କେସିଙ୍ଗା ରେଳ ଷ୍ଟେସନରେ ପରସ୍ପରଠାରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନର ଦୁଇ ବଗି, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ବାହାନଗା ରେଳ ଦୁର୍ଘଟଣାର ଭୟାବହତା ଲୋକଙ୍କ ମନରୁ ନଲିଭୁଣୁ ଗତ କିଛି ଦିନ ହେବ ଲଗାତାର ଭାବରେ କେଉଁଠୁ ନା କେଉଁଠୁ ଟ୍ରେନ ଦୁର୍ଘଟଣା କଥା ସାମ୍ନାକୁ ଆସୁଛି । ଆଜି ସକାଳ ପାଖା ପାଖି ୧୦ଟା ରୁ ୧୦.୩୦ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଛିଣ୍ଡି ପରସ୍ପର ଠାରୁ ଅଲଗା ହୋଇଯାଇଥିଲା । ସୂଚନା ଅନୁସାରେ ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ମାଲବାହୀ ଟ୍ରେନ କେସିଙ୍ଗା ରେଳ ଷ୍ଟେସନ ପ୍ଲାଟ ଫର୍ମ ନଂ ୨ ରେ ଯାଉଥିବା ବେଳେ ହଠାତ୍ ମଝି ଭାଗରୁ ଛିଣ୍ଡି ଅଲଗା ହୋଇ ଯାଇଥିବା ପ୍ରତ୍ୟକ୍ଷଦର୍ଶିଙ୍କ ଠାରୁ ଶୁଣିବାକୁ ମିଳୁଛି । ଦୁଇ ବଗି ପରସ୍ପର ଠାରୁ ୩୦ ମିଟର ପର୍ଯ୍ୟନ୍ତ ବ୍ୟବଧାନ ସୃଷ୍ଟି ହେଇଥିଲା । ତେବେ ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଯାହା ଅନୁମାନ କରାଯାଉଛି ଟ୍ରେନ ବଗିକୁ ଯୋଡି ରଖୁଥିବା କପ୍ଲିନଟି ଆଗରୁ ଛିଣ୍ଡି ଟିକେ ଟିକେ ଲାଗି ରହିଥିଲା ଓ ଏଠାରେ ରହଣି ସମୟରେ ପୁରା ପୁରୀ ଅଲଗା ହୋଇଯାଇଥିଲା । ଟ୍ରେନର ଗତି କମ ଥିବାରୁ ନିଶ୍ଚିତ ଭାବରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଟ୍ରେନ । ଖବର ମିଳିବା ପରେ ଟିଟଲାଗଡରୁ ରେଳ ବିଭାଗ ଅଧିକାରୀ ଓ ଏକ ବିଶେଷଜ୍ଞ ଦଳ କେସିଙ୍ଗା ଆସି ଏହି ଘଟଣାର ତଦାରଖ କରୁଥିବା ବେଳେ ଏକ ନୂତନ କପ୍ଲିନଟି ଆଣି ଦୁଇ ବଗିକୁ ଯୋଡା ଯାଇଥିଲା । ପରେ ଟ୍ରେନ ଟି ୧୨ଟା ୩୦ ରେ ନିଜର ଗନ୍ତ୍ୟବ ସ୍ଥଳକୁ ଯାତ୍ରା କରି ଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.