ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତରେ କିଛି ଦିନ ହେବ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ ଚିକିତ୍ସା ପରେ ଅନେକ ସୁସ୍ଥ ହୋଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି। ଏନେଇ ଘଟଣାର ସ୍ଥିତ ଅନୁଧ୍ୟାନ ପାଇଁ ବୁଧବାର କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତତ୍ତ୍ୱଦର୍ଶୀ ଦାସ, ଜନସ୍ବାସ୍ଥ୍ୟ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ୍ ମାନସ ରଞ୍ଜନ ସ୍ବାଇଁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ, ସ୍ଥାନୀୟ ସରପଞ୍ଚ କିଶୋର ପ୍ରଧାନୀ ପ୍ରମୁଖ ପହଞ୍ଚି ଥିଲେ। ତେବେ ପାନୀୟ ଜଳ ଯୋଗାଣ ପାଇଁ ହେଉଥିବା ପାଇପ ପାଣି ଡ୍ରେନ୍ ପାଣିରେ ମିସୁଥିବା ରୁ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଥିବା ଅନୁମାନ କରାଯାଇଛି। ଏନେଇ ମେଡିକାଲ ଟିମ୍ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସ୍ବାସ୍ଥ୍ୟ କର୍ମୀମାନେ ଘର ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି। ଏବଂ ଔଷଧ ବଣ୍ଟନ କରୁଥିବା ଜଣାପଡିଛି। ତେବେ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ଥିବା ନେଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାକ୍ତର ତତ୍ତ୍ୱଦର୍ଶୀ ଦାସ ସୂଚନା ଦେଇଛନ୍ତି ।