ଅବକାରୀ ବିଭାଗ ଦ୍ୱାରା ଜବତ୍ ୧୪ କ୍ୱିଂଟାଲ ଚାଉଳ ଓ ୩୨୦କେଜି ଧାନ’ର ହେବ ନିଲାମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଅବକାରୀ ବିଭାଗ ଦ୍ୱାରା ଏକ ଭେନ୍‌’ରୁ ଜବତ କରାଯାଇଥିବା ୧୪ କ୍ୱିଂଟାଲ ଚାଉଳ ଓ ୩୨୦ କେଜି ଧାନକୁ ନିଲାମ କରିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛି ବିଭାଗ । ଏ ନେଇ ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଓଡିଶା ରାଜ୍ୟ ଖାଦ୍ୟ ପଣ୍ୟଗାର ତଥା ଖାଦ୍ୟ ନିଗମ ସଂସ୍ଥା (ଏଫସିଆଇ)କୁ ଚିଠି କରାଯାଇ ମିଲରର୍ସ ମାନଙ୍କ ମାଧ୍ୟମରେ ନିଲାମ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ନିଲାମ ପରେ ଆଦାୟ ଟଙ୍କା ରାଜସ୍ୱ ଆକାରରେ ସରକାରଙ୍କ ନିକଟରେ ପୈଠ କରାଯିବ । ତେବେ ଜବତ ଚାଉଳ ସାଧାରଣ ବଂଟନ ବ୍ୟବସ୍ଥାରେ ମିଳୁଥିବା ଚାଉଳ ନା ଆଉ କେଉଁ ଚାଉଳ ତାହା ତଦନ୍ତ ପାଇଁ ଆମ କ୍ଷମତା ନାହିଁ ବୋଲି ରାୟଗଡା ସଦର ଅବକାରୀ ଥାନା ଓଆଇସି ସଂଜୟ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,ଚଳିତ ମାସ ୪ ତାରିଖରେ ଶିକରପାଇ ଠାରୁ କୋରାପୁଟ ଅଭିମୁଖେ ବେଆଇନ ଭାବେ ୪୯ କ୍ୱିଂଟାଲ ମହୁଲି ଫୁଲ ସହ ୧୪ କ୍ୱିଂଟାଲ ଚାଉଳ ଏବଂ ୩୨୦ କେଜି ଧାନ ନେଇ ଏକ ଭ୍ୟାନ ଯାଉଥିବା ବେଳେ ରାୟଗଡା ସଦର ଅବକାରୀ ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଅବକାରୀ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ଭ୍ୟାନଟିକୁ ସନ୍ଦେହ କରି ଯାଂଚ କରାଯାଇଥିଲା । ସେଥିରୁ ମହୁଲି ଫୁଲ, ଚାଉଳ ଓ ଧାନ ସାମଗ୍ରୀ ମିଳିବା ପରେ ଡ୍ରାଇଭରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.