ରୁପ୍ରାରୋଡ ରଥଯାତ୍ରା: ଭକ୍ତ-ଭଗବାନ ଏକାକାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପତିତପାବନ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବାହାରିଛନ୍ତି ମହାପ୍ରଭୁ। କାଳିଆ ଠାକୁରଙ୍କୁ ଟିକେ ଦେଖିବା ପାଇଁ ଛୁଟି ଆସିଛନ୍ତି ଭକ୍ତ। ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦେବଦୁର୍ଲଭ ସେହି ଅପୂର୍ବ ଋପକୁ ଦେଖି ଭାବ ଗଦଗଦ ହୋଇ ଯାଉଛନ୍ତି ଭକ୍ତ ମଣ୍ଡଳୀ। ଏକାକାର ହୋଇ ଯାଇଛନ୍ତି ଭକ୍ତ ଓ ଭଗବାନ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି ଶ୍ରୀଗୁଣ୍ଡିଚା ଯାତ୍ରା। ମଙ୍ଗଳବାର ଏନେଇ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ବିଧି ଅନୁକ୍ରମେ ପଣ୍ଡିତ ନିଗମାନନ୍ଦ ପାତ୍ର ସମସ୍ତ ନିତି ସଂପାଦନ କରିବାପରେ ଅପରାହ୍ନରେ ଶ୍ରୀଜୀଉମାନଙ୍କର ପହଣ୍ଡି ହୋଇଥିଲା। ସୁନିଲ କୁମାର ଅଗ୍ରୱାଲ ଛେରାପହରା କରିବାପରେ ରଥଟଣା ହୋଇଥିଲା। ରୁପ୍ରାରୋଡ ଡ୍ରାଇଭର ସଂଘ, ଦେବସର ଧାମ ଟ୍ରଷ୍ଟ ବୋର୍ଡ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଆନୁକୂଲ୍ୟରେ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଶ୍ରୀଗୁଣ୍ଡିଚା ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସେଠାରେ ବିଧି ମୁତାବକ ଶ୍ରୀବିଗ୍ରହମାନଙ୍କ ପୂଜାର୍ଚ୍ଚନା ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.