ମଙ୍ଗଳମୟ ଶିବରାତ୍ରି

ଶିବ ଶବ୍ଦର ଅର୍ଥ ମଙ୍ଗଳମୟ। ସେ ହେଉଛନ୍ତି ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର, ଆଦର୍ଶଯୋଗୀ, ତେଜସ୍ୱୀ ଏବଂ ସତ୍ୟ ଶିବ ସୁନ୍ଦର। ସେ ମହାଦେବ, ଆଶୁତୋଷ, ମହେଶ୍ୱର, ମଙ୍ଗଳମୟ, ତ୍ରିଲୋଚନ। ଶିବଙ୍କ ବ୍ରତ ପୂଜା ଆଦି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ଶ୍ରଦ୍ଧା ଏବଂ ଭକ୍ତିର ସହ ଶିବଙ୍କ ପୂଜା କରିବା ଅଶ୍ୱମେଧ ଯଜ୍ଞ ସହ ସମାନ।

ଭାରତବର୍ଷରେ ହରପ୍‌ପା ସଭ୍ୟତା କାଳରେ ହିଁ ଶୈବଧର୍ମର ବିକାଶ ହୋଇଥିଲା ବୋଲି କୁହାଯାଏ। ହରପ୍‌ପା ଶବ୍ଦଟି ହର ଓ ଅପ୍‌ପା (ବାପା) ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି ବୋଲି ଗବେଷକ ଯୁକ୍ତି ବାଢ଼ନ୍ତି।

ହରପ୍‌ପାର ମୋହରମାନଙ୍କରେ ହରଙ୍କୁ ଶିଙ୍ଗ ଓ ଅନ୍ୟାନ୍ୟ ପ୍ରାକୃତିକ ପଶୁ ସୁଲଭ ଅବୟବ ଦ୍ୱାରା ଭୂଷିତ କରାଯାଉଥିବାର ପ୍ରମାଣ ରହିଛି। ପୁନଶ୍ଚ ମହେଞ୍ଜୋଦାରୋରୁ ପ୍ରାପ୍ତ ମୁଦ୍ରାରୁ ଯୋଗାସନାସୀନ ପଶୁପତିଙ୍କ ଚିତ୍ର ଅଙ୍କିତ ହୋଇଥିବାର ଦେଖିବାକୁ ମିଳେ।

ପ୍ରାକ – ଆର୍ଯ୍ୟ ଓ ବୈଦିକ ଯୁଗର କେତେକ ବିଶ୍ୱାସ ଓ ମତବାଦକୁ ଭିତ୍ତି କରି ଏହି ଧର୍ମ ବିକଶିତ ହୋଇଥିଲା ବୋଲି ଜଣାଯାଏ। ସେହିପରି ମଧ୍ୟଯୁଗୀୟ ଓଡ଼ିଶାର ଅଭିଲେଖଗୁଡ଼ିକରୁ ଜଣାଯାଏ ଯେ, ମହେନ୍ଦ୍ରଗିରି ଓ ଅନ୍ୟାନ୍ୟ ପାର୍ବତ୍ୟାଞ୍ଚଳର ଆଦିମ ଅଧିବାସୀମାନେ ଶିବଙ୍କୁ ଲିଙ୍ଗ ରୂପରେ ପୂଜା କରୁଥିଲେ।

ତେବେ ଖ୍ରୀଷ୍ଟୀୟ ୩ୟ ଶତାବ୍ଦୀ ବେଳକୁ ଓଡ଼ିଶାରେ ଶୈବଧର୍ମର ବ୍ୟାପକ ବିସ୍ତାର ହୋଇଥିଲା। ପଞ୍ଚମ ଶତାବ୍ଦୀର ପରବର୍ତ୍ତୀ କାଳରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟରେ ଶୈବଧର୍ମର ପ୍ରଭାବ ପରିଲକ୍ଷିତ ହୋଇଥିଲା।

ଓଡ଼ିଶାରେ ଥିବା ପ୍ରସିଦ୍ଧ ଶିବଲିଙ୍ଗ ଯଥା – ଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, ଚନ୍ଦ୍ରଶେଖର, ସ୍ୱପ୍ନେଶ୍ୱର, ଗୋକର୍ଣ୍ଣେଶ୍ୱର, ଆଖଣ୍ଡଳମଣି ଓ ଶରଣକୁଳ, ଲଡ଼ୁବାବା ମନ୍ଦିର ଶୈବଧର୍ମର ପ୍ରସାର କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି।

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ମହାଶିବରାତ୍ରି ପାଳନକୁ ନେଇ ପୁରାଣରେ ଅନେକ ସୂଚନା ରହିଛି। ପୌରାଣିକ କଥାନୁସାରେ, ଏହିଦିନ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରିଥିଲେ।

ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କର ସଂଜ୍ଞା ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ।

ବିଶ୍ବକଲ୍ୟାଣ ଲାଗି ଶିବଲିଙ୍ଗରେ ଶାସ୍ତ୍ରମତେ ବିଶେଷ ପୂଜାର୍ଚ୍ଚନା କରାଯାଏ। ରାତ୍ରିର ପ୍ରଥମ ପ୍ରହରରେ ଦୁଗ୍ଧ, ଦ୍ବିତୀୟ ପ୍ରହରରେ ଦଧି, ତୃତୀୟ ପ୍ରହରରେ ଘୃତ ସହ ଚତୁର୍ଥ ପ୍ରହରରେ ମଧୁ ଦ୍ବାରା ଶିବ ଲିଙ୍ଗକୁ ସ୍ନାନ କରାଯାଇଥାଏ।‌ ଏପରିକି ସାରା ରାତି ଉଜାଗର ରହି ଦୀପ ଜାଳି ଶିବନାମ ଜପ ଓ ସ୍ମରଣ କରନ୍ତି ଶିବଭକ୍ତ। ତେଣୁ ଏହି ପର୍ବକୁ ଜାଗର ମଧ୍ୟ କୁହାଯାଏ।

ଏହି ଦିନ ଭଗବାନ ଶିବଙ୍କ ଉପରେ ରୁଦ୍ରାଭିଷେକ କରାଯାଇଥାଏ। ଏଥି ସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ମଧ୍ୟ ଜପ କରାଯାଇଥାଏ। ମାନ୍ୟତା ଅଛି ଯେ ଏହି ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଦ୍ୱାରା ସ୍ବାସ୍ଥ୍ୟ ସମସ୍ୟା ରହେ ନାହିଁ।ମହାଶିବରାତ୍ରିର ବିଶେଷ ଆକର୍ଷଣ ହେଉଛି ରାତିର ମନ୍ଦିର ଶିଖରକୁ ଉଠୁଥିବା ଦିବ୍ୟ ଜ୍ୟୋତି ସ୍ୱରୂପ ମହାଦୀପ। ତେଣୁ ଲକ୍ଷ ଲକ୍ଷ ଭକ୍ତ ଶିବରାତ୍ରି ଉପବାସ କରି ମହାଦୀପ ଉଠିବାର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥାଆନ୍ତି।

ଶିବରାତ୍ରୀରେ ରାଶି ଅନୁସାରେ ଶିବ ପୂଜା

(୧) ମେଷ: ଶିବଲିଙ୍ଗରେ ଜଳ, ବେଲପତ୍ର ଅର୍ପଣ କରିବେ। ଓଁ ଗଙ୍ଗାଧରାୟେ ନମଃ ମନ୍ତ୍ର ଜପ କରିବେ।

(୨): ବୃଷ: ଜଳରେ କ୍ଷୀର ଏବଂ ଚାଉଳ ମିଶାଇ ଶିବଲିଙ୍ଗକୁ ଅଭିଷେକ କରିବେ। ଓଁ ସୋମନାଥାୟ ନମଃ ମନ୍ତ୍ର ଜପ କରିବେ।

(୩) ମିଥୁନ: ଜଳରେ ଅଗୁରୁ ଓ ଚନ୍ଦନ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନାଗେଶ୍ବରାୟ ନମଃ ମନ୍ତ୍ର ଜପ କରିବେ।

(୪) କର୍କଟ: ଜଳରେ ଶର୍କରା ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ରାମେଶ୍ବରାୟ ନମଃ ମନ୍ତ୍ର ଜପ କରିବେ।

(୫) ସିଂହ: ଜଳରେ ଅଙ୍ଗୁର ରସ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନନ୍ଦେଶ୍ୱରାୟ ନମଃ ମନ୍ତ୍ର ଜପ କରିବେ।

(୬) କନ୍ୟା: ଜଳରେ ଧୁଧୁରା, ବେଲପତ୍ର ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ।

(୭) ତୁଳା: ଜଳରେ ଦହି ଏବଂ ଧୁଧୁରା ଫୁଲ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ହର ହର ମହାଦେବାୟ ନମଃ ମନ୍ତ୍ର ଜପ କରିବେ।

(୮) ବିଛା: ଜଳ ସହ ମହୁ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନମୋ ଭଗବତେ ରୁଦ୍ରାୟ ମନ୍ତ୍ର ଜପ କରିବେ।

(୯) ଧନୁ: ଜଳରେ କ୍ଷୀର ଏବଂ ଡାଳିମ୍ବ ରସ ମିଶାଇ ଅଭିଷେକ କରିବେ। ଓଁ ପାର୍ବତୀପତିୟେ ନମଃ ମନ୍ତ୍ର ଜପ କରିବେ।

(୧୦) ମକର: ଜଳରେ କଳା ରାଶି ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ।

(୧୧) କୁମ୍ଭ: ଜଳରେ ଘିଅ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନମଃ ଶିବାୟ ମନ୍ତ୍ର ଜପ କରିବେ।

(୧୨) ମୀନ: ଜଳରେ କଦଳୀ ରସ ଏବଂ ବେଲପତ୍ର ମିଶାଇ ଅଭିଷେକ କରିବେ। ଓଁ କୈଳାସପତୟେ ନମଃ ମନ୍ତ୍ର ଜପ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.