟରେ ସୁପରିଚିତ ଶ୍ରୀ ପାତ୍ର ସାମ୍ବାଦିକତା ବ୍ୟତୀତ ସାହିତ୍ୟ ସାଧନା, ଅଭିନୟ ଓ ସଂଗଠନରେ ତାଙ୍କର ଅନୁଭବ ରହିଛି। ସମାଜପ୍ରତି ତାଙ୍କର ଏହି ସମର୍ପଣ ଭାବ ଓ ନିଷ୍ଠାପର ସାମ୍ବାଦିକତା ଯୋଗୁଁ ତାଙ୍କୁ ଏହି ପର୍ଯ୍ୟଦାଜନକ ସମ୍ମାନ ପ୍ରଦାନ କରାଯାଇଛି ବୋଲି ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗିରି ସାମ୍ବାଦିକତା ସମ୍ମାନ ଗ୍ରହଣ କରିବା ପରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପାତ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.