ମା ମଝିଘରିଆଣୀଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତି ପାଇଁ ଦେଲେ ପରାମର୍ଶ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦର୍ଶନ ସହ କୃପା ଲାଭ କରିବା ପାଇଁ ଆଜି ଦିନିକିଆ ଗସ୍ତରେ ଆସିଥିଲେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ବାଚସ୍ପତି ତାମିନେନୀ ସୀତାରାମ ଓ ତାଙ୍କ ପରିବାର ବର୍ଗ । ଆଜି ମଧ୍ୟାହ୍ନରେ ଶ୍ରୀ ସୀତାରାମ ଓ ତାଙ୍କ ପରିବାର ଲୋକେ ମାଁ ମଝିଘରିଆଣୀ ମନ୍ଦିରକୁ ଯାଇ ମାଁ ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ମାଁଙ୍କ ଆଶିଷ କୃପା ଲାଭ କରିଥିଲେ । ବାଚସ୍ପତି ଶ୍ରୀ ସୀତାରାମଙ୍କୁ ରାୟଗଡା ଦେବତୋର ବିଭାଗ ତଥା ମା ମଝିଘରିଆଣୀ ମନ୍ଦିର ପରିଚାଳନା ଟ୍ରଷ୍ଟି ବୋର୍ଡ ପକ୍ଷରୁ ମାଁଙ୍କ ଏକ ଫୋଟୋ ଚିତ୍ର ପ୍ରଦାନ କରାଯାଇ ସମ୍ମାନୀତ ଓ ସ୍ୱାଗତ କରାଯାଇଥିଲା । ବାଚସ୍ପତି ଶ୍ରୀ ସୀତାରାମ ମାଁଙ୍କ ଦର୍ଶନ ସାରି ମନ୍ଦିର ବେଢା ପରିଦର୍ଶନ କରିବା ପରେ ସେଠାରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ତହସିଲଦାର ତାପସ କୁମାର ରାଉତ, ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକାଙ୍କ ସହ ଅନ୍ୟ ଦେବତର ବିଭାଗ କାର୍ଯ୍ୟକର୍ତା ଏବଂ ମନ୍ଦିର ଟ୍ରଷ୍ଟି ସଭ୍ୟ ରାଧାକୃଷ୍ଣ ଦଳେଇ, ଇପିଲି ରାଜୁ, ମନ୍ଦିର ଅଧୀକ୍ଷକ ଜାନକୀବଲ୍ଳଭ ମହାନ୍ତିଙ୍କ ଆଲୋଚନା କରି ମନ୍ଦିର ପରିସରରେ ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ନିମନ୍ତେ ଆହୁରି ଅନେକ ସୁବିଧାସୁଯୋଗର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ପୂର୍ବରୁ ମନ୍ଦିର ରେଳବାଇ ଜାଗାରେ ରହିଥିବା ହେତୁ ଉନ୍ନୟନମୂଳକ କାର୍ଯ୍ୟ କରି ହେଉ ନ ଥିବା ବେଳେ ବର୍ତମାନ ଏହି ଜାଗା ମନ୍ଦିରକୁ ହସ୍ତାନ୍ତର ହୋଇଥିବାରୁ ଅନେକ ବିକାଶମୂଳକ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବ ନେଇ ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ପ୍ରକାଶ କରିଥିଲେ । ଶେଷରେ ମନ୍ଦିରରେ ଭକ୍ତଙ୍କ ନିମନ୍ତେ ଅନ୍ନଦାନ ବ୍ୟବସ୍ଥା କରିବା ପାଇଁ ବାଚସ୍ପତି ଶ୍ରୀ ସୀତାରାମ କିଛି ଆର୍ଥିକ ଦାନ କରିଥିଲେ ।