ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଆସନ୍ତା ଡ଼ିସେମ୍ବର ୨୪ ଓ ୨୫ ଦୁଇଦିନ ଧରି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡ଼ିଆଠାରେ ‘ବୁଢ଼ାଡଙ୍ଗର ଲୋକ ମହୋତ୍ସବ-୨୦୨୨’ ଆୟୋଜିତ ହେବ। ବିଗତ ଦୁଇ ବର୍ଷ କରୋନା କଟକଣା ପରେ ଏବର୍ଷ ଏହି ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଦେଶଜର ଅପୂର୍ବ ମିଳନ ‘ବୁଢ଼ାଡଙ୍ଗର ଲୋକ ମହୋତ୍ସବ’ ଆୟୋଜନ କରାଯାଇଥାଏ। ଏଥିରେ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏ ବର୍ଷ ମଧ୍ୟ ଉତ୍ସବ ପାଇଁ କେସିଙ୍ଗା ସହରର ସମସ୍ତ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ଏହି ଉତ୍ସବ ଅବସରରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି।