ସୋନପୁର,୨୦/୪ : ସୁବଣ୍ଣର୍ପୁର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ସାଧାରଣ ନିର୍ବାଚନ । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିଂ ପାର୍ଟି ମାନେ ବିଭିନ୍ନ ବୁଥରୁ ଇଭିଏମ୍ ଓ ଭିଭିପାଟ୍ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଆଣି ଷ୍ଟ୍ରଙ୍ଗ୍ ରୁମ୍ ରେ ଜମା ଦେଇସାରିଛନ୍ତି । ଶୁକ୍ରବାର ବିଭିନ୍ନ ଇଭିଏମ୍ କେନ୍ଦ୍ରରେ ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ଇଭିଏମ୍ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । କିନ୍ତୁ ଆଜି ସକାଳୁ ସକାଳୁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ, ସମର୍ଥକ ଓ ଭୋଟର ମାନଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
◊ ଚିନ୍ତାରେ ବୁଡି ରହିଛନ୍ତି ପ୍ରାର୍ଥୀ : ଆଗର ଆଉସେ ହରଷତା ନାହିଁ
ଭୋଟ ଗ୍ରହଣ ପୂର୍ବରୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନଙ୍କ ମୁଖମଣ୍ଡଳ ବେଶ ଉତ୍ପୃଳିତ ଜଣାପଡୁଥିଲେ ସୁଦ୍ଧା ଆଜି ସେମାନେ ବେଶ ଟେନ୍ସନ୍ ରେ ରହିଥିବା ଦେଖାଯାଇଛି । ପାଞ୍ଚ ବର୍ଷୀୟା ଶାସନ କରିବା ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀ ମାନଙ୍କ ଭାଗ୍ୟ ଇଭିଏମ୍ ମଧ୍ୟରେ ବନ୍ଦ ରହିଥିବା ବେଳେ ମଇ ୨୩ ଦିନ କେତେ ବେଳେ ପରୀକ୍ଷା ରେଜଲ୍ଟ ଆସିବ ତାକୁ ଅପେକ୍ଷା କରି ଆହୁରି ଟେନ୍ସନ୍ ରେ ରହିଥିବା ଦେଖାଯାଇଛି ।
◊ ଖଟିରେ ଚାଲିଛି ନିର୍ବାଚନୀ ପୋଷ୍ଟମର୍ଟମ୍
ପ୍ରାର୍ଥୀ ମାନଙ୍କ ଏଭଳି ଟେନ୍ସନ୍ ବେଳେ ଦଳୀୟ ସମର୍ଥକ ମାନେ ସେମାନଙ୍କ ଟେନ୍ସନ୍ କୁ ଆହୁରି ବଢାଇ ଦେଇଥିବା ଲକ୍ଷ୍ୟ କରାଯାଉଛି । ଦଳୀୟ
ସମର୍ଥକ ମାନେ ସହରର ପାନ ଦୋକାନ, ଚା’ ଦୋକାନରେ ନିର୍ବାଚନକୁ ନେଇ ପୋଷ୍ଟମର୍ଟମ ଆରମ୍ଭ କରିଦେଇଥିବା ବେଳେ ଗ୍ରାମାଞ୍ଚଳର ଭୋଟର ମାନେ ମଧ୍ୟ ଗାଁ ମଝିରେ ଥିବା ଯଜ୍ଞ ମଣ୍ଡପ, ପୋଖରୀ ଆଦି ସ୍ଥାନରେ ଭୋଟ ଦେବାକୁ ନେଇ ଆରମ୍ଭ କରି ଦେଇଛନ୍ତି ଚର୍ଚ୍ଚା ।
◊ ହିସାବ କିତାବରେ ଫର୍ଦ ଫର୍ଦ କାଗଜ ସାରୁଛନ୍ତି ଗାଁ ଟାଉଟର ଓ କୁଜି ନେତା
ଭୋଟିଂ ମେସିନରେ ଆଗ କେଉଁ ଚିହ୍ନରେ, ପରେ କେଉଁ ଚିହ୍ନରେ… ଏହାକୁ ନେଇ ଚାଲିଛି ଜୋରସୋର୍ ଆଲୋଚନା ପର୍ଯ୍ୟାଲୋଚନା । ତେବେ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ଦିନ ମଧ୍ୟ ଭୋଟର ମାନଙ୍କ ମତିଗତି ସମ୍ପୂର୍ଣ୍ଣ ନିରବ ଥିବାରୁ ବିଭିନ୍ନ ଦଳର ସମର୍ଥକ ମାନେ ପୁରା ଦ୍ୱନ୍ଦରେ ପଡିଯାଇଥିବା ଦେଖାଯାଉଛି । ଏଥର ଖାଲି ସେ ଗାଁରେ ଆଗ ଅମୁକ ଚିହ୍ନରେ ଅଧିକ ଭୋଟ୍ ପଡିଥିବା ବେଳେ ସମୁକ ଚିହ୍ନରେ କମ୍ ପଡିଥିବା ଆଦି ଚର୍ଚ୍ଚାକୁ ନେଇ ଚାଲିଛି ଖାଲି ଗଣିତ କଷା । ପାଖରେ ଥିବା ଗ୍ରାମ୍ୟ ଟାଉଟର ଜଣକ ବି ଏମାନଙ୍କ କଥା ଶୁଣି ଆରମ୍ଭ କରିଦେଉଛି ତାର ଗଣିତ । କାହାକୁ କେତେ ଦିଆଯାଇଥିଲା, ତାଙ୍କ ସମର୍ଥୀତ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଭୋଟ ହେଲା ଆଦି ଦୁନିଆ ପ୍ରକାର ହିସାବ । ଏପରିକି ଗ୍ରାମ୍ୟ ଟାଉଟର ତଥା ଗ୍ରାମ୍ୟ କୁଜି ନେତା ମାନେବି ଫର୍ଦ ଫର୍ଦ କାଗଜ ଧରି ହିସାବ କରିଚାଲିଛନ୍ତି ଆମ ପ୍ରାର୍ଥୀ କେତେ ପାଇଲେ ।
◊ ଅପେକ୍ଷା ମଇ ୨୩କୁ
କିନ୍ତୁ ଏଭଳି ପରିସ୍ଥିତିରେ କେଉଁ ଗାଁରେ କେଉଁ ଦଳର ପ୍ରାର୍ଥୀ କେତେ ଭୋଟ ପାଇଲେ, କିଏ ଆଗରେ ରହିଛି ତାକୁ ନେଇ ପୁରା ଦ୍ୱନ୍ଦ୍ୱରେ ସାଧାରଣ ଭୋଟର । କାରଣ ଇଭିଏମ୍ ମେସିନରେ ପ୍ରାର୍ଥୀ ମାନଙ୍କ ଚିହ୍ନ ଦେଖିଦେବା ମାତ୍ରେ ସାଧାରଣ ଭୋଟର କାହିଁକି ଶିକ୍ଷିତ ଭୋଟର ବି ଟିକିଏ ଦେଖିଛି ତାର ମନ ମୁତାବକ ପ୍ରାର୍ଥୀଙ୍କ ଚିହ୍ନ କେଉଁଠି ଅଛି । ଯାହାବି ହେଉ ସବୁ ଗଣିତର ହିସାବ କିତାବ କିନ୍ତୁ ସିଲ୍ ହୋଇସାରିଛି ଇଭିଏମ୍ ମେସିନ ମଧ୍ୟରେ । କଡା ସୁରକ୍ଷା ବଳୟରେ ରହିଛି ପ୍ରାର୍ଥୀଙ୍କ ପରୀକ୍ଷା ପେପର୍ । ମଇ ୨୩ ତାରିଖ ଦିନ ପରୀକ୍ଷାର ରେଜଲ୍ଟ ଘୋଷଣା ହେବ । ତେଣୁ କିଏ ପରୀକ୍ଷାରେ ପାସ କରିବ କିଏ ଫେଲ୍ ହେବ ସେଥିାଇଁ ସମସ୍ତେ ଅପେକ୍ଷା କରିବାକୁ ସେହି ଦିନକୁ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇