ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମପଞ୍ଚାୟତରେ ଜଙ୍ଗଲ ଅଧିକାର ନିୟମକୁ ଜିଲ୍ଳାରେ ପ୍ରୟୋଗ କରିବାପାଇଁ ଦେପୁର ସରପଞ୍ଚ ଉର୍ମିଳା ଜାନୀଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି ବୈଠକରେ ଡ଼. ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଉମାକାନ୍ତ ଜାନୀ ଯୋଗଦାନ କରିଥିଲେ ।
ଉକ୍ତ ବୈଠକରେ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କ (ଜଙ୍ଗଲ ଅଧିକାର ସମୂହ ସ୍ୱୀକୃତି) ସଂଶୋଧନ ନିୟମାବଳୀ -୨୦୧୨, ଭାରତ ସରକାରଙ୍କ ନିୟମ ପାଳନ ପୂର୍ବକ କଳାହାଣ୍ଡି ଜିଲ୍ଲାରେ ୩୧୦ ଗ୍ରାମପଞ୍ଚାୟତରେ ଜଙ୍ଗଲ ଅଧିକାର କମିଟି ଗଠନ କରି ପଟ୍ଟା ପାଇନଥିବା ଆଦିବାସୀ ଏବଂ ଅଣ ଆଦିବାସୀ ମାନଙ୍କୁ ଉକ୍ତ ନିୟମ ଅନୁସାରେ ପଟ୍ଟା ପ୍ରଦାନ କରାଯାଉ ।
ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କ (ଜଙ୍ଗଲ ଅଧିକାର ସମୂହ ସ୍ୱୀକୃତି) ସଂଶୋଧନ ନିୟମାବଳୀ -୨୦୧୨,ଭାରତ ସରକାର ଆଦିବାସୀ ବ୍ୟାପାର ମନ୍ତ୍ରଣାଲୟ, ସଂଲଗ୍ନ ନଥି ସଂଖ୍ୟା-୧, ଦ୍ରଷ୍ଟବ୍ୟ ଧାରା-୬(୧) ଫର୍ମ – ଏ ଫର୍ମକୁ ନିଶୁକ୍ଳ ଆଦିବାସୀ ଅଂଚଳରେ ବ୍ଲକ ଓ ଗ୍ରାମପଞ୍ଚାୟତ ଜରିଆରେ ବଣ୍ଟନ କରାଯାଉ ଏବଂ କଳାହାଣ୍ଡି ଜିଲ୍ଲାରେ ସମସ୍ତ ଗ୍ରାମପଞ୍ଚାୟତରେ ଏହି ନିୟମ ପାଳନ ପୂର୍ବକ ଜିଲ୍ଲାପାଳଙ୍କ ଦସ୍ତଖତରେ ସମସ୍ତ ବିଡ଼ିଓଙ୍କୁ ପ୍ରତି ସରପଞ୍ଚ ମାନଙ୍କୁ ଗ୍ରାମସଭା କରି ଜଙ୍ଗଲ ଅଧିକାର କମିଟି ଘୋଷଣା କରି ଦରଖାସ୍ତ ଆହ୍ୱାନ କରାଯାଉ ଏବଂ ଜଙ୍ଗଲ ଜମି ଅଧିକାର ନିୟମକୁ ଜିଲ୍ଲାରେ ପ୍ରୟୋଗ କରାଯିବା ଆଦି ବିଷୟ ଉପରେ ଚର୍ଚ୍ଚା କରାଯାଇଥିଲା । ଏଥିରେ ଦେବଦୀ ମାଝୀ, ଉମାକାନ୍ତ ଯାନୀ, ମନୋଜ ଜାଲ, ପୁରୁନ୍ଦର କରୁଆଁ, କୁଞ୍ଜ ତାଣ୍ଡି, ପୂର୍ଣ୍ଣମୀ ମାଝୀ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।