ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ବୁଧବାର ଠାରୁ ଆରମ୍ଭ ହୋଇଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନସନ୍ ସୁବିଧା, ସମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମଗାର ନିର୍ମାଣ ସମେତ ୧୦ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଳାଇଛନ୍ତି । ଶହ ଶହ ସଂଖ୍ୟାରେ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ତେବେ ସମାନ ଭାବରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ମଧ୍ୟ ଆଜି ଜାତୀୟ ରାଜପଥ ୨୬ ମୋଟେର ଠାରେ ଏକତ୍ରିତ ହୋଇ ଷ୍ଟିଏରିଙ୍ଗ ଛାଡ଼ ଆନ୍ଦୋଳନକୁ ସଫଳ କରିଛନ୍ତି । ମୋଟେର ବସ ଷ୍ଟାଣ୍ଡ ରେ ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ଶାନ୍ତିପୂର୍ଣ ଶୋଭାଯାତ୍ରା ଓ ଧାରଣାରେ ବସିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ କଡା ନିରାପତ୍ତା ସହ ଜରୁରୀ କାଳୀନ ସେବାକୁ ଗୁରୁତ୍ୱ ଦେଇ ଶୃଙ୍ଖଳା ରକ୍ଷା କରାଯାଇଥିଲା । ନିତିଦିନ ଅପେକ୍ଷା ଆଜି ଯାନବାହାନ ଯାତାୟାତ କମ ଓ ଡ୍ରାଇଭର ମାନଙ୍କ ଏକତା ଯୋଗୁଁ ଏହାର ପ୍ରଭାବ ଦେଖିବାକୁ ମିଳିଛି ।