ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ସଭାଗୃହଠାରେ ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷ ରାୟ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଜୋନ୍-୧ ଅଞ୍ଜଳି ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଜିପିଓ ସରୋଜ ପ୍ରଧାନ ବୈଠକରେ ମୁଖ୍ୟତଃ ପୂର୍ବ ବୈଠକ ବିବରଣୀ ପଠନ ଓ ଅନୁମୋଦନ କରିଥିଲେ। ଏଥିରେ ଗ୍ରାମୀଣ ଆବାସ ଯୋଜନା, କୁଟିଆ କନ୍ଧ ଉନୟନ ସଂସ୍ଥା, ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ମନରେଗା, ଜଙ୍ଗଲ ଓ ପରିବେଶ, ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟ ବିଭିନ୍ନ ସମସ୍ୟା ସବୁ ଆଲୋଚିତ ହୋଇଥିଲା। ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥାପନ କରିଥିଲେ। ଏହି ବୈଠକରେ ୨୦୧୧ ତାଲିକା ଅନୁସାରେ ବ୍ଳକର ୨୬ ଗୋଟି ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୯ ହଜରରୁ ଉର୍ଦ୍ଧ୍ବ ଲୋକଙ୍କୁ ଘର ମିଳିଥିବା ବେଳେ ବର୍ତ୍ତମାନ ପୂର୍ବରୁ ତାଲିକାରେ ଥିବା ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି। ବର୍ତ୍ତମାନ ୨୦୧୯ ନୂତନ ତାଲିକା ଅନୁସାରେ ୨ ହଜାର ୪୪୭ ଜଣଙ୍କ ଘର ଆସିଥିବା ବିଭିନ୍ନ ପଞ୍ଚାୟତ ସମ୍ମୁଖରେ ବେନର ମାଧ୍ୟମରେ ତାଲିକା ଟଣା ଯାଇଛି। ଏହି ତାଲିକା ନିୟମ ଅନୁସାରେ ଗ୍ରାମସଭା କି ପଲ୍ଲୀ ସଭାରେ ବୈଠକରେ ଯୋଗ୍ୟ ହିତାଧିକାରୀ ଚୟନ କରି ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଏହା ସେଭଳି ନ ହୋଇ ବ୍ଲକ ଅଫିସରେ ତାଲିକା ପ୍ରସ୍ତୁତ ହୋଇ ଥିବାରୁ ଯୋଗ୍ୟ ହିତାଧିକାରୀ ମାନେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସାଂସଦ ପ୍ରତିନିଧି ଶ୍ରୀ ରାୟ ପ୍ରକାଶ କରିଛନ୍ତି। ବ୍ଳକରେ ପାନୀୟ ଜଳର ସଙ୍କଟ ଦେଖା ଦେଇଛି। ବର୍ତ୍ତମାନ ଆଗକୁ ଖରାଦିନ ଆସୁଥିବା ବେଳେ ଲାଞ୍ଜିଗଡ଼ ବ୍ଳକ ୨୬ ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୬ ଗୋଟି ପଞ୍ଚାୟତରେ ଏବେଠାରୁ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ବ୍ଳକ ଅଞ୍ଚଳରେ ୧୫୦ ରୁ ଉର୍ଦ୍ଧ୍ବ ସୋଲାର ଦ୍ବାରା ଜଜ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ୭୦ଟି ଅଚଳ ହୋଇ ପଡିଛି।ବର୍ଷ ବର୍ଷ ଧରି ଏହାର ମରାମତି ହେଉନାହିଁ।ସେହିପରି ୪୧ ଗୋଟି ବସୁଧା ପ୍ରକଳ୍ପ ମଧ୍ୟରୁ ୨୬ ଗୋଟି ନିମ୍ନ ମାନର କାମ ଯୋଗୁଁ ପାଇପ ଫାଟିବା ସହିତ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ଅବସ୍ଥାରେ ରହିଛି। ବର୍ତ୍ତମାନ ମଧ୍ୟ ୨୫ରୁ ଅଧିକ ଗାଁ ଲୋକେ ଝରଣାରୁ ପାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଖରାଦିନେ ଖରଣା ସବୁ ଶୁଖିଗଲେ ପାନୀୟ ଜଳର ଘୋର ସଙ୍କଟ ଦେଖାଯିବ। ଏଣୁ ଏହା ସୁଖିଯିବା ପୂର୍ବରୁ ପାନୀୟ ଜଳର ଵିକଳ୍ପ କରାଯାଉ ବୋଲି ଲାଞ୍ଜିଗଡ଼ ଜିଲ୍ଲା ପରିଷଦ ଦୁଇ ଗୋଟି ଜିଲ୍ଲା ପରିଷଦ ପରୀକ୍ଷିତ ନାଏକ ଓ ଅଞ୍ଜଳି ମାଝୀ ବ୍ଳକ ଜଳ ଯୋଗାଣ ଦାଇତ୍ଵରେ ଥିବା ଯନ୍ତ୍ରୀ ମୋହନ ଚରଣ ସିହାଳ ଓ ଦଶମନ୍ତ ମାଝୀଙ୍କୁ ଉପରେ ବର୍ଷିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଜଳ ଯୋଗାଣ ଜିଲ୍ଲା ସ୍ତରୀୟ ଦାଇତ୍ୱରେ ଥିବା ଅଧିକାରୀ ସହିତ ପୁଣି ଆମେ ବ୍ଳକ ସ୍ତରରେ ବସି ପାନୀୟ ଜଳ ପାଇଁ ଆଲୋଚନା କରିବା ବୋଲି ଦୁଇ ଜିଲ୍ଲା ପରିଷଦ ଙ୍କୁ ବିଡ଼ିଓ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ। ବ୍ଳକ ଅଞ୍ଚଳରେ ଥିବା ବିଦ୍ୟୁତ ବିଭାଗ ଓ ବନ ବିଭାଗ ଅଧିକାରୀ କିମ୍ବା କୌଣସି କର୍ମଚାରୀ ମାନେ ଏହି ବୈଠକରେ ଅନୁପସ୍ଥିତ ଥିବା ଯୋଗୁଁ ଅଭିଯୋଗ କରିଥିବା ଜନ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ଏହି ବୈଠକରେ ଏବିଡ଼ିଓ ବିଭୁତି ଭୂଷଣ ଶତପଥୀ, ଲାଞ୍ଜିଗଡ଼ କୁଟିଆ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ, ପ୍ରାଣୀ ଚିକିତ୍ସା ବିଭାଗର ଭିଏସ ଜୋସ୍ନାରାଣି ସିଂ, ବ୍ଳକ ମେଡ଼ିକାଲ ଅଫିସର ତତେଶ୍ୱର ନାୟକ, ଶିକ୍ଷା ବିଭାଗ ପଦ୍ମଲୋଚନ ସୁନା ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ବ୍ଳକ ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟା/ସଭ୍ୟମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ମଧ୍ୟରୁ ହାତ ଗଣତି କିଛି ଜଣଙ୍କୁ ଛାଡିଦେଲେ ଅନ୍ୟମାନେ ନିଜ ନିଜ ପଞ୍ଚାୟତର ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ସତଚେଷ୍ଟା କରିଥିଲେ ମଧ୍ୟ କିଛି ଲୋକଙ୍କ ପାଇଁ ବଞ୍ଚିତ ରହି ଅସନ୍ତୋଷ ପ୍ରକାଶ କରିଥିଲେ।